ଇଣ୍ଡିଗୋ ଏୟାରଲାଇନ୍ସର ଆଉ ଏକ ବଡ଼ ଡିଲ୍, ଏୟାର ଇଣ୍ଡିଆକୁ ଦେବ ଟକ୍କର

Published By : Prameya-News7 Bureau | June 01, 2025 IST

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ଟକ୍କର ଦେବା ପାଇଁ ଇଣ୍ଡିଗୋର ବଡ଼ ଯୋଜନା। କମ୍ପାନି ପୁଣି ନୂଆ ବିମାନ କିଣିବାକୁ ଅର୍ଡର ଦେଇଛି। ରବିବାର କମ୍ପାନି ଆଉ ୩୦ ବଡ଼ ଆକାରର ଏୟାରବସ୍‌କୁ ଏ୩୫୦ ବିମାନ ପାଇଁ ଅର୍ଡର ଦେଇଛି। ଆଉ ଏହି ବିମାନ ସହ ଇଣ୍ଡିଗୋ ନିଜର ସ୍ଥିତିକୁ ଆହୁରି ମଜଭୁତ କରିବାକୁ ଯୋଜନା କରୁଛି। କମ୍ପାନି ଗତ ବର୍ଷ ମଧ୍ୟ ଏଭଳି ୩୦ ବିମାନ କିଣିବା ପାଇଁ ଅର୍ଡର ଦେଇସାରିଛି। ଆଉ ଯଦି ସବୁ ଅର୍ଡରକୁ ହିସାବ କରାଯାଏ, ତେବେ ଇଣ୍ଡିଗୋ ସମୁଦାୟ ୬୦ଟି ଏୟାରବସ୍‌ ଏ୩୫୦ ବିମାନ କିଣିବାକୁ ଅର୍ଡର ଦେଇଛି।

ତେବେ ରବିବାର ହୋଇଥିବା ଡିଲର ଦାମ ୪ରୁ ୫ ବିଲିୟନ ଡଲାର ହେବା ନେଇ କୁହାଯାଉଥିବାବେଳେ, ଏହାର ଡେଲିଭରି ୨୦୨୭ରୁ ଆରମ୍ଭ ହେବ। ଏନେଇ ଇଣ୍ଡିଗୋ ସିଇଓ ପିଟର ଆଲଭର୍ସ ଇଣ୍ଟରନାସନାଲ ଏୟାର ଟ୍ରାନ୍ସପୋର୍ଟ ଆଭିଏସନ ବା IATAର ବାର୍ଷିକ ବୈଠକରେ କହିଛନ୍ତି ଯେ, ଆମେ ଆଉ ୭୦ ଏ୩୫୦ କିଣିବା ଅପ୍ସନ ବାଛିଥିଲୁ। ଯେଉଁଥିରୁ ୩୦ ଅର୍ଡରକୁ ଚୂଡ଼ାନ୍ତ କରାଯାଇଛି।

ଇଣ୍ଡିଗୋ ପାଖରେ ୪୩୦ରୁ ଅଧିକ ବିମାନ ରହିଛି। ଏଥିରୁ କମ୍ପାନି ପାଖରେ କେବଳ ୩ଟି ବଡ଼ ଆକାରର ବିମାନ ରହିଛି। ଏଥିରେ ମଧ୍ୟ ଦୁଇଟି ତୁର୍କୀଏ କମ୍ପାନିରୁ ଲିଜରେ ନିଆଯାଇଛି।ମାର୍କେଟ ଶେୟାର ହିସାବରେ ଇଣ୍ଡିଗୋ ଦେଶର ସବୁଠୁ ବଡ଼  ଏୟାରଲାଇନ। ଭାରତୀୟ ଏୟାରଲାଇନ ମାର୍କେଟରେ କମ୍ପାନିର ଶେୟାର ପ୍ରାୟ ୬୪% ରହିଛି। ଏହା ପ୍ରତିଦିନ ୨୦୦୦ରୁ ଅଧିକ ବିମାନ ଅପରେଟ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.