ପୂର୍ବତନ WEF ଏମ୍‌ଡିଙ୍କ ଚେତାବନୀ, ଭାରତର ମୁଣ୍ଡ ପିଛା ଆୟ ଚିନ୍ତାଜନକ

Published By : Prameya-News7 Bureau | June 09, 2025 IST

ନୂଆଦିଲ୍ଲୀ ୦୯/୦୬: ଜାପାନକୁ ଟପି ଭାରତ ଖୁବ୍‌ଶୀଘ୍ର ବିଶ୍ୱର ଚତୁର୍ଥ ବୃହତ୍‌ ଅର୍ଥନୀତି  ପାଲଟିବାକୁ ଯାଉଛି । ଏହି ଖବରକୁ ନେଇ ଦେଶବାସୀ ଖୁସି ହେଉଛନ୍ତି । କିନ୍ତୁ ବାସ୍ତବରେ କ’ଣ ଏହା ଖୁସିର ବିଷୟ । ବିଶେଷଜ୍ଞଙ୍କ ମତରେ,ଏହାକୁ ନେଇ ଅଧିକ ଖୁସି ହେବା ଉଚିତ ନୁହେଁ । ଯଦିଓ ଅର୍ଥନୀତିର ଆକାର କ୍ଷେତ୍ରରେ ଭାରତ ଜାପାନକୁ ପଛରେ ପକାଇବାକୁ ଯାଉଛି, ମୁଣ୍ଡ ପିଛା  ଆୟ କ୍ଷେତ୍ରରେ ଦେଶ ଜାପାନଠୁ ବହୁ ତଳେ ।  

ବିଶ୍ୱ ଅର୍ଥନୈତିକ ଫୋରମ୍‌ର ପୂର୍ବତନ  ପରିଚାଳନା ନିର୍ଦ୍ଦେଶକ କ୍ଲାଉଡ୍‌ ସ୍ମାଦଜା କହିଛନ୍ତି  ଯେ, ଭାରତୀୟ ଅର୍ଥବ୍ୟବସ୍ଥାର ଆକାର ବହୁତ ବଡ଼, ଏଥିରେ ଦୁଇ ମତ ନାହିଁ । କିନ୍ତୁ ମୁଣ୍ଡ  ପିଛା ଜିଡିପି କ୍ଷେତ୍ରରେ ଏହା ଜାପାନଠାରୁ  ବହୁ ପଛରେ ରହିଛି । ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଅନୁସାରେ, ୨୦୨୫  ଏପ୍ରିଲ ସୁଦ୍ଧା ଭାରତର ମୁଣ୍ଡ ପିଛା ଜିଡିପି  ୨,୮୭୮.୪ ଡଲାର ବା ୨.୫ ଲକ୍ଷ ଟଙ୍କା ରହିଛି । ଏହା ଜାପାନର ମୁଣ୍ଡ ପିଛା ଜିଡିପିର ମାତ୍ର  ୮.୫% । 

ପ୍ରକାଶଯୋଗ୍ୟ, ଜାପାନର ମୁଣ୍ଡ ପିଛା  ଜିଡିପି ରହିଛି ୩୩,୯୫୫.୭ ଡଲାର ବା ୨୯  ଲକ୍ଷ ଟଙ୍କା । ଏହାର ଅର୍ଥ, ଜାପାନର ମୁଣ୍ଡ ପିଛା ଆୟ ଭାରତଠାରୁ ପ୍ରାୟ ୧୧.୮ ଗୁଣା ଅଧିକ ।  ସ୍ମାଦଜାଙ୍କ ଅନୁସାରେ, ଭାରତୀୟ  ଅର୍ଥବ୍ୟବସ୍ଥାର ଆକାର ଏକ ଭଲ ସଂକେତ ।  ଏଥିରୁ ଜଣାପଡୁଛି ଯେ, ବିଶ୍ୱ ସ୍ତରରେ ଭାରତର  ଆର୍ଥିକ ଓଜନ କେତେ । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ଦେଶର ମୁଣ୍ଡ ପିଛା ଆୟ କେତେ । 

ସ୍ମାଦଜା କୁହନ୍ତି ଯେ, ଭାରତର ଆର୍ଥିକ  ସୁଧାରକୁ ଆହୁରି ଦ୍ରୁତ କରାଯିବା ଉଚିତ । ସେ  ଏହା ଜୋର ଦେଇଛନ୍ତି ଯେ, ଆର୍ଥିକ ବିକାଶର ଲାଭ ସମସ୍ତ ନାଗରିକଙ୍କୁ ମିଳିବା ଦରକାର ।  ଏହା କେବଳ ଅଭିବୃଦ୍ଧିଶୀଳ ମଧ୍ୟମ ବର୍ଗଙ୍କ  ମଧ୍ୟରେ ସୀମିତ ରହିବା ଉଚିତ ନୁହେଁ ।  ସ୍ମାଦଜା କହିଛନ୍ତି ଯେ, ଭାରତ ବିଶ୍ୱ  ପ୍ରଯୁକ୍ତି ଦୌଡ଼ରେ ଏକ ମହତ୍ୱପୂର୍ଣ୍ଣ ମୋଡ଼ରେ  ଛିଡ଼ାହୋଇଛି । ଭାରତ ପାଖରେ ବିଗ୍‌ ଡାଟାର  ଫାଇଦା ରହିଛି । ଦେଶରେ ଇଣ୍ଟର୍‌ନେଟ୍‌ ଏବଂ ମୋବାଇଲ ଫୋନ୍‌ର ବହୁଳ ବ୍ୟବହାର ହୋଇଥାଏ । 

ଏଥିପାଇଁ ଏଠାରେ ଡାଟା ଦ୍ରୁତ ବେଗରେ ବଢୁଛି । ଏହି ଡାଟା ଆମ ଜୀବନର  ଅନେକ ଦିଗ ଉପରେ ପ୍ରଭାବ ପକାଇଥାଏ ।  ସେ ଚେତାବନୀ ଦେଇଛନ୍ତି ଯେ, ଭାରତକୁ ଡାଟା  ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ପଡ଼ିବ । ଆମେରିକୀୟ ଟେକ୍ନୋଲୋଜି କମ୍ପାନିଗୁଡ଼ିକ ଭାରତର ଡାଟା ପର୍ଯ୍ୟନ୍ତ ପହଞ୍ଚିବାକୁ ଚାହାନ୍ତି । କାରଣ ଚୀନ୍‌ ଏହାର ଡାଟାର ବ୍ୟବହାର  ଉପରେ ରୋକ୍‌ ଲଗାଇ ଦେଇଛି । ୟୁରୋପ  ବି ନିୟମକୁ ଶକ୍ତ କରୁଛି । 

ସ୍ମାଦ୍‌ଜା କହିଛନ୍ତି  ଯେ, ଭାରତରେ ଆମକୁ ସୁନିଶ୍ଚିତ କରିବାକୁ  ହେବ ଯେ, ଆମେ ଏହି ବଡ଼ ରଣନୀତିକ  ସମ୍ପତ୍ତିକୁ ଯେପରି ସୁରକ୍ଷା ଦେଇପାରିବୁ । ଏହି ଡାଟା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ  ଏବଂ ଡିପ୍‌ ଟେକ୍‌ ଭଳି ପ୍ରଯୁକ୍ତିଗତ ବିକାଶ ପାଇଁ  ଅତ୍ୟନ୍ତ ଜରୁରୀ । ଏହାର ବ୍ୟବହାର ସମସ୍ତଙ୍କ  ଫାଇଦା ପାଇଁ କରାଯିବା ଉଚିତ । ବିଶେଷକରି  ଗ୍ରାମାଞ୍ଚଳରେ । ସ୍ମାଦଜା ଭାରତର ଷ୍ଟାର୍ଟଅପ୍‌ ଇକୋସିଷ୍ଟମ୍‌ର ପ୍ରଶଂସା କରିଛନ୍ତି । ସେ କହିଲେ ଯେ, ନବସୃଜନକୁ ପ୍ରୋତ୍ସାହନ ଦେବା ପାଇଁ  ଆହୁରି ଉତ୍ତମ ନୀତି ପ୍ରସ୍ତୁତ କରାଯିବା ଉଚିତ । ସେ କହିଲେ ଯେ, ଭାରତୀୟ କମ୍ପାନିଗୁଡ଼ିକ  ପ୍ରଯୁକ୍ତିକୁ କିଣିବା ପାଇଁ ଅଧିକ ଧ୍ୟାନ ଦେଉଛନ୍ତି,  ଏହାକୁ ବିକଶିତ କରିବା ପାଇଁ ନୁହେଁ ।  

ସ୍ମାଦଜାଙ୍କ ଅନୁସାରେ, ଭାରତୀୟ  କମ୍ପାନିଗୁଡ଼ିକ ଗବେଷଣା ଏବଂ ବିକାଶ ଉପରେ  ଅଧିକ ଧ୍ୟାନ ଦେବା ଉଚିତ । ଭାରତରେ ଯୁବ ଗୋଷ୍ଠୀଙ୍କ ସଂଖ୍ୟା ଅଧିକ । ଏହା ଏକ ବଡ଼ ଫାଇଦା । କିନ୍ତୁ ଲୋକଙ୍କୁ କୌଶଳ ଶିଖାଇବା ଏବଂ ସେମାନଙ୍କୁ ଅଧିକ ପ୍ରଶିକ୍ଷୀତ କରିବା ଉଚିତ । ଭାରତକୁ ୨୦୩୦ ସୁଦ୍ଧା ୭ ଟ୍ରିଲିୟନ ଡଲାର ଅର୍ଥବ୍ୟବସ୍ଥା ହେବାକୁ ପଡ଼ିବ । 

ଏଥିପାଇଁ ଏହାକୁ  ନିଜର ଔଦ୍ୟୋଗିକ ଆଧାରକୁ ବଢ଼ାଇବାକୁ  ପଡ଼ିବ । କାରଣ ଜିଡିପିରେ ବିନିର୍ମାଣର  ଅଂଶ ଚୀନ୍‌ ତୁଳନାରେ ଖୁବ୍‌ କମ୍‌ ରହିଛି । ସ୍ମାଦଜା କହିଲେ ଯେ, ଗ୍ରାମାଞ୍ଚଳରେ  ଉତ୍ପାଦକତା ବଢ଼ାଇବା ଅତି ଜରୁରୀ । ଏହାଦ୍ୱାରା  କେବଳ ଦେଶର ଆର୍ଥିକ ସ୍ଥିତି ଉନ୍ନତ ହେବ ନାହିଁ, ବରଂ ଗ୍ରାମୀଣ ଲୋକଙ୍କ କ୍ରୟ କ୍ଷମତା  ବଢ଼ିବ । ଲୋକ ଖର୍ଚ୍ଚ କଲେ ଅଭିବୃଦ୍ଧି ଦୌଡ଼ିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.