ଟ୍ରମ୍ପଙ୍କ ବଦଳୁଛି ସ୍ୱର, କହିଲେ-ଇସ୍ରାଏଲକୁ ହୋଇଛି ବଡ଼ କ୍ଷତି, ଇରାନର କ୍ଷେପଣାସ୍ତ୍ର...

Published By : Prameya-News7 Bureau | June 25, 2025 IST

ନୂଆଦିଲ୍ଲୀ: ଇରାନ-ଇସ୍ରାଏଲ୍ ମଧ୍ୟରେ ଅସ୍ତ୍ରବିରତି ପରେ ଡୋନାଲ୍ଡ ଟ୍ରମ୍ପ ନେଦରଲାଣ୍ଡ ଗସ୍ତରେ ଅଛନ୍ତି । ଏଠାରେ ନାଟୋ ରାଷ୍ଟ୍ର ମୁଖ୍ୟଙ୍କ ସହ ବୈଠକ କରୁଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ପରେ ଚର୍ଚ୍ଚା ଏହା ଯେ ଏହି ଯୁଦ୍ଧରେ କିଏ ଆଗରେ ରହିଥିଲା, କିଏ ଅଧିକ କ୍ଷତି ସହିଛି । ଟ୍ରମ୍ପଙ୍କ ଏକ ବୟାନରେ ଏହି ପ୍ରଶ୍ନର ଜବାବ ମିଳୁଥିବା ନଜର ଆସିଛି ।

ଆମେରିକା ରାଷ୍ଟ୍ରପତି ନାଟୋ ବୈଠକ ପରେ ସାମ୍ୱାଦିକଙ୍କୁ ଜବାବ ଦେଇ କହିଛନ୍ତି, 'ଇରାନ ପାଖରେ ତୈଳ ରହିଛି, ସେମାନେ ବୁଦ୍ଧିମାନ ଲୋକ । ଇସ୍ରାଏଲକୁ ଅନେକ କ୍ଷତି ପହଞ୍ଚିଛି । ବିଶେଷକରି ଗତ ଦୁଇ ଦିନରେ । ସେହି ବାଲିଷ୍ଟିକ୍ ମିସାଇଲଗୁଡ଼ିକ ଅନେକ ବିଲ୍ଡିଂକୁ ନଷ୍ଟ କରିଦେଇଛି ।' ଟ୍ରମ୍ପଙ୍କ ଏହି ବୟାନରେ ଇରାନର ସେହି ଦାବିକୁ ବଳ ମିଳିଛି, ଯେଉଁଥିରେ ଯୁଦ୍ଧବିରତି ପାଇଁ ପ୍ରଥମେ ଇସ୍ରାଏଲ୍ କହିଥିବା କୁହାଯାଇଥିଲା । 

ଇରାନ ଓ ଇସ୍ରାଏଲ୍ ମଧ୍ୟରେ ଜୁନ୍ ୧୩ରେ ଆରମ୍ଭ ହୋଇଥିବା ଯୁଦ୍ଧରେ ଇସ୍ରାଏଲକୁ ବ୍ୟାପକ କ୍ଷତି ହୋଇଥିଲା । ଏହି କଥାକୁ ଏବେ ଇସ୍ରାଏଲ ମିଡିଆ ମଧ୍ୟ ସ୍ୱୀକାର କରୁଛି । ଏକ ରିପୋର୍ଟ ଅନୁସାରେ କେବଳ ୧୨ ଦିନର ଯୁଦ୍ଧରେ ଇସ୍ରାଏଲରେ ପ୍ରାୟ ୩୯ ହଜାର ଲୋକ କ୍ଷତିପୂରଣ ପାଇଁ ଆବେଦନ କରିଛନ୍ତି । ସମସ୍ତେ ନିଜ ଘର ହରାଇଥିବା ଅଭିଯୋଗ କରିଛନ୍ତି । ଇସ୍ରାଏଲର ଆକ୍ରମଣରେ ବି ଇରାନକୁ ବଡ଼ କ୍ଷତି ହୋଇଛି । କିନ୍ତୁ ସେଠାରୁ ଏପରି କୌଣସି ସଂଖ୍ୟା ମିଳିନାହିଁ । କିନ୍ତୁ ଇରାନରେ ହୋଇଥିବା କ୍ଷତି ଓ ମୃତାହତଙ୍କ ସଂଖ୍ୟା ଇସ୍ରାଏଲଠାରୁ ବହୁ ଅଧିକ । ଇସ୍ରାଏଲ୍ ଆକ୍ରମଣରେ ଇରାନର ପ୍ରାୟ ୬୦୦ ଲୋକଙ୍କ ମୃତ୍ୟୁ ହୋଇଛି, ଅନ୍ୟପଟେ ଇସ୍ରାଏଲରେ ଏହି ସଂଖ୍ୟା ପ୍ରାୟ ୩୦ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.