ଅହମ୍ମଦାବାଦ: ପଞ୍ଜାବ କିଙ୍ଗ୍ସ ଓ ମୁମ୍ଵାଇ ଇଣ୍ଡିଆନ୍ସ ମଧ୍ୟରେ ରବିବାର ଆଇପିଏଲ୍ ୨୦୨୫ର କ୍ଵାଲିଫାୟର-୨ ମୁକାବିଲା ଖେଳାଯିବ। ଟସ୍ ଜିତି ପଞ୍ଜାବ କିଙ୍ଗ୍ସର ଅଧିନାୟକ ଶ୍ରେୟସ ଆୟର ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ବର୍ଷା କାରଣରୁ ମ୍ୟାଚ୍ ନିର୍ଦ୍ଧାରିତ ସମୟ ସାଢେ ୭ଟାରେ ଖେଳା ଯାଇ ପାରିନି। କେତେବେଳେ ବର୍ଷା ଛାଡ଼ୁଥିବା ବେଳେ ପୁଣି ଅଚାନକ ଆରମ୍ଭ ହୋଇ ଯାଉଛି। ଫଳରେ ରାତି ୯ଟା ପର୍ଯ୍ୟନ୍ତ ବି ମ୍ୟାଚ୍ ଆରମ୍ଭ ହୋଇ ପାରିନି। ଫଳରେ କ୍ରିକେଟ୍ ପ୍ରଶଂସକଙ୍କ ମନରେ ଏବେ ଏହି ପ୍ରଶ୍ନ ଉଙ୍କି ମାରୁଛି ଯେ, କ୍ଵାଲିଫାୟର-୨ ପାଇଁ କଣ ରିଜର୍ଭ ଡେ ରହିଛି ? ଯଦି ମ୍ୟାଚ୍ ବର୍ଷାରେ ଧୋଇ ହୋଇଯାଏ ତେବେ କେଉଁ ଦଳ ଫାଇନାଲ୍କୁ ଯିବ ?
ତେବେ ପିବିକେଏସ ବନାମ ମୁମ୍ବାଇ କ୍ଵାଲିଫାୟର-୨ ପାଇଁ କୌଣସି ରିଜର୍ଭ ଡେର ବ୍ୟବସ୍ଥା ନାହିଁ। ନିୟମ ଅନୁସାରେ ଯଦି ଜୁନ ୧ ତାରିଖ ମ୍ୟାଚ୍ ରଦ୍ଦ ହୁଏ ତେବେ ଲିଗ୍ ପର୍ଯ୍ୟାୟରେ ପଏଣ୍ଟ ଟେବୁଲରେ ଶୀର୍ଷରେ ଥିବା ଦଳ ଫାଇନାଲ୍ରେ ପ୍ରବେଶ କରିବ। ଏହି ହିସାବରେ ଫାଇନାଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ ପଞ୍ଜାବ କିଙ୍ଗ୍ସ। ପିବିକେଏସ ୧୪ଟି ମ୍ୟାଚ୍ରେ ୯ ବିଜୟ ସହ ୧୯ ପଏଣ୍ଟ ସହ ଅଙ୍କ ତାଲିକାରେ ଏକ ନମ୍ବର ସ୍ଥାନରେ ରହିଛି। ପଞ୍ଜାବ କ୍ଵାଲିଫାୟର-୧ରେ ବେଙ୍ଗାଲୁରୁ ହାତରୁ ପରାଜିତ ହୋଇ କ୍ଵାଲିଫାୟର-୨ ଖେଳିବାକୁ ବାଧ୍ୟ ହୋଇଛି।
ଶ୍ରେୟସ କ୍ଵାଲିଫାୟର-୨ରେ ଟସ୍ ଜିତିବା ପରେ ପାଣିପାଗ ପୂର୍ବାନୁମାନକୁ ଦୃଷ୍ଟିରେ ରଖି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ପିବିକେଏସରେ ୟୁଜବେନ୍ଦ୍ର ଚହଲଙ୍କ ପ୍ରତ୍ୟାବର୍ତ୍ତନ ଘଟିଛି। ସେ ଆଙ୍ଗୁଠିରେ ଆଘାତ କାରଣରୁ ଗତ କିଛି ମ୍ୟାଚ୍ ଖେଳି ପାରି ନ ଥିଲେ। ମୁମ୍ବାଇ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କହିଛନ୍ତି, ପାଣିପାଗର ସ୍ଥିତିକୁ ଦେଖି ଟସ୍ ଜିତିଥିଲେ ସେ ବି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥାନ୍ତେ। ମୁମ୍ବାଇ ନିଜର ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିଛି। ଦଳ ରିଚାର୍ଡ ଗ୍ଲିସନଙ୍କ ସ୍ଥାନରେ ରିସ ଟପ୍ଲିଙ୍କୁ ସୁଯୋଗ ଦେଇଛି।