ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦୁଇ ପୁଅ, ସରିଫ୍ ସରକାରର ଖୁବ୍ ସମାଲୋଚନା କରିଛନ୍ତି। କେବଳ ଏତିକି ନୁହେଁ ସେମାନେ ପାକିସ୍ତାନୀ ଜେଲ୍ରେ ବନ୍ଦୀ ଥିବା ତାଙ୍କ ବାପାଙ୍କ ସାହାଯ୍ୟ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ନିବେଦନ କରିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପୁଅ ସୁଲେମାନ ଓ କାସିମ ଶୁକ୍ରବାର କହିଥିଲେ ଯେ, ଟ୍ରମ୍ପ ହିଁ ଜଣେ ଏମିତି ବ୍ୟକ୍ତି , ଯିଏ ତାଙ୍କ ବାପାଙ୍କୁ ସାହାଯ୍ୟ କରି ପାରିବେ।
ଇମ୍ରାନଙ୍କ ଦୁଇ ପୁଅଙ୍କର ଏହି ଟିପ୍ପଣୀ ଏମିତି ସମୟରେ ସାମ୍ନାକୁ ଆସିଛି, ଯେତେବେଳେ ତାଙ୍କର ମାଉସୀ ଅଲିମା ଖାନ ଦୁହିଁଙ୍କର ପାକିସ୍ତାନ ଆସିବା କଥା ମିଡ଼ିଆ ସମ୍ମୁଖରେ ଜଣାଇଛନ୍ତି। ଅଲିମା କହିଥିଲେ ଯେ , ସେମାନେ ଦୁହେଁ ପାକିସ୍ତାନ ଆସିବାକୁ ଚାହାନ୍ତି , ଏଥିପାଇଁ ସେମାନେ ଭିସା ମଧ୍ୟ ଆବେଦନ କରି ସାରିଛନ୍ତି , କିନ୍ତୁ ଏଠାର ସରକାର ତାଙ୍କୁ କ୍ଲିୟରାନ୍ସ ଦେଉ ନାହିଁ।
ବ୍ରିଟିଶ ନ୍ୟୁଜ୍ ଚ୍ୟାନେଲକୁ କାସିମ କହିଛନ୍ତି ଯେ, ଯଦି କିଏ ତାଙ୍କ ବାପାଙ୍କ ସ୍ଥିତିରେ ପରିବର୍ତ୍ତନ ଆଣିପାରେ ତ ସେ ହିଁ କେବଳ ଡୋନାଲ୍ଡ ଟ୍ରମ୍ପ। ଏହା ପୂର୍ବରୁ ଅଲିମା ନିଜର ଏକ ପୋଷ୍ଟରେ ଲେଖିଛନ୍ତି, ବ୍ରିଟେନରେ ପାକିସ୍ତାନୀ ରାଷ୍ଟ୍ରଦୂତଙ୍କୁ ଯେବେ ଆମେ ଏହି ବିଷୟରେ କଥାବାର୍ତ୍ତା କରିଥିଲୁ , ତ ସେ କହିଛନ୍ତି ଯେ ସେ ଇସଲାମାବାଦରୁ ଗୃହ ମନ୍ତ୍ରଣାଳୟର ସ୍ୱୀକୃତିକୁ ଅପେକ୍ଷା କରିଛନ୍ତି, ଏହା ପାଇବା ତାଙ୍କୁ ମିଳିବା କ୍ଷଣି ସେ ଭିସା ଜାରି କରି ଦେବେ।
ଇମ୍ରାନ ଖାନଙ୍କ ଦୁଇ ପୁଅଙ୍କ ପକ୍ଷରୁ କରାଯାଇ ଥିବା ଏହି ଦାବି ଉପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀଙ୍କର ମଧ୍ୟ ବିବୃତ୍ତି ସାମ୍ନାକୁ ଆସିଛି। ସେ କହିଛନ୍ତି ଯେ, ଇମ୍ରାନଙ୍କ ଦୁଇ ପୁଅଙ୍କ ପାଖରେ ବିଦେଶୀ ପାକିସ୍ତାନୀ ହେବାର ପରିଚୟ ପତ୍ର ଅଛି, ତେବେ ସେମାନଙ୍କୁ ଭିସାର ଆବଶ୍ୟକ କାହିଁକି ? ସେ ଅଲିମାଙ୍କୁ ଉତ୍ତର ଦେଇ କହିଛନ୍ତି ଯେ , ସେ ପୂର୍ବରୁ କହିଥିଲେ ଯେ, ତାଙ୍କ ପାଖରେ ଆଇକାର୍ଡ ଅଛି। ଯଦି ଏହା ସତ , ତାଙ୍କୁ ଭିସାର ଆବଶ୍ୟକ ହିଁ ନାହିଁ । ଏବେ ଯଦି ତାଙ୍କୁ ଭିସାର ଆବଶ୍ୟକ ଅଛି ତ , ପୁଣି ଏହାର ଅର୍ଥ ଯେ ସେ ପାକିସ୍ତାନର ନାଗରିକ ହିଁ ନୁହଁନ୍ତି।