ଇରାନରୁ ନାଗରିକଙ୍କ ଉଦ୍ଧାର ନିମନ୍ତେ ଭାରତ ଆରମ୍ଭ କଲା ‘ଅପରେସନ ସିନ୍ଧୁ’

Published By : Prameya-News7 Bureau | June 18, 2025 IST

ନୂଆଦିଲ୍ଲୀ ୧୮।୬: ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଯୁଦ୍ଧ ମଧ୍ୟରେ ଭାରତ ନିଜ ନାଗରିକଙ୍କୁ ଯୁଦ୍ଧ କ୍ଷେତ୍ରରୁ ସୁରକ୍ଷିତ ବାହାର କରିବା ପାଇଁ ଅପରେସନ ‘ସିନ୍ଧୁ’ ଆରମ୍ଭ କରିଛି। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଇରାନରେ ଇସ୍ରାଏଲ ଆକ୍ରମଣ ଯୋଗୁ ପରିସ୍ଥିତି ବେଳକୁ ବେଳ ଜଟିଳ ହେବାରେ ଲାଗିଛି। ଅପରେସନ ସିନ୍ଧୁର ପ୍ରଥମ ପର୍ଯ୍ୟାୟରେ ଉତ୍ତର ଇରାନରୁ ୧୧୦ ଭାରତୀୟ ଛାତ୍ରଙ୍କୁ ସୁରକ୍ଷିତ ବାହାର କରାଯାଇଛି। 

ଭାରତୀୟ ଛାତ୍ରମାନଙ୍କୁ ସୀମା ପାର କରି ଆର୍ମେନିଆ ପହଞ୍ଚା ଯାଇଛି। ଏହା ପରେ ଏକ ସ୍ୱତନ୍ତ୍ର ବିମାନରେ ଆମେରିକା ରାଜଧାନୀ ୟେରେଭନରୁ ଦିଲ୍ଲୀ ଅଣାଯାଉଛି। ଉଦ୍ଧାର ହୋଇଥିବା ଛାତ୍ରମାନେ ୧୯ ଜୁନ ଗୁରୁବାର ସକାଳେ ଦିଲ୍ଲୀ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି। ଭାରତ ସରକାର ଓ ବିଦେଶ ମନ୍ତ୍ରାଳୟ ଲଗାତାର ପରିସ୍ଥିତି ଉପରେ ନଜର ରଖି ରହିଛନ୍ତି। ତେହେରାନସ୍ଥିତ ଭାରତୀୟ ଦୂତାବାସ ନାଗରିକଙ୍କୁ ବିପଦପୂର୍ଣ୍ଣ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ପହଞ୍ଚାଉଛନ୍ତି। 

ଇରାନରୁ ନାଗରିକଙ୍କ ଉଦ୍ଧାର ନିମନ୍ତେ ସରକାରଙ୍କ ପ୍ରୟାସ ଆଗକୁ ମଧ୍ୟ ଜାରି ରହିବ। ସରକାର ଇରାନରେ ରହୁଥିବା ଭାରତୀୟଙ୍କୁ ଦୂତାବାସର ଜରୁରିକାଳୀନ ହେଲପଲାଇନ ନମ୍ବର ସମ୍ପର୍କରେ ରହିବାକୁ ପରାମର୍ଶ ଦେଇଛନ୍ତି। ଆବଶ୍ୟକ ନଥିଲେ ବାହାରକୁ ଆଦୌ ନ ବାହାରିବାକୁ ଲୋକଙ୍କୁ କୁହାଯାଇଛି। ସେହିପରି ଦୂତାବାସଙ୍କ ସୋସିଆଲ ମିଡିଆରେ ଲୋକଙ୍କୁ ନିୟମିତ ଅପଡେଟ୍ ଯାଞ୍ଚ କରିବାକୁ ମଧ୍ୟ କୁହାଯାଇଛି। 

ବୁଧବାର ସୁଧା ଲଗାତାର ୬ ଦିନ ହେଲା ଇରାନ-ଇସ୍ରାଏଲ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ଓ ଇରାନ ମଧ୍ୟରେ କ୍ଷେପଣାସ୍ତ୍ର ବିନିମୟ ହେଉଛି।  ଏଥିରେ ଇରାନରେ ଏ ପର୍ଯ୍ୟନ୍ତ ୫୮୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଇସ୍ରାଏଲରେ ୨୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୩ଶହରୁ ଅଧିକ ଲୋକେ ଆହତ ହୋଇଛନ୍ତି। ଇରାନ କହିଛି ଯେ ସେ ଇସ୍ରାଏଲ ଉପରକୁ ହାଇପରସୋନିକ କ୍ଷେପଣାସ୍ତ୍ର ଫତାହ-୧ ଦ୍ୱାରା ଆକ୍ରମଣ କରିଛି। ଯୁଦ୍ଧରେ ଇରାନ ପ୍ରଥମ ଥର ଏହି କ୍ଷେପଣାସ୍ତ୍ରକୁ ବ୍ୟବହାର କରିଥିବା ବେଳେ ତେଲଆଭିବ ସହରରେ ବିସ୍ଫୋରଣ ଶୁଣା ଯାଇଛି। ଅନ୍ୟପଟେ ଇସ୍ରାଏଲର ଆକ୍ରମଣ ତେହେରାନ ଆଖପାଖରେ ଜାରି ରହିଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.