୨୦୨୮ ସୁଦ୍ଧା ଭାରତ ପାଲଟିବ ତୃତୀୟ ବୃହତ ଅର୍ଥନୀତି; ୨୦୨୬ରୁ ବଢ଼ିବ ଆକାର

Published By : Prameya-News7 Bureau | March 17, 2025 IST

ନୂଆଦିଲ୍ଲୀ: ୨୦୨୮ ସୁଦ୍ଧା ଭାରତ ପାଲଟିବ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥବ୍ୟବସ୍ଥା । ଏନେଇ ମୋର୍ଗାନ ଷ୍ଟାନ୍‌ଲି ଫାର୍ମ ରିପୋର୍ଟରେ ପୂର୍ବାନୁମାନ କରାଯାଇଛି ।  ଏହି ସମୟରେ ଭାରତ ବିଶ୍ୱର ଅନ୍ୟତମ ଅଗ୍ରଣୀ ଉପଭୋକ୍ତା ବଜାର ପାଲଟିବ । ମାକ୍ରୋ ଅର୍ଥନୈତିକ ସ୍ଥିରତା ଦ୍ୱାରା ସମର୍ଥିତ ନୀତି ଓ ଉନ୍ନତ ଭିତ୍ତିଭୂମି ଯୋଗୁ ଏହା ସମ୍ଭବ ହେବ  । 

ମୋର୍ଗାନ ଷ୍ଟାନ୍‌ଲି ରିପୋର୍ଟରେ ପ୍ରକାଶ ପାଇଛି, ୨୦୨୩ରେ ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ୩.୫ ଟ୍ରିଲିୟନ ଡଲାର ରହିଛି । ଏଥିସହିତ ଏହା ବର୍ତ୍ତମାନ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥବ୍ୟବସ୍ଥା ।  ତେବେ ୨୦୨୬ ସୁଦ୍ଧା ଭାରତୀୟ ଅର୍ଥନୀତିର ଆକାର ୪.୭ ଟ୍ରିଲିୟନ ଡଲାରକୁ ବୃଦ୍ଧି ପାଇବ । ଆମେରିକା, ଚୀନ୍‌ ଓ ଜର୍ମାନୀ ପରେ ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥବ୍ୟବସ୍ଥା ବିଶିଷ୍ଟ ରାଷ୍ଟ୍ର ହୋଇଯିବ । ୨୦୨୮ରେ ଏହା ୫.୭ ଟ୍ରିଲିୟନ ଡଲାର ଆକାର ସହ ଜର୍ମାନୀକୁ ପଛରେ ପକାଇ ବିଶ୍ୱର ତୃତୀୟ ବୃହତ୍‌ ଅର୍ଥନୀତି ପାଲଟିବ ବୋଲି   ମୋର୍ଗାନ ଷ୍ଟାନ୍‌ଲି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛି ।

 ୧୯୯୦ରେ ଭାରତ ବିଶ୍ୱର ଦ୍ୱାଦଶ ବୃହତ୍‌ ଅର୍ଥନୀତି ଥିଲା । ୨୦୦୦ ମସିହାରେ ଏହା ୧୩ ତମ ସ୍ଥାନକୁ ଖସିଯାଇଥିଲା । ୨୦୨୦ରେ ଏହା ନବମ ବୃହତ୍‌ ଅର୍ଥନୀତି ପାଲଟିଲା ଏବଂ ୨୦୨୩ରେ ବିଶ୍ୱର ପଞ୍ଚମ ବୃହତ୍‌ ଅର୍ଥନୀତି । ବର୍ତ୍ତମାନ ବିଶ୍ୱ ଜିଡିପିରେ ଭାରତର ଅଂଶ  ୩.୫% ଥିବାବେଳେ ୨୦୨୯ରେ ଏହା ୪.୫%କୁ ବୃଦ୍ଧି ପାଇବ  ବୋଲି ମୋର୍ଗାନ ଷ୍ଟାନ୍‌ଲି ପ୍ରକାଶ କରିଛି । ଅନ୍ୟପକ୍ଷରେ, ମୁଣ୍ଡ   ପିଛା ଜିଡିପି ୨୦୨୫ରେ ୨,୫୧୪ ଡଲାର ଥିବାବେଳେ ୨୦୩୫ରେ ଏହା ୪,୨୪୭ ଡଲାରକୁ ବଢ଼ିବ ବୋଲି ଅନୁମାନ ରହିଛି । ଆଗାମୀ ଦଶନ୍ଧିରେ   ବିଶ୍ୱ ଜିଡିପିରେ ବଡ଼ ଯୋଗଦାନ ଦେବ ଭାରତ । ଜନସଂଖ୍ୟା ଅଭିବୃଦ୍ଧି, ମାକ୍ରୋ ଅର୍ଥନୈତିକ  ସ୍ଥିରତା ସମର୍ଥିତ ନୀତି, ଉନ୍ନତ ଭିତ୍ତିଭୂମି ଏବଂ  ଔଦ୍ୟୋଗିକତା ବିକାଶ ଦ୍ୱାରା ଭାରତୀୟ ଅର୍ଥନୀତି  ଦ୍ରୁତ ବେଗରେ ଅଗ୍ରସର ହେବ ବୋଲି ମୋର୍ଗାନ ଷ୍ଟାନ୍‌ଲି ଏହାର ରିପୋର୍ଟରେ ଉଲ୍ଲେଖ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.