ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଏଜବାଷ୍ଟନରେ ଖେଳାଯାଉଛି । ଟିମ୍ ଇଣ୍ଡିଆ ଶୁଭମନ ଗିଲଙ୍କ ଦ୍ୱିଶତକ (୨୬୯) ବଳରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୫୮୭ ରନର ବିଶାଳ ସ୍କୋର କରିଥିଲା । ଏହାର ଦବାବରେ ଇଂଲଣ୍ଡ ୮୯.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୪୦୭ ରନ୍ କରିଛି । ଇଂଲଣ୍ଡ ପାଇଁ ଜେମି ସ୍ମିଥ୍ ଓ ହ୍ୟାରି ବ୍ରୁକ୍ ଶତକୀୟ ଇନିଂସ ଖେଳିଥିଲେ । ଭାରତ ପାଇଁ ମହମ୍ମଦ ସିରାଜ ୬ ଓ ଆକାଶ ଦୀପ ୪ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସ ଆଧାରରେ ଭାରତ ୧୮୦ ରନରେ ଅଗ୍ରଣୀ ରହିଛି ।
ତୃତୀୟ ଦିନର ଖେଳ ୭୭/୩ ସ୍କୋରରୁ ଆରମ୍ଭ କରିଥିବା ଇଂଲଣ୍ଡ ଆରମ୍ଭରେ ଦୁଇଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ମହମ୍ମଦ ସିରାଜ ଦିନର ଦ୍ୱିତୀୟ ଓଭରରେ ଇଂଲଣ୍ଡକୁ ଲଗାତାର ଦୁଇଟି ଝଟକା ଦେଇଥିଲେ । ପ୍ରଥମେ ଜୋ ରୁଟ୍ (୨୨)ଙ୍କୁ ପନ୍ତଙ୍କ ହାତରେ କ୍ୟାଚ୍ କରାଇଥିଲେ । ଏହାପରେ ଅଧିନାୟକ ବେନ୍ ଷ୍ଟୋକ୍ସଙ୍କୁ ମଧ୍ୟ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ । ସେ ଖାତା ମଧ୍ୟ ଖୋଲିପାରି ନଥିଲେ । ୮୪ ସ୍କୋରରେ ପାଞ୍ଚଟି ୱିକେଟ ହରାଇଥିବା ଇଂଲଣ୍ଡ ପାଇଁ ସଂକଟମୋଚକ ସାଜିଥିଲେ ହ୍ୟାରି ବ୍ରୁକ୍ ଏବଂ ଜେମି ସ୍ମିଥ୍ । ଉଭୟଙ୍କ ମଧ୍ୟରେ ଷଷ୍ଠ ୱିକେଟ ପାଇଁ ୩୦୩ ରନର ଭାଗୀଦାରି ହୋଇଥିଲା ।
ଦ୍ୱିତୀୟ ସେସନର ଖେଳ ୩୫୫/୫ ସ୍କୋରରେ ଶେଷ ହୋଇଥିଲା । ତୃତୀୟ ସେସନରେ ଆକାଶ ଦୀପ ହ୍ୟାରି ବ୍ରୁକଙ୍କୁ ନିଜର ଶିକାର କରିଥିଲେ । ବ୍ରୁକ୍ ୨୩୪ ବଲରୁ ୧୭ ଚୌକା ଏବଂ ଗୋଟିଏ ଛକା ସହାୟତାରେ ୧୫୮ ରନ୍ କରି ଆଉଟ ହୋଇଥିଲେ । ଅନ୍ୟପଟେ ସ୍ମିଥ୍ ୧୮୪ ରନ କରି ଅପରାଜିତ ରହିଥିଲେ । ପରେ କ୍ରିସ୍ ୱକ୍ସଙ୍କୁ କରୁଣ ନାୟାରଙ୍କ ହାତରେ କ୍ୟାଚ୍ କରାଇଥିଲେ ଆକାଶ ଦୀପ । ଶେଷରେ ବ୍ରାଇଡନ୍ କାର୍ସେ, ଜୋଶ ଟଙ୍ଗ୍ ଏବଂ ସୋଏବ ବଶିରଙ୍କୁ ସିରାଜ ପ୍ୟାଭିଲିୟନର ରାସ୍ତା ଦେଖାଇଥିଲେ। ଏହି ତିନି ଜଣ ଖାତା ମଧ୍ୟ ଖୋଲିପାରି ନଥିଲେ । ଇଂଲଣ୍ଡର ପ୍ରଥମ ଇନିଂସରେ, ଭାରତ ପାଇଁ ମହମ୍ମଦ ସିରାଜ ଛଅଟି ଏବଂ ଆକାଶ ଦୀପ ଚାରିଟି ୱିକେଟ ନେଇଥିଲେ ।