ପୁରୀ: ଅଦିନିଆ ରଥଯାତ୍ରାର ଆୟୋଜନ କରି ବିବାଦରେ ଫସିଥିବା ଇସ୍କନ ଏବେ ପୁଣି ଆଉ ଏକ ବିବାଦରେ । ନୂଆ ବିବାଦ କଲିକତାରେ ଇସ୍କନ୍ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ରଥଯାତ୍ରାକୁ ନେଇ। ପ୍ରକୃତରେ ଏଠାରେ ଆଗାମୀ ଦିନରେ ଯେଉଁ ରଥଯାତ୍ରା ହେବାକୁ ଯାଉଛି, ସେଥିରେ ରଥରେ କାଠ ଚକ ବଦଳରେ ସୁଖୋଇ ଯୁଦ୍ଧ ବିମାନର ଚକ ବ୍ୟବହାର କରାଯାଇଛି। ଯାହାର ଭିଡିଓ ସାମ୍ନାକୁ ଆସିବା ପରେ ପୁଣି ମୁଣ୍ଡ ଟେକିଛି ବିବାଦ। ଆଉ ରଥର ଏଭଳି ବିକୃତ ଅବସ୍ଥାକୁ ଦେଖି ସେବାୟତ ଓ ଭକ୍ତ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି।
ଶ୍ରୀମନ୍ଦିର ବରିଷ୍ଠ ସେବାୟତ ତଥା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଜଗନ୍ନାଥ ସ୍ବାଇଁ ମହାପାତ୍ର କହିଛନ୍ତି ରଥ ସମ୍ପୂର୍ଣ୍ଣ କାଠରେ ହେବା ଉଚିତ୍। ହେଲେ ଦୁର୍ଭାଗ୍ୟର ବିଷୟ ଇସ୍କନ ଏହି ପରମ୍ପରାକୁ ନମାନି ଏକ ଯୁଦ୍ଧ ବିମାନର ଚକା ରଥ ଚକରେ ବ୍ୟବହାର କରିବା ସମ୍ପୂର୍ଣ୍ଣ ପରମ୍ପରା ବିରୋଧୀ। ଇସ୍କନ ଯେଉଁଭଳି ଭାବେ ମହାପ୍ରଭୁଙ୍କ ପରମ୍ପରାକୁ ନେଇ ଖେଳ ଖେଳୁଛି ସାରା ଦେଶରୁ ଇସ୍କନକୁ ବହିଷ୍କାର କରିବାକୁ ଜଗନ୍ନାଥଙ୍କ ମୁଖ୍ୟ ବାଡ଼ଗ୍ରାହୀ ଦାବି କରିଛନ୍ତି।
ସେହିଭଳି ପୁରୀ ଜିଲ୍ଲାପାଳ କହିଛନ୍ତି, ବିଦେଶରେ ଅଦିନିଆ ରଥଯାତ୍ରା କରି ସମାଲୋଚନାର ସରବ୍ୟ ହୋଇଛି ଇସ୍କନ। ଏଭଳି ଜଗନ୍ନାଥ ସଂସ୍କୃତି ପରମ୍ପରା ବିରୋଧୀ କାର୍ଯ୍ୟ ନକରିବାକୁ ଗଜପତି ମହାରାଜା ଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଙ୍କ ପକ୍ଷରୁ ଇସ୍କନକୁ ଅବଗତ କରାଯାଇଛି। ଏଣୁ ଜଗନ୍ନାଥ ସଂସ୍କୃତି, ପରମ୍ପରା ଭିତରେ ରହି ମହାପ୍ରଭୁଙ୍କ ସମସ୍ତ ପର୍ବ ପର୍ବାଣୀ ପାଳନ ପାଇଁ ପୂର୍ବରୁ ଇସ୍କନକୁ ଶ୍ରୀମନ୍ଦିର ପ୍ରଶାସନ ଏବଂ ଜଗନ୍ନାଥ ପ୍ରେମୀମାନେ ଅବଗତ କରାଇଛନ୍ତି।
ତେବେ ଏହା ସତ୍ତ୍ୱେ ରଥ ନିର୍ମାଣକୁ ଇସ୍କନ୍ ବିକୃତ କରି କାଠର ରଥ ଚକ ପରିବର୍ତ୍ତେ ଟାୟାର ଥିବା ଚକକୁ ରଥରେ ଲଗାଇବା ଆଦୌ ଗ୍ରହଣୀୟ ନୁହେଁ। ପୂର୍ବରୁ ମହାପ୍ରଭୁଙ୍କ ପରମ୍ପରାକୁ ମାନିବା ପାଇଁ ଇସ୍କନ୍ କୁ କୁହାଯାଇଛି। ଏଣୁ ଇସ୍କନ ମହାପ୍ରଭୁଙ୍କ ପରମ୍ପରାକୁ ସମ୍ମାନ ଜଣାଇବାକୁ ପୁରୀ ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି।