ବାଲେଶ୍ୱର ୧୮/୦୭:ଏକ ଐତିହାସିକ ଘଟଣା କ୍ରମେ ଭାରତ ଗୋଟିଏ ଦିନରେ କ୍ରମାଗତ ୨ଟି ସର୍ଟ ରେଞ୍ଜ ବାଲାଷ୍ଟିକ୍ ମିଶାଇଲ(ଏସ୍ଆରବିଏମ) କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ କରିଛି । ଚାନ୍ଦିପୁର ଆଇଟିଆର ଅଧୀନରେ ଥିବା ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଧାମରାର ଅବଦୁଲ କଲାମ ଦୀପରୁ ଅଗ୍ନୀ-୧ ଓ ଚାନ୍ଦିପୁରୁ ଆଇଟିଆରରୁ ପୃଥ୍ୱୀ-୨ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା ।
ଏହି ବିରଳ ସଫଳତା ସହ ପ୍ରତିରକ୍ଷା କ୍ଷେତ୍ରରେ ଭାରତ ଆଉ ଏକ ସଫଳତାର ଶିଡ଼ି ଚଢ଼ିଛି । ତଥ୍ୟ ମୁତାବକ, ସନ୍ଧ୍ୟା ୬ଟା ୬ ମିନିଟ୍ରେ କଲାମ ଦୀପର ୪ ନଂ ଲଞ୍ଚ ପ୍ୟାଡ୍ରୁ ଅଗ୍ନୀ-୧ କ୍ଷେପଣାସ୍ତ୍ରର ପରୀକ୍ଷଣ କରାଯାଇଥିଲା । ଏହାର ପାଖାପାଖି ଅଢ଼େଇ ଘଣ୍ଟା ଅର୍ଥାତ ରାତି ୮.୩୫ ମିନିଟ୍ରେ ଚାନ୍ଦିପୁର ଆଇଟିଆରର ୩ ନଂ ଲଞ୍ଚ ପ୍ୟାଡ୍ରୁ ପୃଥ୍ୱୀ-୨କ୍ଷେପଣାସ୍ତ୍ରର ସଫଳତାର ସହ ପରୀକ୍ଷଣ କରାଯାଇଥିଲା ।
JUST IN!
— Ministry of Defence, Government of India (@SpokespersonMoD) July 17, 2025
Successful test-firing of Short-Range #BallisticMissile - #Prithvi-II and #Agni-1 - was carried out from the Integrated Test Range in #Chandipur, Odisha today. All operational and technical parameters have been validated. The launches were conducted under the aegis of…
ସ୍ୱଳ୍ପ ଦୂରଗାମୀ ଏହି ଉଭୟ କ୍ଷେପଣାସ୍ତ୍ର ପରୀକ୍ଷଣ ବେଳେ ସମସ୍ତ ପରୀକ୍ଷଣ ଦିଗକୁ ସଫଳତାର ସହ ସମାପନ କରିଥିଲା । ଷ୍ଟାଟେର୍ଜିକ ଫୋର୍ସ କମାଣ୍ଡ(ଏସ୍ଏଫସି) ଅଧୀନରେ ଏହି ପରୀକ୍ଷଣ କରାଯାଇଥିଲା । କ୍ଷେପଣାସ୍ତ୍ର ପୃଥ୍ୱୀ-୨ର ପ୍ରାଥମିକ ବ୍ୟବହାର ସାଧାରଣତଃ ଭାରତୀୟ ବାୟୁ ସେନାରେ କରାଯାଏ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ।
ଏହା ଭୂପୃଷ୍ଠରୁ ଭୂପୃଷ୍ଠ ମଧ୍ୟରେ ଶତ୍ରୁପକ୍ଷର କ୍ଷେପଣାସ୍ତ୍ରକୁ ଆକ୍ରମଣ କରିପାରେ । ଏହାର ଲକ୍ଷ୍ୟ ଭେଦ କ୍ଷମତା ୩୫୦ କି.ମି ଥିବାବେଳେ ଏହା ୧ ଟନର ମାରକଦ୍ରବ୍ୟ ବହନ କରିପାରିବ । ଏହି କ୍ଷେପଣାସ୍ତ୍ରଟି ନିର୍ଭୁଲ ଭାବେ ନିଜର ଟାର୍ଗେଟକୁ ଲକ୍ଷ୍ୟ ଭେଦ କରିବା କ୍ଷମତା ରଖିଛି । ସେହିଭଳି ମଧ୍ୟମ ଦୂରଗାମୀ ବିଶିଷ୍ଟ ଅଗ୍ନି-୧ ବାଲାଷ୍ଟିକ କ୍ଷେପଣାସ୍ତ୍ରର ଲକ୍ଷ୍ୟ ଭେଦ କ୍ଷମତା ୭୦୦ରୁ ୯୦୦ କି.ମି ରହିଛି । ଏକ ଇଞ୍ଜିନ ବିଶିଷ୍ଟ ଏହି କ୍ଷେପଣାସ୍ତ୍ରଟି ୧୦୦୦ କିଗ୍ରାର ଆଣବିକ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ରଖିଛି । ଅଗ୍ନି-୧ର ଏହି ଉନ୍ନତ ସଂସ୍କରଣ କ୍ଷେପଣାସ୍ତ୍ରଟି ନିର୍ଭୁଲ ଲକ୍ଷ୍ୟ ଭେଦ କ୍ଷମତା ରଖିଛି ।
୨୦୦୨ରେ ଏହା ପ୍ରଥମ ପରୀକ୍ଷଣ କରାଯାଇଥିଲା । ଭାରତୀୟ ବାୟୁସେନାରେ ଏହାକୁ ୨୦୦୭ରେ ବ୍ୟବହାର କରାଯାଇଥିଲା । ପରୀକ୍ଷଣ ବେଳେ ଡିଆରଡିଓର ଉଚ୍ଚପଦସ୍ଥ ଅଧିକାରୀ, ବୈଜ୍ଞାନିକ, ବାୟୁ ସେନାର ଅଧିକାରୀ ଉପସ୍ଥିତ ଥିଲେ । ଏହି ସଫଳତା ପାଇଁ ରକ୍ଷାମନ୍ତ୍ରୀ ରାଜନାଥ ସିଂ ଡିଆରଡିଓର ସମସ୍ତ ଅଧିକାରୀ, ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।