ନୂଆଦିଲ୍ଲୀ: ବଡ଼ଧରଣର ଛଟେଇ କରିବ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀ ଇଣ୍ଟେଲ୍। କମ୍ପାନୀ ଚଳିତ ବର୍ଷ ନିଜ ଶ୍ରମ ବଳର ଏକ ଚତୁର୍ଥାଂଶ ଅର୍ଥାତ ୨୪,୦୦୦ ରୁ ଅଧିକ କର୍ମଚାରୀ (୩୨.୬୬%) ଛଟେଇ କରିବ। ନୂଆ ସିଇଓ ଲିପ୍-ବୁ ତାନଙ୍କ ନେତୃତ୍ୱରେ ଖର୍ଚ୍ଚ କାଟ ଏବଂ ରିଷ୍ଟ୍ରକ୍ଚର ପାଇଁ କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛି ବୋଲି ସୂଚନା ମିଳିଛି। ଏଥିସହିତ ଇଣ୍ଟେଲ୍, ଜର୍ମାନୀ ଏବଂ ପୋଲାଣ୍ଡରେ ଏହାର ଗୁରୁତ୍ୱପୂର୍ଣ୍ଣ ସମ୍ପ୍ରସାରଣ ପ୍ରକଳ୍ପଗୁଡ଼ିକୁ ମଧ୍ୟ ବାତିଲ କରିଛି।
କାରଣ କମ୍ପାନୀ ଏହାର ଆର୍ଥିକ ସ୍ଥିତିକୁ ଉନ୍ନତ କରିବାକୁ ଏବଂ ବଜାରରେ ପ୍ରତିଯୋଗିତାକୁ ସୁଦୃଢ଼ କରିବାକୁ ଚେଷ୍ଟା କରୁଥିବାରୁ ଦେଖି ରଖି ପଦକ୍ଷେପ ନେଇଛି। ୨୦୨୪ ଶେଷ ସୁଦ୍ଧା, ଇଣ୍ଟେଲର ମୋଟ କର୍ମଚାରୀ ସଂଖ୍ୟା ୯୯,୫୦୦ ଥିଲା। ଛଟେଇ ପରେ, ୨୦୨୫ ଶେଷ ସୁଦ୍ଧା ଏହି ସଂଖ୍ୟା ୭୫,୦୦୦କୁ ହ୍ରାସ ପାଇବ।
କର୍ମଚାରୀମାନଙ୍କୁ ଲେଖିଥିବା ଏକ ଚିଠିରେ, ସିଇଓ ତାନ୍ କମ୍ପାନୀର ନିଷ୍ପତ୍ତିକୁ ଏକ କଠିନ ଏବଂ ଆବଶ୍ୟକୀୟ ନିଷ୍ପତ୍ତି ବୋଲି ବର୍ଣ୍ଣନା କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ତ୍ରୈମାସିକରେ, କମ୍ପାନୀ ପରିଚାଳନା ସ୍ତରକୁ ଅଧା କରିସାରିଛି। ଏହାର ପୁନର୍ଗଠନ ପାଇଁ ଖର୍ଚ୍ଚ ୧.୯ ବିଲିୟନ ଅର୍ଥାତ୍ ୧୬,୪୫୦ କୋଟି ଟଙ୍କା ଖର୍ଚ୍ଚ ରେକର୍ଡ କରାଯାଇଛି।
ଇଣ୍ଟେଲ୍ ଜର୍ମାନୀରେ ୩,୦୦୦ କର୍ମଚାରୀଙ୍କ ପାଇଁ ପ୍ରସ୍ତାବିତ ମେଗା-ଫ୍ୟାବ୍ ଏବଂ ପୋଲାଣ୍ଡରେ ୨,୦୦୦ କର୍ମଚାରୀଙ୍କ ପାଇଁ ଏକ ଆସେମ୍ବଲି ଏବଂ ପରୀକ୍ଷଣ ସୁବିଧାକୁ ବାତିଲ କରିଛି। ଏହି ପ୍ରକଳ୍ପଗୁଡ଼ିକୁ ପୂର୍ବରୁ ଦୁଇ ବର୍ଷ ପାଇଁ ୨୦୨୪ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଏଥିସହିତ କମ୍ପାନୀ ଏହାର ଆସେମ୍ବଲି ଏବଂ ପରୀକ୍ଷଣ ସୁବିଧାଗୁଡ଼ିକୁ ଭିଏତନାମ ଏବଂ ମାଲେସିଆକୁ ସ୍ଥାନାନ୍ତର କରୁଥିବାରୁ, କୋଷ୍ଟାରିକାରେ ଥିବା ଇଣ୍ଟେଲର ୩,୪୦୦ କର୍ମଚାରୀଙ୍କ ମଧ୍ୟରୁ ୨୦୦୦ ରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ।