ନୂଆଦିଲ୍ଲୀ: ଭାରତ ସମେତ ସାରା ବିଶ୍ୱ ଇସ୍ରାଏଲର ସୈନ୍ୟ ଆକ୍ରମଣକୁ ନିନ୍ଦା କରନ୍ତୁ ବୋଲି ଇରାନ ଆହ୍ୱାନ ଦେଇଛି। ଏନେଇ ଶୁକ୍ରବାର ଇରାନର ଜଣେ ବରିଷ୍ଠ କୂଟନୀତିଜ୍ଞ କହିଛନ୍ତି ଯେ ଇସ୍ରାଏଲ୍ର ଆକ୍ରମଣ ଅନ୍ତର୍ଜାତୀୟ ଆଇନ୍ର ଉଲ୍ଲଂଘନ କରୁଛି। ତେଣୁ ଭାରତ ସମେତ ସମଭାବପୂର୍ଣ୍ଣ ଦେଶଗୁଡ଼ିକୁ ଏହାକୁ ନିନ୍ଦା କରିବା ଉଚିତ୍। କେବଳ ସେତିକି ନୁହେଁ ପାକିସ୍ତାନର ଆମେରିକା ମୁହାଁ ସ୍ଥିତି ଦେଖି ଇରାନ ନିରାଶା ପ୍ରକାଶ କରିଛି। ଆମର ଆଶା ଯେ ପାକିସ୍ତାନ ଏପରି କିଛି କରିବ ନାହିଁ ଯାହା ଇରାନର ସ୍ୱାର୍ଥକୁ କ୍ଷତି ପହଞ୍ଚାଇବ ବୋଲି ଇରାନୀ ଦୂତାବାସର ମିଶନର ଉପମୁଖ୍ୟ ମହମ୍ମଦ ଜାଭାଦ ହୋସେନି କହିଛନ୍ତି।
ପ୍ରକୃତରେ ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଆମେରିକା ରାଷ୍ଟ୍ରପତି ଭବନ ହ୍ୱାଇଟ୍ ହାଉସ୍ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ବୁଧବାର ସାକ୍ଷାତ କରିଛନ୍ତି। ଯାହାକୁ ଇରାନ ଆକ୍ରମଣ ନେଇ ଆମେରିକାର ଷଡ଼ଯନ୍ତ୍ର ସହ ଯୋଡ଼ି ଦେଖାଯାଉଛି। ୱାଶିଂଟନ ତେହେରାନ ଉପରେ ଆକ୍ରମଣ କରିବାକୁ ପାକିସ୍ତାନର ସାମରିକ ଘାଟି ବ୍ୟବହାର କରିବା ପାଇଁ ମୁନୀରଙ୍କ ସହ ଆଲୋଚନା କରିଥାଇ ପାରନ୍ତି ବୋଲି କୁହାଯାଉଛି। ଏନେଇ ରିପୋର୍ଟରମାନେ ମହମ୍ମଦ ଜାଭାଦ ହୁସେନୀଙ୍କୁ ପ୍ରଶ୍ନ କରିବାରୁ ସେ ଏପରି ବୟାନ ଦେଇଛନ୍ତି।
ହୋସେନି ଆହୁରି କହିଛନ୍ତି ଯେ ଭାରତ ଗ୍ଲୋବାଲ୍ ସାଉଥ୍ର ଏକ ଲିଡର। ତେଣୁ ଇରାନ ଭଳି ଏକ ସାର୍ବଭୌମ ଦେଶ ଉପରେ ଆକ୍ରମଣ କରି ଇସ୍ରାଏଲ ଯେଉଁ ଅନ୍ତର୍ଜାତୀୟ ନିୟମ ଭଙ୍ଗ କରିଛି, ତାହାକୁ ଭାରତ ନିନ୍ଦା କରିବ ବୋଲି ଇରାନ ଆଶା କରୁଛି। ସେ କହିଛନ୍ତି “ଆମେ ବିଶ୍ୱାସ କରୁଛୁ ଯେ ଭାରତ ସମେତ ପ୍ରତ୍ୟେକ ଦେଶ ଏହାକୁ (ଇସ୍ରାଏଲର ସାମରିକ କାର୍ଯ୍ୟାନୁଷ୍ଠାନ) ନିନ୍ଦା କରିବା ଉଚିତ, ଇରାନ ସହିତ ସମ୍ପର୍କ ଯୋଗୁ ନୁହେଁ ବରଂ ଏହି କାର୍ଯ୍ୟଗୁଡ଼ିକ ବିଶ୍ୱ ମାନଦଣ୍ଡର ଉଲ୍ଲଂଘନ କରୁଛି ସେଥିପାଇଁ।”
ସେପଟେ ଇସ୍ରାଏଲ-ଇରାନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉ ନାହିଁ। ସପ୍ତାହେ ହେଲା ଦୁଇ ଦେଶ ପରସ୍ପର ଉପରେ ଶତାଧିକ ମିସାଇଲ୍ ଓ ଡ୍ରୋନ୍ ମାଡ଼ କରି ସାରିଛନ୍ତି। ଏଥିରେ ଉଭୟ ରାଷ୍ଟ୍ର କ୍ଷତିଗ୍ରସ୍ତ ହୋଇଛନ୍ତି। ଏହି ଯୁଦ୍ଧ ଭିତରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ଷ୍ଟ୍ରେଟ୍ ଅଫ୍ ହରମୁଜ। ଏକ ସଂକୀର୍ଣ୍ଣ ଜଳପଥ। ଯାହା ମାଧ୍ୟମ ଦେଇ ବିଶ୍ୱର ଦୈନିକ ୩୦ ପ୍ରତିଶତ ତୈଳ ଖର୍ଚ୍ଚ ପରିମାଣରେ ତୈଳ ପରିବହନ ହେଉଛି। ସାଉଦି ଆରବ ଓ କତାର ଭଳି ରାଷ୍ଟ୍ର ଏହି ଜଳପଥ ଦେଇ ବିଦେଶକୁ ତୈଳ ବିକ୍ରି କରୁଛନ୍ତି। ଯଦି ଇରାନ ଏହାକୁ ବନ୍ଦ କରିଦେଲା ତେବେ ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହୁହୁ ହୋଇ ବଢ଼ିବ।
ପଢନ୍ତୁ- ‘ମୁଁ ନୋବେଲ ଶାନ୍ତି ପୁରସ୍କାର ପାଇବି ନାହିଁ’: ନୀରବତା ଭାଙ୍ଗିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ
ଇରାନ ହର୍ମୁଜ୍ ପ୍ରଣାଳୀକୁ ବନ୍ଦ କରିବା ବିଷୟରେ ବିଚାର କରୁଛି କି ବୋଲି ରିପୋର୍ଟରମାନେ ପ୍ରଶ୍ନ କରିବାରୁ ଇରାନୀ କୂଟନୀତିଜ୍ଞ ଜାଭାଦ ହୋସେନି ସିଧାସଳଖ ଉତ୍ତର ଦେଇ ନଥିଲେ ବି ପରୋକ୍ଷରେ ଚେତବାନୀ ଦେଇଛନ୍ତି। ସେ କହିଛନ୍ତି “ଆମେ ଅନେକ ବିଷୟରେ ବିଚାର କରୁଛୁ। କିନ୍ତୁ ତାର ଅର୍ଥ ଏହା ନୁହେଁ ଯେ ଆମେ ଏବେ ଏହାକୁ ବନ୍ଦ କରି ଦେବୁ। ଏହା ପରିସ୍ଥିତି ଏବଂ ଅନ୍ୟ ପ୍ଲେୟାରମାନେ କିପରି ଯିବାକୁ ଚାହାଁନ୍ତି ତାହା ଉପରେ ନିର୍ଭର କରେ। ଯଦି ସେମାନେ ସମସ୍ୟାର ସମାଧାନ କରିବାକୁ ଚାହାଁନ୍ତି, ତେବେ ନିଶ୍ଚିତ ଭାବରେ ଏଭଳି କିଛି ପ୍ରସଙ୍ଗକୁ ଛାଡ଼ି ଦିଆଯିବ।”
ଇସ୍ରାଏଲ ସହିତ ଶତ୍ରୁତାର ଇରାନର ଚାବାହାର ବନ୍ଦର ଉପରେ ସମ୍ଭାବ୍ୟ ପ୍ରଭାବ ବିଷୟରେ ପଚରାଯିବାରୁ, ଇରାନୀ କୂଟନୀତିଜ୍ଞ କେବଳ ଏତିକି କହିଥିଲେ ଯେ ଉତ୍ତେଜନା ଆହୁରି ବୃଦ୍ଧି ପାଇବା ଦ୍ୱାରା ଶକ୍ତି ଏବଂ ଅନ୍ୟାନ୍ୟ ସାମଗ୍ରୀର ପ୍ରବାହ ଉପରେ ଦୂରଗାମୀ ପ୍ରଭାବ ପଡ଼ିପାରେ। ହୁସେନି କହିଛନ୍ତି “"କେବଳ ଚାବାହାରର କଥା ନୁହେଁ, ଏହା ସମଗ୍ର ଅଞ୍ଚଳର କଥା। ଯଦି ଉତ୍ତେଜନା ବୃଦ୍ଧି ପାଏ, ତେବେ ଏହା ନିଶ୍ଚିତ ଭାବରେ ଅନେକ ଜିନିଷକୁ ପ୍ରଭାବିତ କରିବ, ନିଶ୍ଚିତ ଭାବରେ ଏହି ଚ୍ୟାନେଲଗୁଡ଼ିକ ଦେଇ ଯାଉଥିବା ତେଲ, ପଠାଣ ଏବଂ ସାମଗ୍ରୀର ପ୍ରବାହ ପ୍ରଭାବିତ ହେବ।" ହୋସେନି କହିଛନ୍ତି। ତେଣୁ ଯେଉଁ ଦେଶମାନେ ପ୍ରଭାବିତ ହେବେ ସେମାନେ ଏ ବିଷୟରେ ଚିନ୍ତା କରି ଉତ୍ତେଜନା କୁ ହ୍ରାସ କରିବା ଦିଗରେ କାମ କରିବା ଉଚିତ୍।” ଏହି ଅଞ୍ଚଳରେ ପଡ଼ୁଥିବା ଅର୍ଥନୈତିକ ପ୍ରଭାବ, ଯାହା ସାରା ବିଶ୍ୱକୁ ପ୍ରଭାବିତ କରିବ। ଏହି କାରଣରୁ ଯେଉଁ ଦେଶଗୁଡ଼ିକ ପ୍ରଭାବିତ ହେବେ, ସେମାନଙ୍କ ପାଇଁ ଏହା ଚିନ୍ତା କରିବା ଏବଂ ଏହି ଆକ୍ରମଣକୁ ବନ୍ଦ କରିବା ଦିଗରେ କାମ କରିବା ଉଚିତ୍”।