ମୁମ୍ବାଇ ୦୧।୦୬ : ଆଇପିଏଲ୍ରେ ରବିବାର ଖେଳାଯିବ ଦ୍ୱିତୀୟ କ୍ୱାଲିଫାୟର ମୁକାବିଲା । ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗ୍ସ ଟିମ୍ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ସାମ୍ନାସାମ୍ନି ହେବେ। ବିଜୟୀ ଦଳ ମଙ୍ଗଳବାର ଦିନ ଫାଇନାଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଉଭୟ ଦଳ ପାଇଁ ଏହା ସେମି ଫାଇନାଲ୍। ତେଣୁ ଆଜି ଏକ କଡ଼ା ଟକ୍କରର ମ୍ୟାଚ୍ ଦେଖିବାକୁ ମିଳିବ ।
ସପ୍ତାହକ ମଧ୍ୟରେ ଉଭୟ ଦଳ ଦ୍ୱିତୀୟ ଥର ପାଇଁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ଗତ ୨୬ ତାରିଖରେ ଲିଗ୍ ମୁକାବିଲାରେ ପଞ୍ଜାବ କିଙ୍ଗ୍ସ ୭ ୱିକେଟ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିଥିଲା । ପରେ ପ୍ରଥମ କ୍ୱାଲିଫାୟର ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସଠୁ ହାରିଥିଲା । ମୁମ୍ବାଇ ଇଣ୍ଡିଆନ୍ସ ଏଲିମିନେଟର ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ହରାଇ ଦ୍ୱିତୀୟ କ୍ୱାଲିଫାୟରକୁ ଯୋଗ୍ୟତା ଅର୍ଜନ କରିଥିଲା ।
ଏଣିକି ମୁମ୍ବାଇ ଇଣ୍ଡିଆନ୍ସକୁ ଅଟକାଇବା କଷ୍ଟକର ହେବ । କାରଣ ୧୭ ବର୍ଷ ମଧ୍ୟରେ ମୁମ୍ବାଇ ୬ଥର ଫାଇନାଲ୍ ଖେଳି ସାରିଛି ଓ ଏଥି ମଧ୍ୟରୁ ୫ଥର ଚାମ୍ପିଅନ୍ ହୋଇଛି । ପଞ୍ଜାବ କିଙ୍ଗସ କେବଳ ୨୦୧୪ରେ ଫାଇନାଲ୍ ଖେଳିଥିଲା ଓ କୋଲକାତା ନାଇଟ ରାଇଡର୍ସ ଠାରୁ ପରାଜିତ ହୋଇଥିଲା । ଏଥର ଚାମ୍ପିଅନ୍ ହେବା ଭଳି କ୍ଷମତା ପଞ୍ଜାବ କିଙ୍ଗ୍ସ ନିକଟରେ ରହିଛି । ୧୧ବର୍ଷ ପରେ ଶ୍ରେୟସ ଆୟର ପଞ୍ଜାବ କିଙ୍ଗ୍ସକୁ ପ୍ଲେ-ଅଫ୍ରେ ପହଞ୍ଚାଇଛନ୍ତି । ତାଙ୍କ ବଳିଷ୍ଠ ନେତୃତ୍ୱ ଶୈଳୀକୁ ରୋହିତ ଶର୍ମାଙ୍କ ସହ ତୁଳନା କରାଯାଉଛି । ରୋହିତଙ୍କ ନେତୃତ୍ୱରେ ହିଁ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଚାମ୍ପିଅନ୍ ହୋଇଛି । ଆୟରଙ୍କ ବ୍ୟାଟିଂ ଉପରେ ମଧ୍ୟ ଦଳର ଭାଗ୍ୟ ନିର୍ଭର କରିବ । ସେ ନିଜ ଘରୋଇ ଗ୍ରାଉଣ୍ଡ (ମୁଲନପୁର)ରେ ଏଥର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ହେଲେ ଅନ୍ୟ ସବୁ ଗ୍ରାଉଣ୍ଡ୍ରେ ରାଜୁତି କରିଛନ୍ତି ।
ନରେନ୍ଦ୍ର ମୋଦି ଷ୍ଟାଡ଼ିୟମ୍ରେ ମ୍ୟାଚ୍ ଖେଳାଯାଉଥିବାରୁ ଆୟରଙ୍କ ବ୍ୟାଟ୍ରୁ ବଡ଼ ଇନିଂସ ବାହାରିବା ଆଶା କରାଯାଉଛି । ଏହି ଗ୍ରାଉଣ୍ଡ୍ରେ ଗୁଜରାଟ ଟାଇଟନ୍ସ ବିପକ୍ଷରେ ବିଜୟ ସହ ପଞ୍ଜାବ କିଙ୍ଗ୍ସ ଅଭିଯାନ ଆରମ୍ଭ କରିଥିଲା । ଆୟର ଅପରାଜିତ ୯୭ ରନ୍ର ଇନିଂସ ଖେଳିଥିଲେ। ଆଜି ଉଭୟ ଦଳରେ ପରିବର୍ତ୍ତନ ହୋଇପାରେ ।
ସମ୍ଭାବ୍ୟ ଦ୍ୱାଦଶ
ମୁମ୍ବାଇ ଇଣ୍ଡିଆନ୍ସ: ଜନି ବେୟାରଷ୍ଟୋ, ରୋହିତ ଶର୍ମା, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ଚରିଥ ଆଶାଲଙ୍କା/ବେଭନ ଜାକବ୍ସ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ନମନ ଧିର, ମିଚେଲ ସାଣ୍ଟନର, ଟ୍ରେଣ୍ଟ ବୋଲ୍ଟ, ଯଶପ୍ରୀତ ବୁମରା, ରାଜ ଅଙ୍ଗଦ ବାୱା, କରଣ ଶର୍ମା ।
ପଞ୍ଜାବ କିଙ୍ଗ୍ସ: ପ୍ରଭସିମରନ ସିଂହ, ପ୍ରିୟାଂଶ ଆର୍ଯ୍ୟ, ଜୋସ ଇଂଲିଶ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ ୱଧେରା, ଶଶାଙ୍କ ସିଂହ, ମାର୍କସ ଷ୍ଟଇନିସ, ଅଜମତୁଲ୍ଲା ଓମାରଜାଇ, ହରପ୍ରୀତ ବ୍ରାର, କେଲି ଜାମିସନ, ୟୁଝବେନ୍ଦ୍ର ଚହଲ, ବିଜୟ କୁମାର ବୈଶାଖ ।