ଆମେରିକା ମଦ ଉପରେ ସୀମା ଶୁଳ୍କ ହ୍ରାସକୁ ଭାରତୀୟ ବ୍ୟବସାୟୀଙ୍କ ବିରୋଧ !

Published By : Prameya-News7 Bureau | February 16, 2025 IST

indianexpress

ନୂଆଦିଲ୍ଲୀ: ଟ୍ରମ୍ପ ଟାରିଫ ଚାପରେ ଭାରତ ସରକାର ଆମେରିକାରୁ ଆମଦାନୀ ହେଉଥିବା ବର୍ବନ ମଦ ଉପରେ ଶୁଳ୍କ କମାଇବା ପରେ ଭାରତୀୟ ବ୍ୟବସାୟୀମାନେ ଏହାର ବିରୋଧ କରିଛନ୍ତି। ଯଦି ଶୁଳ୍କ ହ୍ରାସ ହେଲା ତେବେ ଆମଦାନୀ ହୋଇଥିବା ମଦ ଉପରେ ଦିଆଯାଇଥିବା ସମସ୍ତ ଉତ୍ପାଦ ରିହାତି ପ୍ରତ୍ୟାହାର କରାଯାଉ ବୋଲି ଭାରତୀୟ ମାଦକ ପେୟ ଶିଳ୍ପଗୁଡ଼ିକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏନେଇ CIABCର ମହାନିର୍ଦ୍ଦେଶକ ଅନନ୍ତ ଏସ୍ ଆୟର ଏକ ବିବୃତ୍ତି ଜାରି କରି ଦାବି ରଖିଛନ୍ତି। ବର୍ବନ ଉପରେ ଗୁରୁବାର ହ୍ରାସ କରାଯାଇଥିବା କଷ୍ଟମ ଡ୍ୟୁଟି ହ୍ରାସ ଉଭୟ ସ୍ପିରିଟ ଓ ୱାଇନ୍ ବର୍ଗରେ ଭାରତୀୟ ଉତ୍ପାଦକୁ କ୍ଷତି ପହଞ୍ଚାଇବ ବୋଲି ସେମାନେ ତର୍କ ରଖିଛନ୍ତି। ଟ୍ରମ୍ପଙ୍କ ଯେଶାକୁ ତେଶା ନୀତିରୁ ରକ୍ଷା ପାଇବା ପାଇଁ ଭାରତ ଶୁକ୍ରବାର ଆମେରିକାରୁ ଆମଦାନୀ ହେଉଥିବା ବର୍ବନ ମଦ ଉପରେ ସୀମା ଶୁଳ୍କକୁ ୧୫୦%ରୁ କମାଇ କେବଳ ୫୦% କରିଥିଲା। ଭାରତର ଏହି ପଦକ୍ଷେପକୁ ଆମେରିକା ସ୍ୱାଗତ କରିବା ସହିତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ ଚୁକ୍ତି ଘୋଷଣା କରିଥିଲେ। ଯାହାକୁ ଭାରତୀୟ ମଦ୍ୟ ବ୍ୟବସାୟୀ ସଂଘ ବିରୋଧ କରିଛି। 

ପଢନ୍ତୁ- ମୋଦୀଙ୍କ ଫେରିବାର ସପ୍ତାହେ ବିତିନି ଭାରତକୁ ଆଉ ଏକ ଝଟ୍‌କା ଦେଲା ଆମେରିକା: ବନ୍ଦ କଲା ନିର୍ବାଚନ ପାଣ୍ଠି

ଭାରତୀୟ ମଦ୍ୟପାନ କମ୍ପାନୀଗୁଡ଼ିକର ମହାସଂଘ (CIABC) ଆମଦାନୀ ହୋଇଥିବା ମଦର ଭାରତରେ ଡମ୍ପିଂକୁ ରୋକିବା ପାଇଁ "କଠୋର ଏବଂ ପ୍ରଭାବଶାଳୀ ପଦକ୍ଷେପ" ଗ୍ରହଣ କରିବାକୁ ସରକାରଙ୍କୁ ଅନୁରୋଧ କରିଛି। ତା ସହିତ ଭାରତୀୟ ମଦ୍ୟପାନ ଉତ୍ପାଦ ପାଇଁ ଉତ୍ତମ ଆନ୍ତର୍ଜାତୀୟ ବଜାର ପ୍ରବେଶ ପାଇଁ ସୁବିଧା କରିବାକୁ ସଂଘ ଦାବି କରିଛି। କାରଣ ଭାରତୀୟ ମାଦକ ପେୟ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ଅଣ-ଶୁଳ୍କ ପ୍ରତିବନ୍ଧକର ସମ୍ମୁଖୀନ ହେଉଛି। ଉଦାହରଣ ସ୍ୱରୂପ, ୟୁକେରେ ଅଣ-ଶୁଳ୍କ ପ୍ରତିବନ୍ଧକ ଭାରତ-ୟୁକେ ବାଣିଜ୍ୟ ଆଲୋଚନାରେ ବିବାଦର ଏକ ବିନ୍ଦୁ ହୋଇଛି।

ଶ୍ରୀ ଆୟର ଆହୁରି କହିଛନ୍ତି ଯେ ଆମେ ବିଦେଶୀ ମଦ ଉପରେ ସୀମା ଶୁଳ୍କ ହ୍ରାସକୁ ବିରୋଧ କରୁ ନାହୁଁ। ତେବେ ଏହି ଶୁଳ୍କ ହ୍ରାସ ଏକ ପର୍ଯ୍ୟାୟକ୍ରମ କରାଯାଉ। ପଶ୍ଚିମ ଦେଶଗୁଡ଼ିକ ଅଣ-ଶୁଳ୍କ ପ୍ରତିବନ୍ଧକଗୁଡ଼ିକୁ ହଟାଇବା ଉଚିତ, ଯାହା ବହୁଳମାତ୍ରାରେ ଭାରତୀୟ ଉତ୍ପାଦଗୁଡ଼ିକୁ ସେଠାରେ ବିକ୍ରି କରିବାକୁ ବାଧା ସୃଷ୍ଟି କରୁଛି।  ଏହି ବଜାରଗୁଡ଼ିକ ଅନ୍ୟ ବିଶ୍ୱ ଉତ୍ପାଦ ସହିତ ସମକକ୍ଷ ଭାବରେ ଭାରତୀୟ ହ୍ୱିସ୍କିକୁ ସ୍ୱୀକୃତି ଦିଅନ୍ତୁ ବୋଲି ଆୟର କହିଛନ୍ତି।

ମଦ ଇଣ୍ଡଷ୍ଟ୍ରୀ ରାଜ୍ୟ ସରକାରଙ୍କ ରାଜକୋଷରେ ୩ ଲକ୍ଷ କୋଟି ଟଙ୍କା ଯୋଗଦାନ ଦେଉଛି। ଏହା ସହିତ ବିଭିନ୍ନ ପ୍ରକାରର ଇନପୁଟ୍ ଉପରେ ସୀମା ଶୁଳ୍କ ଏବଂ GSTରୁ କେନ୍ଦ୍ର ଓ ରାଜସ୍ୱ ଆହରଣ କରୁଛି। ଏହି ଶିଳ୍ପ ମଧ୍ୟ ଯଥେଷ୍ଟ ନିଯୁକ୍ତି ପ୍ରଦାନ କରେ ଏବଂ କୃଷି ଉତ୍ପାଦନକୁ ସମର୍ଥନ କରେ। ତେଣୁ ଏହାର ସୁବିଧା ପାଇଁ ସରକାର ପଦକ୍ଷେପ ନେବା ଦରକାର ବୋଲି ଶ୍ରୀ ଆୟର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.