ନୂଆଦିଲ୍ଲୀ ୨୫।୬: ଭାରତ ବିରୋଧରେ ଯିବା ତୁର୍କି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଭାରତୀୟ ପର୍ଯ୍ୟଟକଙ୍କ ଅସନ୍ତୋଷ ଓ ସୋସିଆଲ ମିଡିଆରେ ତୁର୍କି ବହିଷ୍କାର ଟ୍ରେଣ୍ଡ କରିବା ଯୋଗୁ ତୁର୍କି ପର୍ଯ୍ୟଟନ ଉଦ୍ୟୋଗକୁ ଶକ୍ତ ଝଟକା ଲାଗିଛି। ରିପୋର୍ଟ ଅନୁସାରେ ମେ ୨୦୨୫ରେ ତୁର୍କି ଭ୍ରମଣରେ ଯାଉଥିବା ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ୨୪% ହ୍ରାସ ହୋଇଛି ଓଏହା ମାତ୍ର ମାସକରେ ହିଁ ହୋଇଛି।
ଅପରେସନ ସିନ୍ଦୂର କାଳରେ ଭାରତ ବିରୋଧରେ ତୁର୍କିର ବୟାନ ଓ ପାକିସ୍ତାନକୁ ସାମରିକ ଏବଂ କୂଟନୈତିକ ସହଯୋଗ ଭାରତୀୟଙ୍କୁ ବ୍ୟଥିତ କରିଛି। ଏହା ପରେ ଭାରତୀୟ ସୋସିଆଲ ମିଡିଆରେ ‘ବୟକଟ୍ ତୁର୍କି’ ଟ୍ରେଣ୍ଡିଂ କରାଇଥିଲେ, ଯାହାର ସିଧା ପ୍ରଭାବ ତୁର୍କି ଟୁରିଜିମ କ୍ଷେତ୍ର ଉପରେ ପଡିଛି। ଭାରତରୁ ପ୍ରତିବର୍ଷ ଲକ୍ଷଲକ୍ଷ ପର୍ଯ୍ୟଟକ ତୁର୍କି ଯାତ୍ରା କରିଥାନ୍ତି। ଇସ୍ତାନାବୁଲ, କପ୍ପାଡୋକିୟା ଓ ଏଣ୍ଟାଲ୍ୟା ଭଳି ଡେଷ୍ଟିନେସନରେ ଭାରତୀୟଙ୍କ ମଧ୍ୟରେ ବେଶ୍ ଲୋକପ୍ରିୟ।
ତେବେ ତୁର୍କି ଯେବେଠାରୁ ଭାରତ ବିରୋଧରେ କୂଟନୈତିକ ପକ୍ଷ ନେଇଛି ସେବେଠାରୁ ଭାରତୀୟ ଟ୍ରାଭେଲ ଏଜେନ୍ସୀ ଓ ଟୁର ଅପରେଟର୍ସ ତୁର୍କି ଟୁର ପ୍ୟାକେଜ ବିକ୍ରି କାଟ କରିଛନ୍ତି। ଫଳରେ ମେ ମାସରେ ଅଚାନକ ତୁର୍କି ପର୍ଯ୍ୟଟକଙ୍କ ସଂଖ୍ୟାରେ ୨୪% ହ୍ରାସ ହୋଇଛି। ଏହା ତୁର୍କି ପାଇଁ ଏକ ବଡ଼ ଚେତାବନୀ ସାବ୍ୟସ୍ତ ହୋଇଛି। ତେବେ ତୁର୍କିକୁ ଆସୁଥିବା ଅନ୍ୟ ଦେଶର ପର୍ଯ୍ୟଟକଙ୍କ ସ୍ୱଭାବିକ ରହିଛି ଅଥବା ସାମାନ୍ୟ ବଢିଛି। ହେଲେ ଭାରତୀୟ ପର୍ଯ୍ୟଟକ ସଂଖ୍ୟାରେ ଦ୍ରୁତ ହ୍ରାସ ହୋଇଛି।
ଭାରତୀୟ ପର୍ଯ୍ୟଟକଙ୍କ ସଂଖ୍ୟା ଏପରି ହ୍ରାସ ବୟକଟ ଅଭିଯାନର ପ୍ରଭାବ ବୋଲି ସ୍ପଷ୍ଟ ହୋଇଯାଇଛି। ତୁର୍କି ଲାଗି ଭାରତ ଏକ ନୂଆ ଟୁରିଜିମ ମାର୍କେଟରେ ପରିଣତ ହୋଇଥିଲା। କେବଳ ଭାରତୀୟ ବହୁ ସଂଖ୍ୟାରେ ତୁର୍କି ଯାଉନଥିଲେ ସେମାନେ ସେଠାକାର ବିଳାଶମୟ ହୋଟେଲ, ସପିଙ୍ଗ ଓ ଲୋକାଲ ଗାଇଡଙ୍କ ଉପରେ ମଧ୍ୟ ବିପୁଳ ବ୍ୟୟ କରୁଥିଲେ। ଫଳରେ ତୁର୍କିର ସ୍ଥାନୀୟ ଅର୍ଥନୀତିକୁ ବେଶ ପୋଷଣ ମିଳୁଥିଲା।
ଏବେ ଭାରତୀୟ ତୁର୍କିରୁ ଦୂରେଇଯାଇଥିବା ବେଳେ ଏହି ଆର୍ଥିକ କ୍ଷତି ବିଲିୟନରେ ଆକଳନ କରାଯାଉଛି। ଟ୍ରାଭେଲ ଇଣ୍ଡଷ୍ଟ୍ରି ଏକ୍ସପର୍ଟଙ୍କ ଅନୁସାରେ ତୁର୍କି ଯଦି ତା ନୀତିରେ ପରିବର୍ତ୍ତନ ନ କରେ ଏହି ହ୍ରାସ ଆହୁରି ଅଧିକ ହୋଇପାରେ। ବିଶ୍ୱର ସବୁଠୁ ବଡ଼ଟ୍ରାଭେଲ ମାର୍କେଟ ମଧ୍ୟରେ ଭାରତ ଅନ୍ୟତମ। ଏଥିରେ ଭାରତରୁ ନେଗେଟିଭ୍ ସିଗ୍ନାଲ ମିଳିବା ଆରମ୍ଭ ହେବା ପରେ ଏହାର ପ୍ରଭାବ କେବଳ ପର୍ଯ୍ୟଟନ ମଧ୍ୟରେ ଏବେ ସୀମିତ ନାହିଁ ବିଜନେସ, ଡିପ୍ଲୋମାସୀ ଓ ଇନଭେଷ୍ଟମେଣ୍ଟକୁ ମଧ୍ୟ ପ୍ରଭାବିତ କରିବ। ଭାରତ ପ୍ରତି ବଇରି ଭାବ ରଖିବା ଏବେ ତୁର୍କି ଲାଗି ଆର୍ଥିକ କ୍ଷତିରେ ପରିଣତ ହୋଇଛି।