ନୂଆଦିଲ୍ଲୀ: ଚମତ୍କାର ପ୍ରଦର୍ଶନ କରି ବର୍ଷର ତୃତୀୟ ଗ୍ରାଣ୍ଡ ସ୍ଲାମ୍ ୱିମ୍ବଲଡନର ମହିଳା ସିଙ୍ଗଲ୍ସ ଟାଇଟଲ୍ ଜିତିଛନ୍ତି ପୋଲାଣ୍ଡର ଇଗା ସ୍ୱିଆଟେକ୍ । ୱିମ୍ବଲଡନ୍ ଚାମ୍ପିଅନଶିପ୍ ୨୦୨୫ରେ ମହିଳା ସିଙ୍ଗଲ୍ସ ଫାଇନାଲ୍ ଶନିବାର ଇଗା ସ୍ୱିଆଟେକ୍ ଏବଂ ଅମାଣ୍ଡା ଆନିସିମୋଭାଙ୍କ ମଧ୍ୟରେ ଖେଳାଯାଇଥିଲା । ଫାଇନାଲରେ ଏକପାଖିଆ ମ୍ୟାଚ୍ରେ ସ୍ୱିଆଟେକ୍ ଆମେରିକାର ଅମାଣ୍ଡା ଆନିସିମୋଭାଙ୍କୁ ଲଗାତାର ଦୁଇଟି ସେଟରେ ୬-୦, ୬-୦ରେ ପରାସ୍ତ କରିଛନ୍ତି । ଅମାଣ୍ଡାଙ୍କ ପ୍ରଦର୍ଶନ ଏତେ ନିରାଶାଜନକ ଥିଲା ଯେ ଗୋଟିଏ ବି ଗେମ୍ ଜିତି ପାରିଲେ ନାହିଁ । ଏହାସହ ୱିମ୍ବଲଡନ୍ ଟାଇଟଲ୍ ଜିତିବାରେ ସ୍ୱିଆଟେକ୍ ପୋଲାଣ୍ଡର ପ୍ରଥମ ମହିଳା ଖେଳାଳି ହୋଇଛନ୍ତି ।
ପ୍ରଥମ ସେଟ୍ କୁ ୬-୦ରେ ଜିତିବା ପାଇଁ ଇଗା ସ୍ୱିଆଟେକ୍ ମାତ୍ର ୨୫ ମିନିଟ୍ ସମୟ ନେଇଥିଲେ । ଆନିସିମୋଭା ୧୪ଟି ଅନଫୋର୍ସଡ୍ ଏରର୍ କରିଥିଲେ, ଅନ୍ୟପଟେ ସ୍ୱିଆଟେକ୍ କେବଳ ୨ଟି ଏରର୍ କରିଥିଲେ । ସ୍ୱିଆଟେକ୍ ଦ୍ୱିତୀୟ ସେଟ୍ରେ ମଧ୍ୟ ଦବଦବା ବଜାୟ ରଖିଥିଲେ ଏବଂ ଘଣ୍ଟାଏରୁ କମ୍ ସମୟ ମଧ୍ୟରେ ଟାଇଟଲ୍ ଜିତିଥିଲେ ।
ଅମାଣ୍ଡା ଓ ସ୍ୱିଆଟେକ୍ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକର ମ୍ୟାଚ୍ ଆଶା କରାଯାଉଥିଲା । କିନ୍ତୁ ସ୍ୱିଆଟେକ୍ ମାତ୍ର ୫୭ ମିନିଟରେ ଟାଇଟଲ୍ ମ୍ୟାଚ୍ ଜିତି ନେଇଥିଲେ । ୧୧୪ ବର୍ଷରେ ଏହା ପ୍ରଥମ ଥର ଯେତେବେଳେ କୌଣସି ଖେଳାଳି ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ଗୋଟିଏ ବି ଗେମ୍ ଜିତିପାରି ନାହାନ୍ତି । ଆଜିର ବିଜୟ ସ୍ୱିୟାଟେକଙ୍କ କ୍ୟାରିୟର ଗ୍ରାଣ୍ଡ ସ୍ଲାମରେ ୧୦୦ତମ ବିଜୟ । ସେ ୨୦୧୯ରେ ଡ୍ର’ରୁ ଗ୍ରାଣ୍ଡ ସ୍ଲାମ ଡେବ୍ୟୁ କରିଥିଲେ ।
ବିଶ୍ୱର ପୂର୍ବତନ ଏକ ନମ୍ୱର ମହିଳା ଖେଳାଳି ସ୍ୱିଆଟେକ୍ ଆଜି ଯାଏ ୱିମ୍ବଲଡନ୍ ଟାଇଟଲ୍ ଜିତି ପାରି ନଥିଲେ । ମହିଳା ସିଙ୍ଗଲ୍ସ ବର୍ଗରେ ଏହା ତାଙ୍କର ଷଷ୍ଠ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ । ପୂର୍ବରୁ ସେ ଚାରି ଥର ଫ୍ରେଞ୍ଚ୍ ଓପନ୍ ଏବଂ ଥରେ ୟୁଏସ୍ ଓପନ୍ ଜିତିଥିଲେ । ସ୍ୱିଆଟେକ୍ ୨୦୨୦, ୨୦୨୨, ୨୦୨୩, ୨୦୨୪ରେ ଫ୍ରେଞ୍ଚ ଓପନ୍ ଏବଂ ୨୦୨୨ରେ ୟୁଏସ୍ ଓପନ୍ ଜିତିଥିଲେ ।
୨୦୧୬ ପରଠାରୁ ପ୍ରତ୍ୟେକ ଥର ଜଣେ ନୂଆ ଖେଳାଳି ୱିମ୍ବଲେଡନ ମହିଳା ସିଙ୍ଗଲ୍ସ ଟ୍ରଫି ଜିତିଛନ୍ତି । ଗାର୍ବାଇନ୍ ମୁଗୁରୁଜା (୨୦୧୭), ଆଞ୍ଜେଲିକ୍ କର୍ବର (୨୦୧୮), ସିମୋନା ହାଲେପ୍ (୨୦୧୯),ଏଶ୍ ବାର୍ଟି (୨୦୨୧), ଏଲେନା ରିବାକିନା (୨୦୨୨), ମାର୍କେଟା ଭୋଣ୍ଡ୍ରୋସୋଭା (୨୦୨୩) ଏବଂ ବାର୍ବୋରା କ୍ରେଜିକୋଭା (୨୦୨୪) ୱିମ୍ବଲଡନ୍ ଟ୍ରଫି ଜିତିଥିଲେ । ଏଥର ବି ୱିମ୍ବଲଡନ ଜଣେ ନୂଆ ମହିଳା ଚାମ୍ପିଅନ୍ ପାଇଛି ।