ନୂଆଦିଲ୍ଲୀ: ମୃଦ୍ୟୁପାନୀୟ, ମଦ ଓ ତମାଖୁ ଉପରେ ୫୦ ପ୍ରତିଶତ ମୂଲ୍ୟ ବଢ଼ାଇବାକୁ ବିଶ୍ୱକୁ ଆହ୍ୱାନ ଦେଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO)। ଆଗାମୀ ଦଶ ବର୍ଷ ମଧ୍ୟରେ ଏଗୁଡ଼ିକର ମୂଲ୍ୟ ୫୦% ବୃଦ୍ଧି କର ବୋଲି ହୁ କହିଛି। ସେଭିଲରେ ଅନୁଷ୍ଠିତ ୟୁଏନ ଫାଇନାନ୍ସ ଫର୍ ଡେଭଲପମେଣ୍ଟ ସମ୍ମିଳନୀରେ ଏହି ପ୍ରସ୍ତାବ ଉପସ୍ଥାପିତ କରାଯାଇଥିଲା। ଦୀର୍ଘକାଳୀନ ସ୍ୱାସ୍ଥ୍ୟ ସମସ୍ୟାକୁ ରୋକିବା ସହ ବିଶ୍ୱବ୍ୟାପୀ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ରାଜସ୍ୱ ସଂଗ୍ରହ କରିବା ଲକ୍ଷ୍ୟରେ ଏହି ନୂଆ ପ୍ରସ୍ତାବ ଅଣାଯାଇଛି।
ଏଗୁଡ଼ିକ ଖାଇବା ଦ୍ୱାରା ମଧୁମେହ ଓ କ୍ୟାନସର ଭଳି ରୋଗ ହେଉଛି। ତେଣୁ ଏହି ପଦକ୍ଷେପକୁ ସାର୍ବଜନୀନ ସ୍ୱାସ୍ଥ୍ୟ ସମସ୍ୟା ରୋକିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବରେ ଦେଖାଯାଉଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ରଣନୈତିକ ଯୋଜନା "୩ ବାଇ ୩୫" ମାଧ୍ୟମରେ ଏହି ଟିକସ ନୀତିରୁ ୨୦୩୫ ସୁଦ୍ଧା ୧ ଟ୍ରିଲିୟନ ଡଲାର ସଂଗ୍ରହ କରିବାର ଲକ୍ଷ୍ୟ ରଖିଛି। ହ୍ରାସ ପାଉଥିବା ବିକାଶ ସହାୟତା ଏବଂ ବୃଦ୍ଧି ପାଉଥିବା ସାର୍ବଜନୀନ ଋଣ ସହିତ ସଂଘର୍ଷ କରୁଥିବା ଦେଶଗୁଡ଼ିକ ପାଇଁ ଏହା ଏକ ଭଲ ଆର୍ଥିକ ନୀତି ହୋଇପାରିବ ବୋଲି ହୁ ବିଚାର କରୁଛି। ଏହି ପଦ୍ଧତି କେବଳ ସ୍ୱାସ୍ଥ୍ୟ ସେବା ଉନ୍ନତିରେ ଯେ ଲାଗିବ ତାହା ନୁହେଁ, ବରଂ ସ୍ୱାସ୍ଥ୍ୟ ସେବା ପାଇଁ ଆର୍ଥିକ ସ୍ଥିରତା ପ୍ରଦାନ କରିବାକୁ ମଧ୍ୟ ସୁଯୋଗ ସୃଷ୍ଟି କରିବ ବୋଲି ହୁ କହିଛି।
ପ୍ରକୃତରେ କୋଲୋମ୍ବିଆ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶଗୁଡ଼ିକ ମୃଦ୍ୟୁପାନୀୟ,ମଦ ଓ ତମାଖୁର ମୂଲ୍ୟ ବଢ଼ାଇ ଆର୍ଥିକ ସମୃଦ୍ଧ ହେବା ସହ ଏଗୁଡ଼ିକର ବ୍ୟବହାର ମଧ୍ୟ କମ୍ କରିପାରିଛନ୍ତି। ତେଣୁ ଏହି ଦେଶମାନଙ୍କୁ ଉଦାହରଣରେ ନେଇ ହୁ ଏହି ପଦକ୍ଷେପ ନେଇଛି।
ସେହିପରି ହୁର ଏହି ନିଷ୍ପତ୍ତିକୁ ମୃଦ୍ୟୁପାନୀୟ ନିର୍ମାତାମାନେ ବିରୋଧ କରିଛନ୍ତି। ଇଣ୍ଟରନ୍ୟାସନାଲ କାଉନସିଲ୍ ଅଫ୍ ବେଭେରେଜେସ୍ ଆସୋସିଏସନ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କେଟ୍ ଲୋଟମ୍ୟାନ୍ ଏହାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବିନା କୌଣଶି ପ୍ରମାଣରେ ଦଶନ୍ଧୀ ଧରି ଏହି ଦାବି କରି ଆସୁଛି। ମୃଦ୍ୟୁପାନୀୟ ଉପରେ ଶୁଳ୍କ ଲଗାଇବା ଦ୍ୱାରା କୌଣସି ଦେଶର ସ୍ୱାସ୍ଥ୍ୟରେ ଉନ୍ନତି ଆସି ନାହିଁ କି ମୋଟାପଣ କମି ନାହିଁ। ହୁର ଏଭଳି ପ୍ରସ୍ତାବ ଚିନ୍ତାଜନକ ବୋଲି ସେ କହିଛନ୍ତି।