ଭାରତରେ ପ୍ରଥମ ଥର ଇ-କାର ବିକ୍ରି ୪% ଟପିଲା, ମେ’ରେ ବିକ୍ରି ହୋଇଛି ୧୨,୩୦୪ ଇଲେକ୍ଟ୍ରିକ୍ କାର

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ: ଭାରତରେ ଇଲେକ୍ଟ୍ରିକ୍ କାର ପାଇଁ ଚାହିଦା ଧୀରେ ଧୀରେ ବଢିବାରେ ଲାଗିଛି । ୨୦୨୫ ମେ'ରେ ଇଲେକ୍ଟ୍ରିକ୍ ପାସେଞ୍ଜର ଗାଡ଼ିର ରେକର୍ଡ ବିକ୍ରି ହୋଇଛି । FADA (ଫେଡରେସନ ଅଫ୍ ଅଟୋମୋବାଇଲ୍ ଡିଲର୍ସ ଆସୋସିଏସନ) ଦ୍ୱାରା ଜାରି ଡାଟା ଅନୁସାରେ, ଚଳିତ ବର୍ଷ ମେ’ରେ ଇଭି ରିଟେଲ୍ ବିକ୍ରିର ମୋଟ କାର ବିକ୍ରିର ୪ ପ୍ରତିଶତରୁ ଅଧିକ ରହିଛି ।

୨୦୨୫ ମେ'ରେ ସାରା ଦେଶରେ ୧୨,୩୦୪ ଇଲେକ୍ଟ୍ରିକ୍ କାରର ରିଲେଟ୍ ବିକ୍ରି ହୋଇଛି, ଯାହା ଗତ ବର୍ଷ ସମାନ ଅବିଧିର ୮୦୨୯ ତୁଳନାରେ ପ୍ରାୟ ୫୩ ପ୍ରତିଶତ ଅଧିକ । ୨୦୨୫ ଏପ୍ରିଲ୍‌ରେ ଏହି ସଂଖ୍ୟା ୧୨,୨୩୩ ୟୁନିଟ୍ ଥିଲା । ଗତ ବର୍ଷ ସମାନ ଅବଧିରେ ଇଭି ବିକ୍ରି ୨.୬ ପ୍ରତିଶତ ଥିଲା, ଅନ୍ୟପଟେ ଏପ୍ରିଲ୍ ୨୦୨୫ରେ ଏହା ୩.୫ ପ୍ରତିଶତ ଥିଲା । ଅର୍ଥାତ୍ ପ୍ରତି ମାସରେ ଇକେକ୍ଟ୍ରିକ୍ କାରର ଲୋକପ୍ରିୟତା ବଢୁଛି । ଏହା କେବଳ କାର ବଜାରରେ ପରିବର୍ତ୍ତନର ସଂକେତ ନୁହେଁ, ବରଂ ଗ୍ରାହକ ମଧ୍ୟ ପେଟ୍ରୋଲ-ଡିଜେଲ୍ ଗାଡ଼ି ତୁଳନାରେ ଇଭିକୁ ପ୍ରାଥମିକତା ଦେଉଛନ୍ତି ।

ଇଭି ଗାଡ଼ି ବିକ୍ରିରେ ବୃଦ୍ଧି ରେକର୍ଡ ହୋଇଥିବା ବେଳେ, ପାସେଞ୍ଜର ଗାଡ଼ି ସେଗମେଣ୍ଟରେ ମୋଟ ବିକ୍ରିରେ ହ୍ରାସ ଦେଖିବାକୁ ମିଳିଛି । FADA ଏହା ବି କହିଛି ଯେ ଇଭି ସେକ୍ଟରରେ ଭବିଷ୍ୟତରେ କିଛି ବଡ଼ ଆହ୍ୱାନ ଆସିପାରେ । କାର ବିକ୍ରିରେ ହ୍ରାସ ପାଇଥିବା ବେଳେ କିନ୍ତୁ ଟୁ-ହ୍ୱିଲର ସେଗମେଣ୍ଟରେ ଭଲ ବିକ୍ରି ଦେଖିବାକୁ ମିଳିଛି । ୨୦୨୫ ମେ’ରେ ୭.୩ ପ୍ରତିଶତ (YoY) ବୃଦ୍ଧି ରେକର୍ଡ କରାଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.