ତୁମୁଡ଼ିବନ୍ଧ: ମାଇନିଂ କମ୍ପାନୀ ସହ ମାଓ ଲିଙ୍କ୍ । ଆନ୍ଧ୍ରରୁ ଓଡ଼ିଶା ଯାଏଁ ଲମ୍ବିଛି ଚେର । ସୂଚନା ଦେଲେ ଆଣ୍ଟି ନକ୍ସଲ ଅପରେସନ ଏଡିଜି, ସଂଜୀବ ପଣ୍ଡା । ସେ କହିଛନ୍ତି, କନ୍ଧମାଳର ତୁମୁଡ଼ିବନ୍ଧରୁ ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଥିଲା । ଜବତ ହୋଇଥିବା ପାଖାପାଖି ୧୦ଟନ୍ ବିସ୍ପୋରକ ମଧ୍ୟରେ ଜିଲୋଟିନ୍, ଡିଟୋନେଟର ଆଦି ରହିଛି ।
ତେବେ ଜବତ ହୋଇଥିବା ଆପେକ୍ସ କମ୍ପାନୀ ଡିଟୋନେଟରରୁ ମିଳିଛି ବଡ଼ ସୁରାକ୍ । ଗତ ଜୁଲାଇ ୧୭ରେ କନ୍ଧମାଳ ଗୁମା ଜଙ୍ଗଲରୁ ଏକ ମାଓ ଡମ୍ପରୁ ଜବତ ହୋଇଥିବା ବିପୁଳ ବିସ୍ଫୋରକ ମଧ୍ୟରେ ମିଳିଥିଲା ସମାନ ଆପେକ୍ସ କମ୍ପାନୀର ଡିଟୋନେଟର। ଏଥିରୁ ଯାହା ଜଣାପଡ଼ୁଛି ମାଓବାଦୀମାନଙ୍କୁ ମଧ୍ୟ ବିସ୍ଫୋରକ ଚୋରା ଚାଲାଣ ହେଉଛି । ତେବେ ସିଧାସଳଖ କମ୍ପାନୀରୁ ମାଓବାଦୀଙ୍କୁ ବିସ୍ଫୋରକ ଚାଲାଣ ହେଉଛି ନା’ ଯେଉଁମାନେ କମ୍ପାନୀରୁ ବିସ୍ଫୋରକ ଆଣୁଛନ୍ତି ସେମାନେ ମାଓ ବାଦୀଙ୍କୁ ସପ୍ଲାଏ କରୁଛନ୍ତି ତା’ର ତଦନ୍ତ ଚାଲିଛି ବୋଲି କହିଛନ୍ତି ଏଡିଜି ସଂଜୀବ ପଣ୍ଡା ।
ଏହି ବିସ୍ଫୋରକର ଚେର ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ପର୍ଯ୍ୟନ୍ତ ଲମ୍ବିଛି । ନିଟକରେ ବିସ୍ଫୋରକ ଜବତ ଘଟଣାରେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ତଳଦାନ୍ତଲିଙ୍ଗୀ ଗାଁ ଆଲୋକ ପାତ୍ର, ଗୋପାଳପୁର ଆମ୍ବପୁଆର ହେମନ୍ତ ସେଠୀ, ଭବାନୀପାଟଣା ମନ୍ଦିରପାଟଣାର ଶକ୍ତିରଞ୍ଜନ ଦାସଙ୍କୁ ଗିରଫ କରାଯାଇଛି। ତେବେ ସେମାନଙ୍କ ମାଓବାଦୀଙ୍କ ସହ ଲିଙ୍କର ପ୍ରମାଣ ମିଳିବା ପରେ ଆରମ୍ଭ ହୋଇଛି ଖୋଳତାଡ଼। ଏମାନଙ୍କ ପାଖରେ ବିସ୍ପୋରକ ଆଣିବାର ଲାଇସେନ୍ସ ରହିଛି କି ନାହିଁ । ଏମାନେ କାହାକୁ କାହାକୁ ବିସ୍ପୋରକ ଚାଲାଣ କରୁଥିଲେ । ଏମାନଙ୍କ ନିକଟରୁ କେଉଁ ମାଓ ସଙ୍ଗଠନ ବିସ୍ପୋରକ ନେଉଥିଲେ । ତା’ର ଛାନଭିନ୍ ଆରମ୍ଭ କରିଛି ଗୁଇନ୍ଦା ବିଭାଗ ।
କଳାହାଣ୍ଡି ସୀମାନ୍ତ ତୁମୁଡିବନ୍ଧ ଓ କୋଟଗଡ ଅଞ୍ଚଳରେ କେକେବିଏନ ମାଓ ସଂଗଠନ ସକ୍ରିୟ ଥିବାରୁ ଏହି ବିସ୍ଫୋରକ ସେମାନଙ୍କ ଲିଙ୍କରେ ଥିବା ସନ୍ଦେହ କରାଯାଉଛି। ଜବତ ଜିଲୋଟିନ କମ୍ପାନୀ ମାଲିକଙ୍କୁ ମଧ୍ୟ ସ୍କାନରକୁ ନେଇ ଚାଲିଛି ମାରଥନ ଜେରା । ଅନ୍ୟ ପଥର ମାଫିଆଙ୍କୁ ଖୁବଶୀଘ୍ର ଜେରା କରାଯିବ ବୋଲି ମିଳିଛି ସୂଚନା । ଲଘୁ ଖଣିଜ ଲୁଟେରାଙ୍କ ଠାରୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଲେ ମାଓ ଲିଙ୍କ ନେଇ ମିଳିପାରେ ପ୍ରମାଣ । ଏଭଳି ଖବର ମିଳିବା ପରେ ଆକ୍ସନ ମୋଡ଼କୁ ଆସିଛି ଗୁଇନ୍ଦା ବିଭାଗ । ଦଖିଣ ଓଡିଶାର ଏସପି ମାନଙ୍କୁ ଏନେଇ ସଜାଗ ରହିବାକୁ ପରାମର୍ଶ ଦିଆଯଇଛି । ଗଞ୍ଜାମ ଜିଲ୍ଲାରେ ୨୬୭ଟି ପଥର କ୍ବେରୀ ରହିଥିବା ବେଳେ ୮୮ଟି ପଥର ଖାଦାନକୁ ଜିଲ୍ଲା ପ୍ରଶାଷନ ପକ୍ଷରୁ ଖଣି ଉତ୍ତୋଳନ ପାଇଁ ଅନୁମତି ମିଳିଛି । ଯେଉଁମାନେ ପଥର ଖାଦାନ ପାଇଁ ଅନୁମତି ନେଇଛନ୍ତି ସେମାନେ ଖଣିରେ ବ୍ୟବହାର ପାଇଁ କେତେ ବିସ୍ପୋରକ ଆଣିଛନ୍ତି । ଆଣିଥିବା ବିସ୍ପୋରକ କେଉଁ କାର୍ଯ୍ୟରେ କେତେ ଲଗାଇଛନ୍ତି ତାର ଯାଞ୍ଚ କରୁଛି ଗୁଇନ୍ଦା ବିଭାଗ ବିଭାଗ ଓ ସ୍ଥାନୀୟ ପୋଲିସ ।
ତେବେ ଗୋଟିଏ ପଟେ ଓଡ଼ିଶାକୁ ମାଓମୁକ୍ତ କରିବାକୁ ଜୋରଦାର ଅପରେସନ ଚାଲିଥିବାବେଳେ ଏବେ ବିସ୍ଫୋରକ ଚୋରା ଚାଲାଣକାରୀଙ୍କ ସହ ମାଓ ଲିଙ୍କର ଖୋଳତାଡ଼କୁ ଜୋରଦାର କରାଯାଇଛି ।