ଅପରେସନ ସିନ୍ଦୂରରେ ଭାରତ ଆମର ଦୁଇଟି ଏୟାର ବେସ୍ ଉପରେ ଆକ୍ରମଣ କରିଛି: ମାନିଲେ ପାକିସ୍ତାନ ଉପପ୍ରଧାନମନ୍ତ୍ରୀ

Published By : Prameya-News7 Bureau | June 20, 2025 IST

indiatoday

ନୂଆଦିଲ୍ଲୀ: ଭାରତର ଅପରେସନ ସିନ୍ଦୂରରେ ହୋଇଥିବା କ୍ଷତିକୁ ପୁଣିଥରେ ସ୍ୱୀକାର କଲା ପାକିସ୍ତାନ। ଭାରତୀୟ ସେନା ପାକିସ୍ତାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ବାୟୁସେନା ଘାଟି- ରାୱଲପିଣ୍ଡିର ନୁର ଖାନ ବାୟୁସେନା ଘାଟି ଏବଂ ଶୋରକୋଟ ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା ବୋଲି ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇସାକ ଡାର ସ୍ପଷ୍ଟ କରିଛନ୍ତି। ପାକିସ୍ତାନର ଜିଓ ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଡାର୍ ଏହା କହିଛନ୍ତି। ତେବେ ଏହା ପୂର୍ବରୁ ଭାରତ ଆକ୍ରମଣରେ ପାକିସ୍ତାନରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ ବାରମ୍ବାର ଅସ୍ୱୀକାର କରିଥିଲେ ପାକିସ୍ତାନୀ ସରକାର ଓ ଏହାର ସେନା। ହେଲେ ଏବେ ସ୍ୱୀକାର କରିଛନ୍ତି ଖୋଦ୍ ଉପପ୍ରଧାନମନ୍ତ୍ରୀ। 

ଜାମ୍ମୁ-କାଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଦିନ ପରେ, ଭାରତ ମେ ୭ ତାରିଖରେ ପାକିସ୍ତାନର ଏହି ବାୟୁସେନା ଘାଟି ଉପରେ ଆକ୍ରମଣ କରିଥିଲା। ଏଥିରୁ ଦୁଇଟି ଏୟାର ବେସ୍‌ରେ ବହୁତ କ୍ଷତି ହୋଇଥିଲା। ଜିଓ ନ୍ୟୁଜକୁ ପ୍ରତିକ୍ରିୟା ଦେଇ ଡାର କହିଛନ୍ତି ଯେ ପାକିସ୍ତାନ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ହେଉଥିବା ବେଳେ ଭାରତ ଆକ୍ରମଣ କରିଥିଲା। ଅର୍ଥାତ୍ ଭାରତ ଖୁବ୍‌ଶୀଘ୍ର ଆକ୍ସନ ନେଇଥିଲା। 

ତେବେ ଭାରତର କହିବା ଅନୁଯାୟୀ, ଏହି କାର୍ଯ୍ୟାନୁଷ୍ଠାନ "ସଠିକ, ମାପଯୁକ୍ତ ଏବଂ ମାମଲାକୁ ନ ବଢ଼ାଇବାକୁ କରାଯାଇଥିଲା। ଏଥିରେ କେବଳ ସୀମାପାର ଆକ୍ରମଣ ଯୋଜନା କିମ୍ବା ସମର୍ଥନରେ ଜଡିତ ଆତଙ୍କବାଦ-ସମ୍ବନ୍ଧୀୟ ଭିତ୍ତିଭୂମି ଏବଂ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ହେଲେ ପାକିସ୍ତାନ ଏହାକୁ ନିଜ ଉପରେ ଆକ୍ରମଣ ଭାବି ଆଟାକ୍ କରିଥିଲା। 

ଜିଓ ନ୍ୟୁଜ୍‌କୁ ପ୍ରତିକ୍ରିୟା ଦେଇ ଡାର୍ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି। ଭାରତୀୟ ଆକ୍ରମଣର ମାତ୍ର ୪୫ ମିନିଟ୍ ମଧ୍ୟରେ, ସାଉଦି ପ୍ରିନ୍ସ ଫୈସଲ ବିନ୍ ସଲମାନ ବ୍ୟକ୍ତିଗତ ଭାବେ ତାଙ୍କୁ ଫୋନ୍ କରିଥିଲେ।  ଏବଂ ପାକିସ୍ତାନ ପକ୍ଷରୁ ସେ ଜୟଶଙ୍କରକୁ ଫୋନ୍ କରି ପାକିସ୍ତାନ ଯୁଦ୍ଧ ବନ୍ଦ କରିବାକୁ ରାଜି ଅଛି ବୋଲି କହିବେ କି ବୋଲି ପଚାରିଥିଲେ। 

ମାମଲା ଥଣ୍ଡା କରିବାକୁ ପାକିସ୍ତାନ ପକ୍ଷରୁ ସାଉଦି ରାଜକୁମାର ଭାରତକୁ କହିବାକୁ ଚାହୁଁଥିଲେ ବୋଲି ଡାର ପ୍ରକାଶ କରିଛନ୍ତି। ଭାରତ-ପାକିସ୍ତାନ ମଧ୍ୟରେ ତ୍ତେଜନା ହ୍ରାସ କରିବାକୁ ରିୟାଦ ନିରବ ରହି ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସେ ଦର୍ଶାଇଛନ୍ତି। କେବଳ ସେତିକି ନୁହେଁ ଭାରତର ଆକ୍ରମଣରୁ ରକ୍ଷା ପାଇବା ପାଇଁ ପାକିସ୍ତାନ ଆମେରିକାର ମଧ୍ୟ ଦ୍ୱାରସ୍ଥ ହୋଇଥିବା ଡାର ଖୁଲାସା କରିଛନ୍ତି।

  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.