ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ ନେଇ ଘୋର ଚିନ୍ତା ପ୍ରକଟ କରିଛନ୍ତି ଜାତିସଂଘର ସର୍ବୋଚ୍ଚ ନ୍ୟାୟାଳୟ। ଏନେଇ ସେ ବିଭିନ୍ନ ଦେଶକୁ ଚେତାବନୀ ଦେଇଛନ୍ତି। ଅନ୍ତର୍ଜାତୀୟ ନ୍ୟାୟାଳୟ (ଆଇସିଜେ) ବୁଧବାର ଏକ ରାୟ ଦେଇ କହିଛନ୍ତି ଯେ ଯଦି ଦେଶଗୁଡ଼ିକ ଜଳବାୟୁ ପରିବର୍ତ୍ତନରୁ ପୃଥିବୀକୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ନେବାରେ ବିଫଳ ହୁଅନ୍ତି, ତେବେ ସେମାନେ ଅନ୍ତର୍ଜାତୀୟ ଆଇନର ଉଲ୍ଲଂଘନ କରୁଛନ୍ତି ବୋଲି କୁହାଯାଇପାରିବ।
ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ରାଷ୍ଟ୍ରଗୁଡ଼ିକର ଦାୟିତ୍ୱ ଏବଂ ଯଦି ସେମାନେ ଦାୟିତ୍ୱ ପାଳନ ନ କରନ୍ତି ତେବେ କେଉଁ ପରିଣତି ସାମ୍ନା କରିବାକୁ ପଡ଼ିବ ସେ ନେଇ ଏକ ଐତିହାସିକ ମାମଲାରେ ପରାମର୍ଶ ଦେଉଥିଲେ ଆଇସିଜେ। ଏହାକୁ ମାନବତା ପାଇଁ ଏକ ଜରୁରୀ ଏବଂ ଅସ୍ତିତ୍ୱଗତ ବିପଦ ବୋଲି କହିଥିଲେ କୋର୍ଟ। ଜଳବାୟୁ ପ୍ରଣାଳୀକୁ ସୁରକ୍ଷା ଦେବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାରେ କୌଣସି ରାଷ୍ଟ୍ରର ବିଫଳତା ଏକ ଆନ୍ତର୍ଜାତୀୟ ସ୍ତରରେ ଭୁଲ କାର୍ଯ୍ୟ ହୋଇପାରେ ବୋଲି କୋର୍ଟର ଅଧ୍ୟକ୍ଷ ୟୁଜି ଇୱାସାୱା ଶୁଣାଣି ସମୟରେ କହିଥିଲେ। ୫୦୦ରୁ ଅଧିକ ପୃଷ୍ଠା ସମ୍ଭଳିତ କୋର୍ଟଙ୍କର ଏହି ମତ ଅନ୍ତର୍ଜାତୀୟ ଜଳବାୟୁ ଆଇନର ଏକ ସମ୍ଭାବ୍ୟ ପରିବର୍ତ୍ତନ ରୂପେ ଦେଖାଯାଉଛି।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ "ସ୍ୱଚ୍ଛ, ସୁସ୍ଥ ଏବଂ ସ୍ଥାୟୀ ପରିବେଶ" ଏକ ମାନବାଧିକାର। ଏକ ସ୍ଥାୟୀ ପରିବେଶକୁ ମାନବାଧିକାର ଭାବରେ ଅନ୍ତର୍ଭୁକ୍ତ କରିବା ଦ୍ଵାରା ଅନ୍ୟାନ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଥ ପ୍ରଶସ୍ତ ହୁଏ।
ସୂଚନା ଥାଉକି ଅନ୍ତର୍ଜାତୀୟ କୋର୍ଟରେ ଏହି ମାମଲା ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ ରାଷ୍ଟ୍ର ଭାନୁଆଟୁ ଦ୍ୱାରା ପରିଚାଳିତ ହୋଇଥିବା ଏବଂ ୧୩୦ ରୁ ଅଧିକ ଦେଶ ସମର୍ଥନ କରିଥିଲେ। ଆମେରିକା ଏବଂ ଚୀନ୍ ଭଳି ପ୍ରମୁଖ ଗ୍ରୀନହାଉସ୍ ଗ୍ୟାସ ନିର୍ଗମନକାରୀ ଦେଶଗୁଡ଼ିକ ସମେତ ସମସ୍ତ ଜାତିସଂଘ ସଦସ୍ୟ ରାଷ୍ଟ୍ର କୋର୍ଟର ପକ୍ଷ ରହିଛନ୍ତି। କୋର୍ଟ ବାହାରେ, ଜଳବାୟୁ କର୍ମୀମାନେ ଏକ ବ୍ୟାନର ଧରି ଏକାଠି ହୋଇଥିଲେ, ଯେଉଁଥିରେ ଲେଖାଥିଲା: "ଅଦାଲତ କହିସାରିଛନ୍ତି। ଆଇନ ସ୍ପଷ୍ଟ। ଦେଶଗୁଡ଼ିକୁ ଏବେ ପଦକ୍ଷେପ ନେବାକୁ ପଡିବ।"
ସୂଚନା ଥାଉକି, ସମୁଦ୍ର ଜଳସ୍ତର ବୃଦ୍ଧି ହେଉଥିବା ବେଳେ ଦୁର୍ବଳ ଦ୍ୱୀପ ରାଷ୍ଟ୍ରଗୁଡ଼ିକ ଜଳରାଶି ବୁଡ଼ିଯିବା ଆଶଙ୍କା କରି ଏନେଇ ଶୁଣାଣି କରିବାକୁ ବର୍ଷ ବର୍ଷ ଧରି ଲବି କରିଥିଲେ। ଏହାପରେ ଜାତିସଂଘ ସାଧାରଣ ପରିଷଦ ୨୦୨୩ ମସିହାରେ ଆଇସିଜେକୁ ଏକ ପରାମର୍ଶ ମାଗିଥିଲା। ୧୫ ଜଣ ବିଚାରପତିଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ୫୦୦ରୁ ଅଧିକ ପୃଷ୍ଠା ସମ୍ବଳିତ ଏକ ପରାମର୍ଶ ଜାରି କରିଛନ୍ତି।