ଭୁବନେଶ୍ୱର: ଭାରତ ବିରଳ ଖଣିଜ ପଦାର୍ଥ ପାଇଁ ଆଉ ଚୀନ ଉପରେ ନିର୍ଭର କରିବନି। କାରଣ ରାଜସ୍ଥାନରେ ମିଳିଛି ବିରଳ ଖଣିଜ ପଦାର୍ଥର ବିଶାଳ ଭଣ୍ଡାର। ଏଗୁଡ଼ିକୁ ଖନନ କରି ଭାରତ ଏବେ ଚୀନକୁ ଟକ୍କର ଦେବ। ଇଲେକ୍ଟ୍ରୋନିକ୍ସ, ଗ୍ରୀନ ଏନର୍ଜୀ, ପ୍ରତିରକ୍ଷା, ହାଇପାୱାର ଚୁମ୍ବକ, ମହାକାଶ ଏବଂ ଅନ୍ୟାନ୍ୟ ଉପକରଣର ତିଆରି କ୍ଷେତ୍ରରେ ରେୟାର ଆର୍ଥ ମ୍ୟାଟେରିଆଲ୍ର ଆବଶ୍ୟକ। ଏହା ଚୀନ ପାଖରେ ୯୦ ପ୍ରତିଶତ ଭାଗ ଥିବାରୁ ସେ ଅନେକ ସମୟରେ ମନମାନି କରି ଭାରତକୁ ହଇରାଣ କରୁଥିଲା। ହେଲେ ଏବେ ଆଉ ଏହା ହେବନି। ସେହିପରି ଆଉ ଏକ ଖୁସୀ ଖବର ହେଲା ଭାରତର ପ୍ରଥମ ରାଜ୍ୟ ଭାବେ ଆସାମ ଏବେ ଡିଜେଲ୍, ପେଟ୍ରୋଲ ପ୍ରଡକ୍ସନ କରିବ। ଫଳରେ ଭାରତ ଅର୍ଥନୀତି ଦ୍ରୁତ ଗତିରେ ଦୌଡ଼ିବ।
ବୁଧବାର କେନ୍ଦ୍ର ସରକାର ସଂସଦରେ ଦେଇଥିବା ସୂଚନା ଅନୁସାରେ, ଭାରତରେ ପ୍ରାୟ ୭.୨୩ ମିଲିୟନ ଟନ୍ ବିରଳ ରେୟାର ଆର୍ଥ ଏଲିମେଣ୍ଟ୍ସ ଅକ୍ସାଇଡ୍ (REO) ରହିଛି ଯାହା ୧୨.୧୫ ମିଲିଅନ ଟନ ମୋନାଜାଇଟ୍ (ଥୋରିୟମ୍ ଏବଂ ବିରଳ ପୃଥିବୀର ଏକ ଖଣିଜ ପଦାର୍ଥ) ରେ ମିଶି ରହିଛି। ଯାହା ଆନ୍ଧ୍ର ପ୍ରଦେଶ, ଓଡ଼ିଶା, ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ଗୁଜରାଟ ଏବଂ ମହାରାଷ୍ଟ୍ରର କିଛି ଅଂଶରେ ଉପକୂଳ ବେଳାଭୂମି ଓ ପଥୁରିଆ, ଏବଂ ଲାଲ ମାଟି ଅଞ୍ଚଳରେ ରହିଛି। ସେହିପରି ଗୁଜୁରାଟ ଏବଂ ରାଜସ୍ଥାନର କିଛି ଅଂଶରେ ୧.୨୩ ମିଲିଅନ ଟନ ବିରଳ ଖଣିଜ ପଦାର୍ଥ କଠିନ ପଥର ଆକାରରେ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ସଂସଦରେ ସୂଚନା ଦେଇଥିଲେ।
ଏହା ସହିତ, ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ୩୪ଟି ଅନୁସନ୍ଧାନ ପ୍ରକଳ୍ପରେ ବିଭିନ୍ନ କଟ-ଅଫ୍ ଗ୍ରେଡରେ ବିରଳ ଖଣିଜ ପଦାର୍ଥର ୪୮୨.୬ ମିଲିଅନ ରହିଥାଇପାରେ ବୋଲି ଅନୁମାନ କରିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସେପଟେ ସବୁଠାରୁ ବଡ଼ କଥା ହେଲା ରାଜସ୍ଥାନରେ ବିପୁଳ ପରିମାଣରେ ବିରଳ ଖଣିଜର ସନ୍ଧାନ କରାଯାଇଥିବା ବେଳେ ଆସାମ ପ୍ରଥମ ରାଜ୍ୟ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ୍ ଉତ୍ପାଦନ କରିବାକୁ ଯାଉଛି।
ଭାରତୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ (GSI) ଏବଂ ପରମାଣୁ ଖଣିଜ ନିର୍ଦ୍ଦେଶାଳୟ (AMD) ଦ୍ୱାରା କରାଯାଇଥିବା ସର୍ଭେରେ ରାଜସ୍ଥାନ ବାଲୋତ୍ରାର ସିୱାନା ତହସିଲର ଭାଟି ଖେଡାରେ ରେୟାର ଆର୍ଥ ମ୍ୟାଟେରିଆଲର ବିଶାଳ ଭଣ୍ଡାର ମିଳିଛି।
ମିଳିଥିବା ସୂଚନା ଅନୁସାରେ ବାରମେର, ବାଲୋତ୍ରା ଏବଂ ଜାଲୋରରେ ବିରଳ ପୃଥିବୀ ଖଣିଜ ପଦାର୍ଥ ପାଇଁ ସର୍ଭେ ଚାଲିଛି। ବିଶେଷଜ୍ଞମାନେ କହିଛନ୍ତି, ଏଗୁଡ଼ିକର ସଠିକ ମୂଲ୍ୟାୟନ ଓ ମ୍ୟାପିଂ କରି ଉତ୍ପାଦନ କଲେ ତେବେ ରାଜସ୍ଥାନ ବିଶ୍ୱରେ ରେୟାର ଆର୍ଥ ମ୍ୟାଟେରିଆଲ ଉତ୍ପାଦନର ଏକ ପ୍ରମୁଖ କେନ୍ଦ୍ର ହୋଇପାରିବ। ଏଠାରେ ବିଶେଷଜ୍ଞମାନେ ନିଓଡିମିୟମ୍ ଏବଂ ଡିସପ୍ରୋସିୟମ୍ ଭଳି ରେୟାର ଆର୍ଥ ମ୍ୟାଟେରିଆଲ ସନ୍ଧାନ ପାଇଛନ୍ତି। ଅଧିକାଂଶ ଅନୁସନ୍ଧାନ ବର୍ତ୍ତମାନ ପ୍ରାରମ୍ଭିକ ପର୍ଯ୍ୟାୟରେ ରହିଛି। ସର୍ଭେ ଅଧିକ ହେଲେ ଭାରତର ଅଧିକ ବିରଳ ଖଣିଜର ସନ୍ଧାନ ମିଳିପାରେ। କାରଣ ଆମେରିକା ଭୂତାତ୍ତ୍ୱିକ ସର୍ବେକ୍ଷଣ (USGS) ଅନୁସାରେ, ଭାରତ ପାଖରେ ବିଶ୍ୱର ତୃତୀୟ ବଡ଼ ରେୟାର ଆର୍ଥ ମ୍ୟାଟେରିଆଲ ଭଣ୍ଡାର ରହିଛି।
ଇଲେକ୍ଟ୍ରୋନିକ୍ସ, ଗ୍ରୀନ ଏନର୍ଜୀ, ପ୍ରତିରକ୍ଷା, ଶକ୍ତିଶାଳୀ ଚୁମ୍ବକ, ମହାକାଶ ଏବଂ ଅନ୍ୟାନ୍ୟ ଉପକରଣ ନିର୍ମାଣରେ ରେୟାର ଆର୍ଥ ମ୍ୟାଟେରିଆଲ୍ ବ୍ୟବହାର କରାଯାଉଥିବା ବେଳେ, ବିଶ୍ୱ ବଜାରରେ ଏଗୁଡ଼ିକର ବିପୁଳ ଚାହିଦା ରହିଛି। ହେଲେ ଚୀନ ପାଖରେ ଏହାର ୯୦ ପ୍ରତିଶତ ଭାଗ ରହିଥବାରୁ ସେ ମନମାନି କରୁଛି। ତେବେ ରାଜସ୍ଥାନରେ ବହୁ ପରିମାଣରେ ଖଣିଜ ପଦାର୍ଥ ମିଳିବା ପରେ ଭାରତକୁ ଏ କ୍ଷେତ୍ରରେ ଫାଇଦା ହେବ।
ସେପଟେ ଆଉ ଏକ ଖୁସିର ଖବର ହେଲା ଦେଶର ପ୍ରଥମ ରାଜ୍ୟ ଭାବେ ଆସାମ ମାଟି ତଳୁ ତେଲ ଉତ୍ପାଦନ କରିବାକୁ ଯାଉଛି। ଆସାମର ନାମରୂପ ବୋରହାଟ-୧ ତୈଳ କୂପରୁ ସିଧାସଳଖ ଅଶୋଧିତ ତୈଳରୁ ଉତ୍ପାଦନ କରାଯିବ। ନିକଟରେ ଏହି ତୈଳ କୂପରେ ହାଇଡ୍ରୋକାର୍ବନ ଆବିଷ୍କାର କରାଯାଇଛି। ଡିବ୍ରୁଗଡ଼ ଜିଲ୍ଲାରେ ଅବସ୍ଥିତ, ନାମରୂପ ବୋରହାଟ-୧ ହାଇଡ୍ରୋକାର୍ବନ ରିଜର୍ଭ କେବଳ ରାଜ୍ୟ ପାଇଁ ନୁହେଁ ବରଂ ଭାରତର ବ୍ୟାପକ ତୈଳ ଏବଂ ଗ୍ୟାସ କ୍ଷେତ୍ର ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।
ଗତ ଏକ ଦଶନ୍ଧି ଧରି, ଆସାମ ଭାରତର ତୈଳ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସିଛି। ୧୮୮୯ରେ ଦିଗବୋଇରେ ଦେଶର ପ୍ରଥମ ତୈଳ ସନ୍ଧାନ ମିଳିଥିଲା। ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ୨୦୨୩-୨୪ରେ ଆସାମ ୪ ହଜାର ୩୬୧ ମେଟ୍ରିକ୍ ଟନ୍ ଅଶୋଧିତ ତୈଳ ଉତ୍ପାଦନ କରିଥିଲା। ଯାହା ରାଜସ୍ଥାନ ଏବଂ ଗୁଜରାଟ ପରେ ଭାରତରେ ତୃତୀୟ ସ୍ଥାନରେ ଥିଲା। ୨୦୨୧-୨୨ ଏବଂ ୨୦୨୩-୨୪ ମଧ୍ୟରେ ଦେଶର ମୋଟ ୮୮ ହଜାର ୨୨୩ ମେଟ୍ରିକ୍ ଟନ ଅଶୋଧିତ ତୈଳ ଉତ୍ପାଦନ ହୋଇଥିଲା, ଯେଉଁଥିରେ ଆସାମର ପ୍ରାୟ ୧୨, ୫୧୮ ମେଟ୍ରିକ ଟନର ଯୋଗଦାନ ଥିଲା।