ଲାଞ୍ଚ ମାମଲାରେ IAS ବିଷ୍ଣୁ ସେଠୀଙ୍କ ବଢିଲା ଅଡ଼ୁଆ, ସୁପ୍ରିମକୋର୍ଟରେ ବି ଆଗୁଆ ଜାମିନ ଖାରଜ

Published By : Prameya-News7 Bureau | August 04, 2025 IST

ଭୁବନେଶ୍ଵର: ଆଇଏଏସ ବିଷ୍ଣୁପଦ ସେଠୀଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟଙ୍କ ପରେ ଏବେ ବିଷ୍ଣୁପଦଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ। ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଗତ ଜୁଲାଇ ୨୮ରେ ଜାମିନ ଆବେଦନ ଖାରଜ ନେଇ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ।

ସୂଚନାଥାଉକି, ଦେଢ଼ କୋଟି ଟଙ୍କାର ଡିଲ ପାଇଁ ୧୦ ଲକ୍ଷର ଲାଞ୍ଚ କାରବାର ମାମଲାରେ ଗତ ବର୍ଷ ଡିସେମ୍ୱର ୬ରେ ମେ ଫେୟାର ସାମ୍ନାରେ ଏକ ଦାମୀ କାରରେ ରେଡ୍ ମାରିଥିଲା ଦିଲ୍ଲୀ ସିବିଆଇ । ବ୍ରିଜ ଆଣ୍ଡ୍ ରୁଫ କନଷ୍ଟ୍ରକ୍ସନ କର୍ପୋରେସନ ଲିମିଟେଡରେ ବି ତନାଘନା କରିଥିଲା ସିବିଆଇ । ଏମିତି କି ମାମଲାରେ ତିନି ଜଣଙ୍କୁ ନିଜ ହେପାଜତରେ ନେଇଥିଲା ସିବିଆଇ । ବ୍ରିଜ ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀ, ବରିଷ୍ଠ ଅଧିକାରୀ ସନ୍ତୋଷ ମହାରଣା, ଓଡିଶାର ଜଣେ ନାମୀ ଠିକାଦାର ଦେବଦତ୍ତ ମହାପାତ୍ରଙ୍କୁ ସିବିଆଇ ଅଧିକାରୀ ମାରାଥନ ଜେରା କରିଥିଲା ।

ପରେ ପ୍ରଥମ ପର୍ଯ୍ୟାୟରେ ୩ ଦିନିଆ ରିମାଣ୍ଡ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନିଆ ରିମାଣ୍ଡ ନେଇଥିଲା ସିବିଆଇ। ବ୍ରିଜ  ଆଣ୍ଡ ରୁଫ କମ୍ପାନୀର ଓଡ଼ିଶା ପଶ୍ଚିମବଙ୍ଗ ଶାଖା ମୁଖ୍ୟ ଚଞ୍ଚଲ୍ ମୁଖାର୍ଜୀଙ୍କ ସହ ଆଇଏଏସ ବିଷ୍ଣୁ ପଡ଼ ସେଠୀଙ୍କ ଲିଙ୍କ ସାମ୍ନାକୁ ଆସିଥିଲା । ଆଇଏଏସ ବିଷ୍ଣୁ ପଦ ସେଠୀଙ୍କ ଡ୍ରାଇଭର ଅଫିସ କର୍ମଚାରୀ, କେୟାର ଟେକର କୁ ଜେରା କରିଥିଲା ସିବିଆଇ । ରିମାଣ୍ଡ ସମୟରେ ଅନେକ ତଥ୍ୟ, ଲାଞ୍ଚ କାରବାର, ଗୁରୁତ୍ୱ ପୂର୍ଣ୍ଣ ତଥ୍ୟ ଲାଗିଥିଲା ସିବିଆଇ ହାତରେ । 

ରିମାଣ୍ଡ ସମୟରେ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀ କୋଟି କୋଟି ଟଙ୍କାର ହେରଫେର ସହ ଟେଣ୍ଡର ଫିକ୍ସିଂ, ଦୁର୍ନୀତି ବଡ଼ ବଡ଼ ବାବୁଙ୍କ ମଧୁ ଚନ୍ଦ୍ରିକା ସାମ୍ନାକୁ ଆସିଥିଲା । ଟେଣ୍ଡର ଫିକ୍ସିଂ ପାଇଁ ବିଲ୍ଡର୍ସ ସଂସ୍ଥାଠୁ କୋଟିକୋଟି ଟଙ୍କା ପିସି କାରବାର ହେଉଥିଲା। ଜେରା ସମୟର କଣ୍ଟ୍ରାକ୍ଟର ସନ୍ତୋଷ ମହାରଣା ଅସୁସ୍ଥ ହେଇ ପଡ଼ିଥିଲେ। କ୍ୟାପିଟାଲ ହସ୍ପିଟାଲରେରେ ଚିକିତ୍ସା ପରେ ସିବିଆଇ କୋର୍ଟରେ ହାଜର ହେଇଥିଲେ ।

କେବଳ ସେତିକି ନୁହେଁ ବରିଷ୍ଠ ଆଇଏଏସ ବିଷ୍ଣୁପଦ ସେଠୀଙ୍କୁ ସିବିଆଇ ସମନ କରିଥିଲା। ଚଞ୍ଚଳ ମୁଖାର୍ଜୀଙ୍କ ସହ ଥିଲା ଭିତିରି ସଂପର୍କ। ଆଇଏଏସ ବିଷ୍ଣୁ ପଦ ସେଠୀ ଙ୍କ ୩ ଡ୍ରାଇଭର, କେୟାର ଟେକର , ଅଫିସ କର୍ମଚାରୀଙ୍କୁ ସିବିଆଇ ଅଫିସରେ ମାରାଥନ ଜେରା କରାଯାଇଥିଲା । କିନ୍ତୁ ଆଇଏଏସ ବିଷ୍ଣୁ ପଦ ସେଠୀ ଶାରୀରିକ ଅସୁସ୍ଥତା ଦେଖାଇ ନିଜର ଓକିଲଙ୍କୁ ପଠେଇଥିଲେ । ନିଜେ କିନ୍ତୁ ସିବିଆଇ ଅଫିସରେ ହାଜିର ହେଇନଥିଲେ। 

ଏମିତିରେ ବିଷ୍ଣୁ ସେଠୀ ନିଜର ଗିରଫଦାରୀରୁ ବର୍ତ୍ତିବା ପାଇଁ ହାଇକୋର୍ଟ ଯାଇଥିଲେ। ମାତ୍ର ହାଇକୋର୍ଟରୁ ଜାମିନ ମିଳିପାରିନଥିଲା। ଯାହାକୁ ଚ୍ୟାଲେଞ୍ଜ କରି ସେ ସୁପ୍ରିମକୋର୍ଟ ଯାଇଥିଲେ। ମାତ୍ର ଏବେ ସୁପ୍ରିମକୋର୍ଟ ମଧ୍ୟ ହାଇକୋର୍ଟଙ୍କ ଆଦେଶକୁ କାଏମ ରଖିବା ସହ ଜାମିନ ଖାରଜ କରିଛନ୍ତି। ତେଣୁ ଆଗକୁ ବିଷ୍ଣୁପଦଙ୍କ ଗିରଫଦାରୀ ସମ୍ଭାବନା ବଢିଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.