‘ମୁଁ ଚୋର ନୁହେଁ...’, ପଳାତକ ବିଜୟ ମାଲ୍ୟାଙ୍କ ଦାବି, କିଙ୍ଗଫିସର ଏୟାରଲାଇନ୍ସ ବୁଡ଼ିବା ଉପରେ ବି ଖୋଲିଲେ ମୁହଁ

Published By : Prameya-News7 Bureau | June 08, 2025 IST

ନୂଆଦିଲ୍ଲୀ: ‘କିଙ୍ଗ୍ସ ଅଫ୍ ଡୁଗ୍ ଟାଇମ୍ସ’ ନାଁରେ ଦିନେ ପରିଚିତ ଥିବା ବିଜୟ ମାଲ୍ୟା ଏବେ ପୁଣି ଥରେ ଚର୍ଚ୍ଚାରେ । ଏଥର କିନ୍ତୁ କୌଣସି ବିଜନେସ୍ ଡିଲ୍ କିମ୍ୱା କୋର୍ଟରୁମ୍ ଡ୍ରାମା ପାଇଁ ନୁହେଁ, ତାଙ୍କର ଭାଇରାଲ୍ ପଡକାଷ୍ଟ ପାଇଁ । କଣ୍ଟେଣ୍ଟ କ୍ରିଏଟର ରାଜ ଶମାନୀଙ୍କ ସହ ଚାରି ଘଣ୍ଟାର ପଡ୍‌କାଷ୍ଟରେ ବିଜୟ ମାଲ୍ୟା ତାଙ୍କ ଜୀବନର ଅନେକ ବିନ୍ଦୁ ଉପରେ ମତ ରଖିଛନ୍ତି । ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା କିଙ୍ଗଫିସର୍ ଏୟାରଲାଇନ୍ସ ସଙ୍କଟର ପୂରା କାହାଣୀ ବି ବଖାଣିଛନ୍ତି । ଭାରତରେ ଚାଲିଥିବା ଆଇନଗତ ଲଢେଇ ଓ ତାଙ୍କୁ ଚୋର କୁହାଯିବା ଉପରେ ମଧ୍ୟ ସେ ଜବାବ ଦେଇଛନ୍ତି ।

ଭାରତରେ ତାଙ୍କୁ ଚୋର କୁହାଯାଉଥିବା ପ୍ରଶ୍ନର ଜବାବରେ ମାଲ୍ୟା କହିଥିଲେ ଯେ ମୁଁ ଚୋର ନୁହେଁ । ମୁଁ ଚୋରି କରିନାହିଁ । ରାଜ ଶମାନୀଙ୍କ ପଡକାଷ୍ଟରେ ବିଜୟ ମାଲ୍ୟା କହିଥିଲେ, 'ତୁମେ ମୋତେ ପଳାତକ କହିପାରିବ କାରଣ ମୁଁ ମାର୍ଚ୍ଚ ୨୦୧୬ ପରଠାରୁ ଭାରତ ଯାଇନାହିଁ । କିନ୍ତୁ ମୁଁ ପଳାୟନ କରିନଥିଲି । ମୁଁ ଏକ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ ପାଇଁ ଭାରତ ବାହାରକୁ ଯାଇଥିଲି । ମୁଁ ସେହି ସମୟରେ ଠିକ୍ ମନେ କରୁଥିବା କାରଣ ପାଇଁ ଫେରି ନଥିଲି । ଏପରି ପରିସ୍ଥିତିରେ, ଯଦି ତୁମେ ମୋତେ ପଳାତକ କହିବାକୁ ଚାହୁଁଛ, ତେବେ କହିପାରିବ । କିନ୍ତୁ ମୋତେ ଚୋର କହିବାର ଅର୍ଥ କ'ଣ... ଚୋରି କେଉଁଠାରେ ହେଲା ?'

ବ୍ରିଟେନରେ ରହି ଆଇନଗତ ମାମଲା ବୃଦ୍ଧି ପାଇବା ପ୍ରଶ୍ନରେ ମାଲ୍ୟା କହିଥିଲେ, 'ଯଦି ମୋତେ ଭାରତରେ ନିରପେକ୍ଷ ବିଚାର ଏବଂ ସମ୍ମାନଜନକ ଜୀବନର ପ୍ରତିଶ୍ରୁତି ମିଳେ, ତେବେ ଏହା ଠିକ୍ ହୋଇପାରେ, କିନ୍ତୁ ମୁଁ ଜାଣେ ଯେ ଏହା ହେବନି । ନିରପେକ୍ଷ ପ୍ରତିଶ୍ରୁତି ଅନୁଯାୟୀ ଭାରତ ଫେରିବା ଉପରେ ମାଲ୍ୟା କହିଥିଲେ ଯେ ଯଦି ମୋତେ ଭରସା ଦିଆଯାଏ, ତେବେ ମୁଁ ଏହା ଉପରେ ଗମ୍ଭୀରତାର ସହ ବିଚାର କରିବି ।'

କିଙ୍ଗଫିସର୍ ଏୟାରଲାଇନ୍ସ ସଙ୍କଟ ଉପରେ ମାଲ୍ୟା କହିଥିଲେ, ୨୦୦୮ ମସିହାରେ ବିଶ୍ୱ ଆର୍ଥିକ ସଙ୍କଟ ଯୋଗୁ ଘଟିଥିଲା । ଆପଣ କେବେ ଲେହମାନ୍ ବ୍ରଦର୍ସଙ୍କ ବିଷୟରେ ଶୁଣିଛନ୍ତି କି ? ଆପଣ କେବେ ବିଶ୍ୱ ଆର୍ଥିକ ସଙ୍କଟ ବିଷୟରେ ଶୁଣିଛନ୍ତି କି ? କଣ ତାର ପ୍ରଭାବ ଭାରତରେ ପଡ଼ିନଥିଲା କି ? ନିଶ୍ଚିତ ଭାବେ ଏହାର ପ୍ରଭାବ ପଡ଼ିଥିଲା । ସବୁ କ୍ଷେତ୍ର ଏହା ଦ୍ୱାରା ପ୍ରଭାବିତ ହୋଇଥିଲା । ଟଙ୍କା ଅଟକି ରହିଲା । ଭାରତୀୟ ଟଙ୍କାର ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇଥିଲା ।'

ମାଲ୍ୟା କହିଥିଲେ, 'କିଙ୍ଗଫିସର ସଙ୍କଟ ସମ୍ପର୍କରେ ତତ୍କାଳୀନ ଅର୍ଥମନ୍ତ୍ରୀ ପ୍ରଣବ ମୁଖାର୍ଜୀଙ୍କୁ ଭେଟିଥିଲି । କିଙ୍ଗଫିସର ଏୟାରଲାଇନ୍ସର ଆକାର କମାଇବା, ବିମାନ ସଂଖ୍ୟା ହ୍ରାସ କରିବା ଏବଂ କର୍ମଚାରୀମାନଙ୍କୁ ଛଟେଇ କରିବା ଆବଶ୍ୟକ ବୋଲି ମୁଁ ତାଙ୍କୁ କହିଥିଲେ । ଏପରି ଆର୍ଥିକ ପରିସ୍ଥିତିରେ ପରିଚାଳନା ଜାରି ରଖିବାକୁ ମୁଁ ସମର୍ଥ ବୋଲି ଜଣାଇଥିଲି । କିନ୍ତୁ ଏପରି ନକରିବା ପାଇଁ ତାଙ୍କୁ କୁହାଯାଇଥିଲା ଓ ବ୍ୟାଙ୍କଗୁଡ଼ିକରୁ ସାହାଯ୍ୟ ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା ।'

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.