ନୂଆଦିଲ୍ଲୀ ୨।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଋଷିଆରୁ ତେଲ କିଣିବା ଯୋଗୁ ଭାରତକୁ ଲଗାତାର ଟାର୍ଗେଟ୍ କରି ଆସୁଛନ୍ତି। ଋଷିଆରୁ ତେଲ କିଣା ଭାରତ ବନ୍ଦକରୁ ବୋଲି ସେ ସଫାସଫା କହୁଛନ୍ତି। ଏଥି ପାଇଁ ଡୋନାଲ୍ଡ ଟ୍ରମ୍ପ କଟକଣା ମଧ୍ୟ ଲଗାଉଛନ୍ତି। ହେଲେ ଏହା ତାଙ୍କ ଲାଗି ଏତେ ସହଜ କଥା ନୁହେଁ। ବିଶ୍ୱରେ ଭାରତ ତୃତୀୟ ତେଲ ଆମଦାନୀକାରୀ ରାଷ୍ଟ୍ର। ଏହା ବୈଶ୍ୱିକ ଯୋଗାଣର ପାଖାପାଖି ୨ ପ୍ରତିଶତ। ଯଦି ଏହି ଯୋଗାଣ ବନ୍ଦ ହୁଏ କେବଳ ଭାରତ ନୁହେଁ ଋଷିଆ ମଧ୍ର ପ୍ରଭାବିତ ହେବ। ଏପରି ହେଲେ ବିଶ୍ୱରେ ତୈଳ ମୂଲ୍ୟ ମଧ୍ୟ ବଢିବ।
ନ୍ୟୁଜ୍ ଏଜେନ୍ସୀ ରୟଟର୍ସ ଜେପି ମର୍ଗାନର ଏକ ରିପୋର୍ଟର ଉଦାହରଣ ଦେଇ କହିଛି ଯେ ଯଦି ଭାରତ ଋଷିଆ କ୍ରୁଡ ନ କିଣେ ତେବେ ଋଷିଆ କାଜାକିସ୍ତାନ ଦେଇ ଆମେରିକା ଯାଇଥିବା ସିପିସି ପାଇପ୍ ଲାଇନକୁ ବନ୍ଦ କରିପାରେ। ଏହି ପାଇପ ଲାଇନରେ ଆମେରିକାର ଦିଗ୍ଗଜ କମ୍ପାନୀ ଯେପରି ସେଭରନ, ଏକ୍ସନର ଅଂଶିଦାରୀ ଅଛନ୍ତି। ଏଣୁ ପାଇପଲାଇନ ବନ୍ଦ ହେଲେ ବିଶ୍ୱରେ ତୈଳ ମୂଲ୍ୟ ଅହେତୁକ ବଢିଯିବ ଓ ବାରଲ ପିଛା ଦର ୮୦ ଡଲାରକୁ ପହଞ୍ଚି ଯିବ।
ୟୁରୋପ ଦ୍ୱାରା ଋଷିଆ ଉପରେ କଟକଣା ଲାଗୁ କରାଯିବା ପରେ ଭାରତ ୨୦୨୨ରୁ ଋଷିଆରୁ ବିପୁଳ ପରିମାଣରେ ତୈଳ ଆମଦାନୀ କରୁଛି। ବର୍ତ୍ତମାନ ଋଷିଆରୁ ଭାରତ ନିଜ ଆବଶ୍ୟକତାର ୩୫% ତୈଳ ଆମଦାନୀ କରୁଛି। ଯାହାର ବାର୍ଷିକ ମୂଲ୍ୟ ପାଖାପାଖି ୫୦.୨ ବିଲିୟନ ଡଲାରରୁ ବି ଅଧିକ। ଋଷୀୟ କମ୍ପାନୀ ରୋସନେଫ୍ଟ ଭାରତରେ ଥିବା ଏକ ବଡ଼ ରିଫାଇନାରୀରେ ଅଂଶିଦାର ଅଛି। ଭାରତୀୟ ରିଫାଇନାରୀମାନେ ୟୁରାଲ୍ସ, ଏସ୍ପୋ ଓ ଆର୍କଟିକ୍ ଭଳି ଋଷୀୟ ଗ୍ରେଡ ତୈଳ କ୍ରୟ କରୁଛନ୍ତି।
ଏଥିରେ ଯଦି ଭାରତ ଋଷିଆରୁ ତୈଳ ଆମଦାନୀ ବନ୍ଦ କରେ ତେବେ ଆମେରିକା ଓ ଉପସାଗରୀୟ ଦେଶମାନଙ୍କୁ ତୈଳ ଆମଦାନୀ କରିବ ନଚେତ ରିଫାଇନିଂ ମାତ୍ରା ହ୍ରାସ କରିବ। ଏହା ହେଲେ ୟୁରୋପରେ ଡିଜେଲ ମୂଲ୍ୟ ବୃଦ୍ଧି ହେବ। କାରଣ ୟୁରୋପକୁ ଭାରତରୁ ଇନ୍ଧନ ରପ୍ତାନୀ ହେଉଛି। ଏହା ଛଡା ଋଷିଆକୁ ମଧ୍ୟ ଆର୍ଥିକ କ୍ଷତିର ସମ୍ମୁଖୀନ ହେବାକୁ ପଡିବ ଓ ତୈଳ ଷ୍ଟକ ଜାହଜରେ ମହଜୁଦ କରିବା ସହ ନୂଆ କ୍ରେତାଙ୍କୁ ଅଧିକ ରିହାତି ଦେବାକୁ ପଡିବ।
ଏଣୁ ଋଷିଆ ଏପରି ପରିସ୍ଥିତିର ମୁକାବିଲା ନିମନ୍ତେ ଇଜିପ୍ଟ, ମାଲେସିୟା, ପାକିସ୍ତାନ, ପେରୁ ଓ ଦକ୍ଷିଣ ଆଫ୍ରିକା ଭଳି ଦେଶଙ୍କ ଆଡକୁ ନିଜର ରପ୍ତାନୀ ମୋଡି ପାରେ। ହେଲେ ଭାରତ ଭଳି ବଡ଼ ଗ୍ରହକର ବିକଳ୍ପ ଖୋଜିବା ଏତେ ସହଜ ହେବନି। ଏଥିରେ ଯଦି ଋଷିଆ ସିପିସି ପାଇପଲାଇନ ବନ୍ଦ କରେ ଓ ଭାରତକୁ ତୈଳ ଯୋଗାଣ ବନ୍ଦ ହୁଏ ତେବେ ଦୈନିକ ୩.୫ ମଲିୟନ ବ୍ୟାରଲ ତୈଳ ଯୋଗାଣ ବନ୍ଦ ହେବ, ଯାହା ବୈଶ୍ୱିକ ଯୋଗାଣର ୩.୫%। ଏଣୁ ଋଷିଆ ଉପରେ ଆମେରିକା ସମ୍ପୂର୍ଣ୍ଣ କଟକଣା ଲାଗାଇବା ନିଜ ପାଇଁ ବିପଦକୁ ଆମନ୍ତ୍ରଣ କରିବା ସହ ସମାନ ବୋଲି କୁହାଯାଇଛି।