ପ୍ରଥମ ଟାଇଟଲ ଆଶାରେ ପଞ୍ଜାବ-ବେଙ୍ଗାଲୁରୁ, ଟ୍ରଫି ଦୌଡ଼ରେ ୧୮ ବର୍ଷ

Published By : Prameya-News7 Bureau | June 03, 2025 IST

ମୁମ୍ୱାଇ ୦୩/୦୬: ଆଜି ଆଇପିଏଲ ମହାମୁକାବିଲା । ଗୁଜରାଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଟାଇଟଲ୍ ପାଇଁ ଟକ୍କର ହେବ । ପଞ୍ଜାବ କିଙ୍ଗସ୍ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ହାଇଭୋଲ୍ଟେଜ୍ ଟି-୨୦ ମୁକାବିଲା ଦେଖିବେ କ୍ରିକେଟ୍ ପ୍ରେମୀ । ପ୍ରଥମ କରି ନୂଆ ଟିମକୁ ମିଳିବ ଆଇପିଏଲ ମୁକୁଟ । ଯିଏ ବି ଜିତିଲେ ହେବେ ନୂଆ ଚାମ୍ପିଅନ୍‌ । 

ଦୀର୍ଘ ୭୨ଦିନ ଓ  ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପରେ ଚଳିତ ଆଇପିଏଲ୍‌ ଏବେ ଅନ୍ତିମ ପର୍ଯ୍ୟାୟରେ । ଆଉ ମାତ୍ର କିଛି ଘଣ୍ଟା ପରେ ଆରମ୍ଭ ହେବ ଫାଇନାଲ୍‌ ମ୍ୟାଚ୍‌ । ପଞ୍ଜାବ  କିଙ୍ଗସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମୋଟେରା  (ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍‌)ରେ ଟ୍ରଫି ପାଇଁ ସାମ୍ନା ସାମ୍ନି  ହେବେ । ପୁଣି ଏକ ରୋମାଞ୍ଚକର ମୁକାବିଲା ସହ ନୂଆ  ବିଜେତାଙ୍କ ଆବିର୍ଭାବ ଘଟିବ । ଉଭୟ ଦଳ ପ୍ରଥମ ଟ୍ରଫି ସ୍ୱପ୍ନ ପୂରଣ ପାଇଁ ବ୍ୟାକୁଳ । ତେଣୁ ଆଜି ଏକ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ପଞ୍ଜାବ କିଙ୍ଗ୍‌ସ ୧୭ ବର୍ଷର ଆଇପିଏଲ୍‌ ଇତିହାସରେ ଦ୍ୱିତୀୟ ଥର ପାଇଁ ଫାଇନାଲ୍‌ରେ ପ୍ରବେଶ କରିଛି ।  ପୂର୍ବରୁ ଦଳ ୨୦୧୪ରେ ଫାଇନାଲ୍‌ ଖେଳି କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ୨୦୦୯,  ୨୦୧୧ ଓ ୨୦୧୬ ପରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଚତୁର୍ଥ ଥର ପାଇଁ ଫାଇନାଲ୍‌ ଖେଳିବାକୁ ଯାଉଛି । ଉଭୟ ଦଳ ପୂର୍ବରୁ କେବେ ଚାମ୍ପିଅନ୍‌ ହୋଇ ନାହାନ୍ତି । ଲିଗ୍‌ ଓ ପ୍ଲେ- ଅଫ୍‌ରେ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସର ପଲା ଭାରି ମନେ ହେଉଛି । କିନ୍ତୁ ପଞ୍ଜାବ କିଙ୍ଗ୍‌ସ  ପୂର୍ବ ପରାଜୟର ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତିବଦ୍ଧ । 

ଲିଗ୍‌ ଓ ପ୍ଲେ-ଅଫ୍‌ ଶେଷ ହେବା ପରେ ଆଉ  ଉଭୟ ଦଳର ପ୍ରଦର୍ଶନକୁ ନେଇ ଆଲୋଚନା କରିବାର  ଆବଶ୍ୟକତା ନାହିଁ । କେବଳ ଆଜିର ପ୍ରଦର୍ଶନ  ଉପରେ ସବୁ ନିର୍ଭର କରୁଛି । ରୟାଲ୍‌ ଚ୍ୟାଲେଞ୍ଜର୍ସ ଭଳି ପଞ୍ଜାବ କିଙ୍ଗ୍‌ସ ମଧ୍ୟ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଶେଷ  ପର୍ଯ୍ୟନ୍ତ ଦମ୍‌ଦାର ପ୍ରଦର୍ଶନ କରିଛି । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ପ୍ରଥମ କ୍ୱାଲିଫାୟର  ମୁକାବିଲାରେ ପଞ୍ଜାବ କିଙ୍ଗ୍‌ସକୁ ୮ୱିକେଟ୍‌ରେ  ହରାଇ ଫାଇନାଲ୍‌ରେ ପ୍ରବେଶ କରିଥିଲା । ପଞ୍ଜାବ କିଙ୍ଗ୍‌ସ ଦ୍ୱିତୀୟ କ୍ୱାଲିଫାୟରରେ ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସକୁ ୫ୱିକେଟ୍‌ରେ ହରାଇଥିଲା । ଉକ୍ତ ମ୍ୟାଚ୍‌ରେ ଶ୍ରେୟାସ ଆୟରଙ୍କ ମ୍ୟାଚ ବିଜୟୀ ଇନିଂସ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ସ୍ମରଣୀୟ ହୋଇ  ରହିବ । କିନ୍ତୁ ରୟାଲ୍‌ ଚ୍ୟାଲେଞ୍ଜର୍ସ ବିପକ୍ଷରେ  ଆୟରଙ୍କ ବ୍ୟାଟ୍‌ ଚୁପ୍‌ ରହୁଥିବା ପଞ୍ଜାବ କିଙ୍ଗ୍‌ସ  ପାଇଁ ଚିନ୍ତାର ବିଷୟ । ଇତି ମଧ୍ୟରେ ଉଭୟ ଦଳ  ୩ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି । ୩ଟି ଯାକ ମ୍ୟାଚରେ ଆୟର ଯଥାକ୍ରମେ ୭, ୬ ଓ ୨ ରନ  ସଂଗ୍ରହ କରିଛନ୍ତି । ଆଜି ଆୟରଙ୍କ ପ୍ରଦର୍ଶନ ଉପରେ ପଞ୍ଜାବ କିଙ୍ଗ୍‌ସର ଭାଗ୍ୟ ନିର୍ଭର କରିବ । 

ରୟାଲ୍‌ ଚ୍ୟାଲେଞ୍ଜର୍ସ ବେଶ୍‌ ସନ୍ତୁଳିତ ଓ ଶକ୍ତିଶାଳୀ । ବ୍ୟାଟିଂ ବିଭାଗ ଫର୍ମରେ ରହିଛି । ଜୋସ ହାଜେଲଉଡ୍‌ଙ୍କ ଉପସ୍ଥିତି ବୋଲିଂ ବିଭାଗକୁ ମଧ୍ୟ ସୁଦୃଢ଼ କରିଛି । ଏହି ତୁଳନାରେ ଦେଖିବାକୁ ଗଲେ ପଞ୍ଜାବ କିଙ୍ଗ୍‌ସର ବୋଲିଂ ବିଭାଗ ସାମାନ୍ୟ ଦୁର୍ବଳ । ମାର୍କୋ  ଜାନସେନ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ୍‌ ଖେଳିବା ପାଇଁ ଦଳ ଛାଡ଼ିବା ପରେ ପଞ୍ଜାବ କିଙ୍ଗ୍‌ସର ବୋଲିଂ  ବିଭାଗରେ ସେଭଳି ସନ୍ତୁଳନ ନାହିଁ । ତଥାପି ଆୟର ପେସ୍‌ ବୋଲରଙ୍କୁ ଚତୁରତାର ସହ ପ୍ରୟୋଗ କରୁଥିବା  ଦେଖିବାକୁ ମିଳିଛି । ଗତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ  ମ୍ୟାଚ୍‌ରେ ମାର୍କସ ଷ୍ଟଇନିସ୍‌ଙ୍କୁ ବୋଲିଂ କରାଇ ରୋହିତ  ଶର୍ମାଙ୍କୁ ଆଉଟ କରିବା ଏହାର ବଡ଼ ଉଦାହରଣ । 

ମୋଟେରାରେ ଆୟର ଓ ହାଜେଲଉଡଙ୍କ ମଧ୍ୟରେ ଜବରଦସ୍ତ ଲଢ଼େଇ ଦେଖିବାକୁ ମିଳିପାରେ । ଗତ ୩ଟି  ମ୍ୟାଚରେ ଆୟରଙ୍କୁ ହାଜେଲଉଡ୍‌ ୨ଥର ଆଉଟ୍‌ କରିଛନ୍ତି । ଆଜି ୟୁଝବେନ୍ଦ୍ର ଚହଲଙ୍କ ଉପରେ ନଜର  ରହିବ । ସେ ପୂର୍ବରୁ ୮ବର୍ଷ ଧରି ରୟାଲ୍‌ ଚ୍ୟାଲେଞ୍ଜର୍ସ ପକ୍ଷରୁ ଖେଳିଥିଲେ । ୨୦୧୬ରେ ସେ ରୟାଲ୍‌  ଚ୍ୟାଲେଞ୍ଜର୍ସ ପକ୍ଷରୁ ଫାଇନାଲ୍‌ ମଧ୍ୟ ଖେଳିଥିଲେ । 

ଏଥର ପଞ୍ଜାବ କିଙ୍ଗ୍‌ସ ପକ୍ଷରୁ ସେ ଖେଳିବେ ।  ତାଙ୍କ ବୋଲିଂ ପଞ୍ଜାବ କିଙ୍ଗ୍‌ସର ଭାଗ୍ୟ ବଦଳାଇ  ପାରିବ । ସେ ପୂର୍ବ ମ୍ୟାଚ୍‌ରେ ରୟାଲ୍‌ ଚ୍ୟାଲେଞ୍ଜର୍ସ  ବିପକ୍ଷରେ ୧୧ ରନ୍‌ରେ ୨ଟି ୱିକେଟ୍‌ ନେଇଥିଲେ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । କେବଳ ଟିମ୍‌ ଡେଭିଡଙ୍କ ଫିଟ୍‌ନେସ୍‌  ଉପରେ ସବୁ ନିର୍ଭର କରୁଛି । ସେ ଆଜି ଫିଟ୍‌  ଘୋଷିତ ହେଲେ ଏକାଦଶକୁ ଫେରିବେ ଓ ଲାଏମ ଲିଭିଙ୍ଗଷ୍ଟୋନ ଏକାଦଶରୁ ବାଦ ପଡ଼ିବେ। 

ଆଜି ସେଣ୍ଟର ପିଚରେ ଫାଇନାଲ୍‌ ମ୍ୟାଚ୍‌  ଖେଳାଯିବ । ଏହି ପିଚ୍‌ ଉଭୟ ନାଲି ଓ କଳାମାଟିର  ମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଏହି ପିଚ୍‌ରେ  ଗୁଜରାଟ ଟାଇଟନ୍ସ ଓ ପଞ୍ଜାବ କିଙ୍ଗସ ସାମ୍ନା ସାମ୍ନି  ହୋଇଥିଲେ । ଆୟର ଅପରାଜିତ ୯୭ ରନ୍‌ର ଇନିଂସ  ଖେଳିଥିଲେ ଓ ପଞ୍ଜାବ କିଙ୍ଗ୍‌ସ ଜିତିଥିଲା । ଏଠାରେ  ପ୍ରଥମେ ବ୍ୟାଟିଂ କରୁଥିବା ଦଳ ବିଜୟୀ ହେବାର ରେକର୍ଡ ରହିଥିଲେ ହେଁ ଆଜି ଟସ ବିଜୟୀ  ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।  ଅପରାହ୍ଣରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି ।  ମାତ୍ର ଏହା ମ୍ୟାଚ୍‌ ଅଟକାଇବ ନାହିଁ । ଫାଇନାଲ୍‌ ଏକ  ରିଜର୍ଭ ଦିବସ ରଖାଯାଇଛି ।


  • IPL 2025
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.