ନୂଆଦିଲ୍ଲୀ: ଇରାନ ଉପରେ ଇସ୍ରାଏଲର ଆକ୍ରମଣ। ଏହି ଆକ୍ରମଣରେ ଇରାନର ବ୍ୟାପକ ସାମରିକ ଶକ୍ତି କ୍ଷତି। ଇରାନର ପରମାଣୁ ଘାଟିକୁ ଟାର୍ଗେଟ କରିନଥିଲା, ବରଂ ୨ ଜେନେରାଲଙ୍କ ମଧ୍ୟ ମୃତ୍ୟୁ ହୋଇଛି। ଆହୁରି ହମଲା ହେବ ବୋଲି ଚେତାଇ ଦେଇଛନ୍ତି ନେତାନ୍ୟାହୁ। ମଧ୍ୟପ୍ରାଚ୍ୟ ଅଶାନ୍ତ ହେବା ପରେ ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କ ପାଇଁ ଜାରି ହୋଇଛି ଆଡଭାଇଜରୀ।
ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ସମସ୍ତ ଭାରତୀୟ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ଭାରତ ସରକାର। ଭାରତୀୟ ଦୂତାବାସ କହିଛି ଯେ "ବର୍ତ୍ତମାନର ଆଞ୍ଚଳିକ ପରିସ୍ଥିତିକୁ ଦୃଷ୍ଟିରେ ରଖି, ସମସ୍ତ ଭାରତୀୟ ନାଗରିକ ସତର୍କ ରହିବା ଉଚିତ। ଇସ୍ରାଏଲୀ ଅଥରିଟି ଏବଂ 'ହୋମ୍ ଫ୍ରଣ୍ଟ୍ କମାଣ୍ଡ' ଦ୍ୱାରା ଜାରି ସୁରକ୍ଷା ନିର୍ଦ୍ଦେଶାବଳୀକୁ ସମ୍ପୂର୍ଣ୍ଣ ଭାବରେ ପାଳନ କରିବା ଉଚିତ।"
ଏହା ସହିତ, ଭାରତୀୟମାନଙ୍କୁ ଅନାବଶ୍ୟକ ଯାତ୍ରା ଏଡାଇବାକୁ ଏବଂ ନିକଟତମ ସୁରକ୍ଷା ଆଶ୍ରୟସ୍ଥଳ ନିକଟରେ ରହିବାକୁ ପରାମର୍ଶ ଦିଆଯାଇଛି। ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ସତର୍କ ରହିବାକୁ ଏବଂ ଆବଶ୍ୟକ ହେଲେ ତୁରନ୍ତ ସହାୟତା ପାଇଁ ଦୂତାବାସ ସହିତ ଯୋଗାଯୋଗ କରିବାକୁ ସମସ୍ତଙ୍କୁ ନିବେଦନ କରିଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଦିଲ୍ଲୀ ବିମାନବନ୍ଦର ଏକ ଆଡଭାଇଜରି ଜାରି କରିଛି। ଉତ୍ତେଜନା ବିମାନ ଉଡାଣ ପ୍ରଭାବିତ ହୋଇଛି। ଆଡଭାଇଜରୀରେ କୁହାଯାଇଛି ଯେ ଯାତ୍ରୀମାନେ ଅପଡେଟ୍ ପାଇଁ ଏୟାରଲାଇନ୍ସ ସହିତ ଯାଞ୍ଚ କରନ୍ତୁ ଏବଂ ସଠିକ୍ ସୂଚନା ପାଇଁ ସରକାରୀ ସୂତ୍ର ଉପରେ ନିର୍ଭର କରନ୍ତୁ। ସେପଟେ ଉତ୍ତେଜନାକୁ ନେଇ ଭାରତର ବୈଦେଶିକ ମନ୍ତ୍ରାଳୟ ଉଦ୍ବେଗ ପ୍ରକାଶ କରିଛି। ଉତ୍ତେଜନାରୁ ନିବୃତ୍ତ ରହିବା ପାଇଁ ଦୁଇ ରାଷ୍ଟ୍ରକୁ ନିବେଦନ କରିଛି।