କାଲିମେଳା ୧୭।୪: ଆନ୍ତଃରାଜ୍ୟ ଗଞ୍ଜେଇ ଚାଷୀଙ୍କୁ ଗିରଫ କଲା ପୋଲିସ । କୁର୍ମାନୁର ଗ୍ରାମ ପଂଚାୟତର ଗୁରାଲୁର ଗାଁର ଘଞ୍ଚ ଜଙ୍ଗଲ ପାହାଡିଆ ଅଞ୍ଚଳରେ ପ୍ରାୟ ଚାରି ଏକର ଜାଗାରେ ଦୁଇ ତିନି ବର୍ଷ ଧରି ଗଞ୍ଜେଇ ଚାଷ କରାଯାଇଥିବା ୭୨୦୦ ଗୋଟି ଗଞ୍ଜେଇ ଗଛକାଟି ନିଆଁ ଲଗାଇ ଦିଆଯାଇଛି । ବିଶେଷ ସୂତ୍ରରୁ ଖବର ପାଇ କାଲିମେଳା ପୋଲିସର ଗୋଟିଏ ଟିମ୍ ମାଲକାନଗିରି SDPO ସଚିନ ପଟେଲ ଓ ଜଣେ ଏକ୍ସଜ୍ୟୁକିଟିଭ୍ ମାଜିଷ୍ଟ୍ରେଟ୍ଙ୍କୁ ସାଥିରେ ନେଇ ଚଢାଉ କରିଥିଲା । ଏ ନେଇ କାଲିମେଳା ପୋଲିସ ଥାନାରେ କେସ୍ ନମ୍ବର ୪୨/୨୦୨୪ ତାରିଖ ୨୮/୦୧/୨୦୨୪ରେ ଏକ ମାମଲା ରୁଜୁ କରାଯାଇଥିଲା ।
ତଦନ୍ତରୁ କାଲିମେଳା ପୋଲିସ ଜାଣିବାକୁ ପାଇଲେ ଯେ, କାଲିମେଳା ଥାନା ଅନ୍ତର୍ଗତ ଏମ୍ଭି ୯୦ ଗାଁର ଅସିତ ମଣ୍ଡଳ ସହିତ ମିଶି କର୍ଣ୍ଣାଟକ ମହିଶୂର ଅଞ୍ଚଳର ଅଥଗୁର ଥାନା ଅଧୀନ ସ୍ବର୍ଗତ ସଦାଶିବଙ୍କ ପୁଅ ଲୋହିତ ଅଥଗୁର ସଦାଶିବଙ୍କ ସହିତ ପାର୍ଟନର କରି ଏହି ଅଞ୍ଚଳରେ ଗଞ୍ଜେଇ ଚାଷ କରୁଥିଲେ । ଚାଷ ପାଇଁ ଯେତେ ଟଙ୍କା ଦରକାର ପଡୁଥିଲା ଲୋହିତ ଅଥଗୁର ସଦାଶିବ କର୍ଣ୍ଣାଟକ ମହିଶୂରରେ ରହି ଖର୍ଚ୍ଚ କରୁଥିଲେ । ଯେଉଁଥିପାଇଁ ସେ ଅନଲାଇନ୍ରେ ଗଞ୍ଜେଇ ମଞ୍ଜି ମଗାଇ ହାଇ ଟେକ୍ନୋଲୋଜିରେ ପାହାଡ଼ ଭିତରେ ଏହି ଚାଷ କରୁଥିଲେ । ଏ ସବୁ ଗଞ୍ଜେଇକୁ କର୍ଣ୍ଣାଟକ ମହିଶୂର ଅଞ୍ଚଳରେ ଓ ତେଲେଙ୍ଗାନା ରାଜ୍ୟର ହାଇଦ୍ରାବାଦ ଅଞ୍ଚଳକୁ ଚୋରା ଚାଲାଣ କରୁଥିଲେ ।
ଏ ନେଇ ମାଲକାନଗିରି ଜିଲ୍ଲାର ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଗୋଟିଏ ଟିମ ଗଠନ କରାଯାଇ କର୍ଣ୍ଣାଟକ ମହିଶୂରକୁ ଯାଇ ଲୋହିତ ଅଥଗୁର ସଦାଶିବକୁ ଗିରଫ କରି କୋର୍ଟ ଚାଲାଣ କରିଛି କାଲିମେଳା ଥାନା ପୋଲିସ । ସେ ଜଣେ ଆଇଟିଆନ୍ ଭାବେ ମହିଶୂର ଓ୍ବିପ୍ରୋରେ କାମ କରନ୍ତି ବୋଲି ଜଣାପଡିଛି । ଆଜି ପର୍ଯ୍ୟନ୍ତ ଏ ଅଞ୍ଚଳରେ ଗଞ୍ଜେଇ ଜବତ କରିବା ସହିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଗଞ୍ଜେଇ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଆସୁଥିଲେ ଜିଲ୍ଲାର ପୋଲିସ ପ୍ରଶାସନ । କିନ୍ତୁ ପ୍ରଥମ ଥର କରି ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ଚାଷୀକୁ କାଲିମେଳା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।
You Can Read :
ଭୁବନେଶ୍ୱର ବିମାନ ବନ୍ଦରରେ ରହସ୍ୟମୟ ଟ୍ରଙ୍କ୍, ଭିତରେ ବିପୁଳ ପରିମାଣର ସୁନା