ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କାରେ ଖେଳାଯିବ ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ୨୦୨୫। ସୋମବାର ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ପକ୍ଷରୁ ଏହି ସୂଚନା ଦିଆଯାଇଛି। ସେପ୍ଟେମ୍ବର ୩୦ ରୁ ନଭେମ୍ବର ୨ ତାରିଖ ପର୍ଯ୍ୟନ୍ତ ବିଶ୍ୱକପ୍ ଅନୁଷ୍ଠିତ ହେବ ବୋଲି ଆଇସିସି କହିଛି।
ବିଶ୍ୱକପ୍ରେ ୮ଟି ଦଳ - ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ନ୍ୟୁଜିଲ୍ୟାଣ୍ଡ, ଶ୍ରୀଲଙ୍କା, ବାଂଲାଦେଶ ଏବଂ ପାକିସ୍ତାନ ରାଉଣ୍ଡ-ରବିନ୍ ଫର୍ମାଟରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ପାଞ୍ଚଟି ସ୍ଥାନରେ ମୋଟ ୨୮ ଟି ଲିଗ୍ ମ୍ୟାଚ୍ ଖେଳାଯିବ। ଏହି ୫ ଭେନ୍ୟୁ ମଧ୍ୟରେ ବେଙ୍ଗାଲୁରୁର ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ, ଗୌହାଟୀର ଏସିଏ ଷ୍ଟାଡିୟମ, ଇନ୍ଦୋରର ହୋଲକର ଷ୍ଟାଡିୟମ, ବିଶାଖାପାଟଣାର ଏସିଏ-ଭିଡିସିଏ ଷ୍ଟାଡିୟମ ଏବଂ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମ ରହିଛି।
୨୦୧୩ ପରେ ପ୍ରଥମ ଥର ପାଇଁ ଭାରତ ମହିଳା କ୍ରିକେଟ ବିଶ୍ୱକପ୍ ଆୟୋଜନ କରିବାକୁ ଥିବା ବେଳେ ଏହି ଟୁର୍ଣ୍ଣାମେଣ୍ଟଟର ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁରେ ଶୁଭାରମ୍ଭ ହେବ। ଏହା ପୂର୍ବରୁ ଭାରତ ୨୦୧୬ରେ ଆଇସିସି ମହିଳା ଟି-୨୦ ବିଶ୍ୱକପ୍ର ଆୟୋଜନ କରିଥିଲା। ଏହାପର ଠାରୁ କୌଣସି ମହିଳା କ୍ରିକେଟ୍ ଇଭେଣ୍ଟ ଭାରତରେ ଆୟୋଜନ ହୋଇ ନଥିଲା।
ମହିଳା ବିଶ୍ୱକପ୍ ନେଇ ଆଇସିସି ଅଧ୍ୟକ୍ଷ ଜୟ ଶାହ କହିଛନ୍ତି “ଗତ କିଛି ବର୍ଷ ମଧ୍ୟରେ ପ୍ରଶଂସକମାନେ ମହିଳା ଖେଳକୁ ବହୁତ ସମର୍ଥନ କରିଛନ୍ତି, ଏବଂ ମୁଁ ନିଶ୍ଚିତ ଯେ ସେମାନେ ଏହି ଆକର୍ଷଣୀୟ ଇଭେଣ୍ଟଗୁଡ଼ିକ ପାଇଁ ଯୋଜନା ଆରମ୍ଭ କରିବେ। ମହିଳା କ୍ରିକେଟ୍ ଆମର ଦୃଷ୍ଟିକୋଣର ସର୍ବାଗ୍ରେ ରହିଛି, ଏବଂ ଆମେ ନିଶ୍ଚିତ ଯେ ଏହି ଦୁଇଟି ଆଗାମୀ ଟୁର୍ଣ୍ଣାମେଣ୍ଟ କେବଳ ଆମେ ଗତ କିଛି ବର୍ଷ ମଧ୍ୟରେ ତିଆରି କରିଥିବା ଅବିଶ୍ୱସନୀୟ ଗତିକୁ ବଜାୟ ରଖିବ ନାହିଁ ବରଂ ଏହାକୁ ଆହୁରି ଉଚ୍ଚତାରେ ପହଞ୍ଚାଇବ।”
ଅକ୍ଟୋବର ୨୯ରେ ନକଆଉଟ୍ ପର୍ଯ୍ୟାୟ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲ ଗୌହାଟି କିମ୍ବା କଲମ୍ବୋରେ ଖେଳାଯିବ, ତା’ପରେ ୩୦ ଅକ୍ଟୋବରରେ ବେଙ୍ଗାଲୁରୁରେ ଦ୍ୱିତୀୟ ସେମିଫାଇନାଲ ଖେଳାଯିବ। ଫାଇନାଲ ମ୍ୟାଚ୍ ରବିବାର, ୨ ନଭେମ୍ବରରେ ଅନୁଷ୍ଠିତ ହେବ ଏବଂ ଏହା ବେଙ୍ଗାଲୁରୁ କିମ୍ବା କଲମ୍ବୋରେ ଅନୁଷ୍ଠିତ ହେବ।
ପ୍ରଥମ ସେମିଫାଇନାଲ ଏବଂ ଫାଇନାଲ ପାଇଁ ଭେନ୍ୟୁ ପରିବର୍ତ୍ତନ ହୋଇପାରେ। ଏହା ସେହି ପର୍ଯ୍ୟାୟ ପାଇଁ ପାକିସ୍ତାନର ଯୋଗ୍ୟତା ଉପରେ ନିର୍ଭର କରିବ। ଯଦି ପାକିସ୍ତାନ ସେମିଫାଇନାଲ କିମ୍ବା ଫାଇନାଲରେ ପ୍ରବେଶ କରେ, ତେବେ ବର୍ତ୍ତମାନର ଲଜିଷ୍ଟିକ୍ ବ୍ୟବସ୍ଥା ଅନୁଯାୟୀ ଫାଇନାଲ୍କୁ କଲମ୍ବୋକୁ ସ୍ଥାନାନ୍ତର କରାଯିବ। ପ୍ରସ୍ତୁତି ପାଇଁ ଦଳଗୁଡ଼ିକୁ ପର୍ଯ୍ୟାପ୍ତ ସମୟ ଦେବାକୁ ସେମିଫାଇନାଲ ଏବଂ ଫାଇନାଲ ମଧ୍ୟରେ ସର୍ବନିମ୍ନ ଦୁଇ ଦିନର ବ୍ୟବଧାନ କରାଯାଇଛି ବୋଲି ଆଇସିସି କହିଛି।
ସୂଚନା ଥାଉକି ଡିଫେଣ୍ଡିଂ ଚାମ୍ପିୟନ ଅଷ୍ଟ୍ରେଲିଆ ବିଶ୍ୱକପ ୨୦୨୫ରେ ପୁଣି ତାର ଜଲୱା ଦେଖାଇବାକୁ ଚେଷ୍ଟା କରିବ। ଦଳ ୨୦୨୨ ମସିହାରେ ନ୍ୟୁଜିଲ୍ୟାଣ୍ଡରେ ଖେଳାଯାଇଥିବା ଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ସପ୍ତମ ଟାଇଟଲ ଜିତି ରେକର୍ଡ କରିଥିଲା। ତେଣୁ ଏଥର ବି ଦଳ ଟାଇଟଲ ଜିତିବା ପାଇଁ ସଂଘର୍ଷ କରିବ।