ନୂଆଦିଲ୍ଲୀ: ଲଣ୍ଡନରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ୨୦୨୫ ଶେଷ ଟେଷ୍ଟ ମ୍ୟାଚ୍ ଓଭାଲ୍ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ଏହି ମୁକାବିଲାରେ ଆଜି ତୃତୀୟ ଦିନରେ ଭାରତୀୟ ଟିମ୍ ନିଜର ଦ୍ୱିତୀୟ ପାଳି ଖେଳି ୩୯୬ ରନ୍ କରିଛି। ଫଳରେ ଭାରତ ଇଂଲଣ୍ଡ ସମ୍ମୁଖରେ ୩୭୪ ରନ୍ର ଟାର୍ଗେଟ୍ ଦେଇଛି। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ଟାର୍ଗେଟ୍ରେ ପିଛା କରି ଇଂଲଣ୍ଡ ୩୦ ରନ୍ କରିଥିବା ବେଳେ ବେନ୍ ଡକେଟ୍ ଏବଂ ଜ୍ୟାକ୍ କ୍ରାଉଲୀ ନଟ୍ ଆଉଟ ରହିଛନ୍ତି।
ଏହି ମ୍ୟାଚ୍ରେ ଭାରତୀୟ ଦଳ ତା’ର ପ୍ରଥମ ଇନିଂସରେ ୨୨୪ ରନ୍ କରିଥିଲା। ଜବାବରେ, ଇଂଲଣ୍ଡ ପ୍ରଥମ ଇନିଂସ ୨୪୭ ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ଅର୍ଥାତ୍ ପ୍ରଥମ ଇନିଂସରେ ଇଂଲଣ୍ଡ ୨୩ ରନ୍ର ଲିଡ୍ ପାଇଥିଲା। ଦ୍ୱିତୀୟ ଇନିଂସରେ ଭାରତର ଓପନର ବ୍ୟାଟର ଯଶସ୍ୱୀ ଜୟସ୍ୱାଲ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଜୟସ୍ୱାଲ ମାତ୍ର ୪୪ ବଲ୍ରେ ୭ ଚୌକା ଏବଂ ୨ ଛକା ସହାୟତାରେ ଅର୍ଦ୍ଧଶତକ ପୂରଣ କରିଥିଲେ। ତେବେ କେଏଲ ରାହୁଲ (୭ ରନ) ଏବଂ ସାଇ ସୁଦର୍ଶନ (୧୧ ରନ) ସେତେ ଭଲ ପ୍ରଦର୍ଶନ କରିପାରି ନଥିଲେ।
ତା'ପରେ ତୃତୀୟ ଦିନର ଖେଳର ପ୍ରଥମ ସେସନରେ, ନାଇଟ୍ୱାଚମ୍ୟାନ୍ ଆକାଶ ଦୀପ ଏବଂ ଯଶସ୍ୱୀ ଜୟସ୍ୱାଲ ଇନିଂସକୁ ଆଗକୁ ନେଇଥିଲେ। ତୃତୀୟ ୱିକେଟ ପାଇଁ ଉଭୟଙ୍କ ମଧ୍ୟରେ ୧୦୭ ରନର ଭାଗୀଦାରି ହୋଇଥିଲା। ଏହି ସମୟରେ ଆକାଶ ଦୀପ ୭୦ ବଲ୍ ରେ ୯ ଚୌକା ସହାୟତାରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହା ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟରରେ ପ୍ରଥମ ଅର୍ଦ୍ଧଶତକ ଥିଲା। ଜେମି ଓଭରଟନ୍ ଆକାଶ ଦୀପଙ୍କୁ ଆଉଟ୍ କରି ଉଭୟଙ୍କ ପାର୍ଟନର୍ସିପ ଭାଙ୍ଗିଥିଲେ। ଆକାଶ ଦୀପ ୯୪ ବଲ୍ ରେ ୬୬ ରନ୍ କରି ଆଉଟ୍ ହୋଇଥିଲେ। ଯେଉଁଥିରେ ୧୨ଟି ଚୌକା ଥିଲା।
ତୃତୀୟ ଦିନର ଦ୍ୱିତୀୟ ସେସନରେ ଭାରତୀୟ ଦଳ ଅଧିନାୟକ ଶୁଭମନ ଗିଲଙ୍କ ୱିକେଟ୍ ଶୀଘ୍ର ପଡ଼ିଯାଇଥିଲା। ଗିଲ୍ ୧୧ ରନ୍ ଗସ୍ ଆଟକିନସନ୍ଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ। ଗିଲ୍ ଆଉଟ୍ ହେବାର କିଛି ସମୟ ପରେ, ଯଶସ୍ୱୀ ତାଙ୍କର ଷଷ୍ଠ ଟେଷ୍ଟ ଶତକ ହାସଲ କରିଥିଲେ। ଯଶସ୍ୱୀ ୧୧ ଚୌକା ଏବଂ ଦୁଇଟି ଛକା ସହାୟତାରେ ୧୨୭ ବଲ୍ ରେ ତାଙ୍କର ଶତକ ପୂରଣ କରିଥିଲେ। ଏହା ଯଶସ୍ୱୀଙ୍କ ଟେଷ୍ଟ କ୍ୟାରିୟରର ଷଷ୍ଠ ଶତକ ଥିଲା। କରୁଣ ନାୟାର (୧୭ ରନ୍) ବିଶେଷ କିଛି କରିପାରି ନଥିଲେ ଏବଂ ଗସ୍ ଆଟକିନସନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ।
ଏହାପରେ ଯଶସ୍ୱୀ ଜୟସ୍ୱାଲଙ୍କ ୱିକେଟ୍ ଯାଇଥିଲା। ସିଏ ଜୋଶ ଷ୍ଟଙ୍ଗଙ୍କ ଦ୍ୱାରା ରନ ଆଉଟ ହୋଇଥିଲେ। ଯଶସ୍ୱୀ ୧୬୪ ବଲ୍ ରେ ୧୪ ଚୌକା ଏବଂ ଦୁଇଟି ଛକା ସହାୟତାରେ ୧୧୮ ରନ୍ କରିଥିଲେ। ଏହାପରେ ଧ୍ରୁବ ଜୁରେଲ ଏବଂ ରବିନ୍ଦ୍ର ଜାଡେଜା ସପ୍ତମ ୱିକେଟ ପାଇଁ ୫୦ ରନ୍ରର ପାର୍ଟନରସିପ୍ କରିଥିଲେ। ଜାଡେଜା ୫୩, ଜୁରେଲ ୩୪ ରନ କରିଥିଲେ।
ୱିକେଟ ପତନ
୪୬-୧ (କେଏଲ ରାହୁଲ, ୯.୫ ଓଭର), ୭୦-୨ (ସାଇ ସୁଦର୍ଶନ, ୧୭.୨ ଓଭର), ୧୭୭-୩ (ଆକାଶ ଦୀପ, ୪୨.୧ ଓଭର), ୧୮୯-୪ (ଶୁଭମାନ ଗିଲ, ୪୪.୧ ଓଭର), ୨୨୯-୫ (କରୁଣ ନାୟାର, ୫୪.୩ ଓଭର), ୨୭୩-୬ (ଯଶସ୍ୱୀ ଜୟସ୍ୱାଲ, ୬୪.୨ ଓଭର), ୩୨୩-୭ (ଧ୍ରୁବ ଜୁରେଲ, ୭୬.୨ ଓଭର), ୩୫୭-୮ (ରବୀନ୍ଦ୍ର ଜାଡେଜା, ୮୩.୨), ୩୫୭-୯ (ମହମ୍ମଦ ସିରାଜ, ୮୩.୫ ଓଭର), ୩୯୬-୧୦ (ୱାଶିଂଟନ ସୁନ୍ଦର, ୮୭.୬ ଓଭର)
ଏହି ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ସିରିଜ୍ରେ ଇଂଲଣ୍ଡ ୨ଟି ମ୍ୟାଚ୍ ଜିତି ୨-୧ରେ ଆଗୁଆ ରହିଛି। ଯଦି ଭାରତ ଏହି ମ୍ୟାଚ୍ ଜିତେ ତେବେ ସିରିଜ୍ ଡ୍ର ରହିବ। ଯାହା ଶୁଭମନ ଗିଲ୍ଙ୍କ କ୍ୟାରିୟର ପାଇଁ ଶୁଭ ସାବ୍ୟସ୍ତ ହେବ।