ବିମାନରୁ ଡେଇଁ ନଥିଲି, ସିଟ୍ ସମେତ ବାହାରକୁ ଚାଲିଆସିଥିଲି..ରମେଶ୍ ବିଶ୍ୱାସ କହିଲେ କେମିତି ବଞ୍ଚିଲି...

Published By : Prameya-News7 Bureau | June 13, 2025 IST

ନୂଆଦିଲ୍ଲୀ ୧୩/୦୬: ଗୁଜୁରାଟ ଅହମ୍ମଦାବାଦରେ ବିମାନ ଦୁର୍ଘଟଣା ସାରା ବିଶ୍ୱକୁ ଦୋହଲାଇଦେଇଛି । ଏମିତିକି ବିଦେଶରେ ବି ଦେଖିବାକୁ ମିଳିଛି ବିମାନ ଦୁର୍ଘଟଣାରେ କରୁଣ ଚିତ୍ର ।  ଦ୍ରୁତ ଗତିରେ ଉଡ଼ାଣ ଭରୁଥିବା ସମୟରେ, ବିମାନଟି ସିଧା ଏକ ହସ୍ପିଟାଲର ହଷ୍ଟେଲ କୋଠାରେ ଧକ୍କା ଖାଇଥିଲା । 

ପ୍ରଚଣ୍ଡ ବିସ୍ଫୋରଣ, ନିଆଁ, ଧୂଆଁ ଓ ଚିତ୍କାର ଶୁଣି ସମସ୍ତେ ହୋଇପଡିଥିଲେ ହତବାକ୍ । ଏହି ଦୁର୍ଘଟଣାରେ ଏଯାଏଁ ପ୍ରାଣ ହରାଇଛନ୍ତି ୨୬୫ । ତେବେ ଏତେ ବଡ ଦୁର୍ଘଟଣାରେ ବର୍ତ୍ତିଯାଇଛନ୍ତି ଜଣେ ଯାତ୍ରୀ । ସୌଭାଗ୍ୟ ବଶତଃ ବର୍ତ୍ତିଯାଇଥିବା ବ୍ୟକ୍ତି ରମେଶ କୁମାର ବିଶ୍ୱାସ ହସ୍ପିଟାଲରେ ଚିକିତ୍ସିତ । ଆଜି ହସ୍ପିଟାଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରମେଶ ବିଶ୍ୱାସ କୁମାରଙ୍କୁ ଯାଇ ଭେଟିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ।

ତେବେ ବର୍ତ୍ତଯାଇଥିବା ବ୍ୟକ୍ତି ହସ୍ପିଟାଲ ବେଡରେ ଶୋଇ ବଖାଣିଥିଲେ ମୃତ୍ୟୁକୁ କେମିତି ଛୁଇଁଥିଲେ ରମେଶ୍ । କାହାଣୀ ଶୁଣାଇ କହିଥିଲେ ଯେ ରନୱେରେ ବିମାନଟି ଗତି ବଢ଼ାଇବା ମାତ୍ରେ ସେ କିଛି ଅଜବ ଅନୁଭବ କରିଥିଲେ । ହଠାତ୍ ୫-୧୦ ସେକେଣ୍ଡ ପାଇଁ ସବୁକିଛି ବନ୍ଦ ହୋଇଗଲା । ଚାରିଆଡେ ନୀରବତା, ଚାରିଆଡ ଆଲୋକିତ ହୋଇପଡିଥିଲା । ଏପରି ଲାଗୁଥିଲା ଯେପରି ପାଇଲଟ୍ ଉଡ଼ାଣ ପାଇଁ ତାଙ୍କର ସମସ୍ତ ପ୍ରୟାସ କରିଥିଲେ । ତା'ପରେ କ'ଣ ହେଲା, ସିଧାସଳଖ ହଷ୍ଟେଲ କୋଠାରେ ଧକ୍କା ହୋଇଥିଲା । 


ବିଶ୍ୱାସ କହିଥିଲେ ଯେ ବିମାନର ଯେଉଁ ଅଂଶରେ ମୋ ସିଟ୍ ଥିଲା । କୋଠାର ତଳ ଅଂଶରେ ଧକ୍କା ଖାଇଥିବ। ଉପର ଅଂଶରେ ନିଆଁ ଲାଗିଯାଇଥିଲା, ସେଠାରେ ଅନେକ ଲୋକ ଫସି ରହିଥିଲେ। ହୁଏତ ମୁଁ ସିଟ୍ ସହିତ ତଳେ ପଡ଼ିଯାଇଥିଲି। ମୁଁ କୌଣସି ପ୍ରକାରେ ବାହାରକୁ ବାହାରିବାରେ ସଫଳ ହୋଇଥିଲି । ଡୋର ଭାଙ୍ଗିଯାଇଥିଲା । ମୁଁ ସାମ୍ନାରେ କିଛି ଖାଲି ସ୍ଥାନ ଦେଖିଲି । ତେଣୁ ମୁଁ ବାହାରକୁ ବାହାରିବାକୁ ଚେଷ୍ଟା କଲି । ସେ କୁହନ୍ତି ଯେ ଅନ୍ୟ ପାର୍ଶ୍ୱରେ ଏକ କାନ୍ଥ ଥିଲା । ହୁଏତ କେହି ସେଠାରୁ ବାହାରକୁ ବାହାରି ପାରିନଥିଲେ। 

ରମେଶ ବିଶ୍ୱାସ କହିଛନ୍ତି ଯେ ତାଙ୍କ ଆଖି ଆଗରେ ଦୁଇଜଣ ଏୟାର ହୋଷ୍ଟେସ୍, ଜଣେ ମଉସା-ମାଉସୀ ଓ ଆହୁରି କିଛି ଯାତ୍ରୀ ଜଳୁଥିଲେ । ଏହି ଦୁର୍ଘଟଣାରେ ବିଶ୍ୱାସଙ୍କ ବାମ ହାତ ଗୁରୁତର ଭାବରେ ପୋଡ଼ି ଯାଇଥିଲା । କିନ୍ତୁ ତାଙ୍କ ଜୀବନ ବଞ୍ଚି ଯାଇଥିଲା । ସେ କୁହନ୍ତି ଯେ ବାହାରକୁ ଆସିବା ମାତ୍ରେ ନିଆଁ ବ୍ୟାପି ଯାଇଥିଲା । ଯଦି ଆଉ କିଛି ସେକେଣ୍ଡ ବିଳମ୍ବ ହୋଇଥାନ୍ତା, ହୁଏତ ମୁଁ ବି ଜୀବିତ ନଥାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.