ଦୁଇ ଦିନରେ ଦ୍ଵିତୀୟ ଥର ଜବତ ହେଲା ବିପୁଳ ଗଞ୍ଜେଇ, ଷ୍ଟେସନରୁ ଅଟୋରେ ହେଉଥିଲା ଚାଲାଣ

Published By : Prameya-News7 Bureau | May 02, 2025 IST

ଭଦ୍ରକ: ଭଦ୍ରକରେ ଦୁଇ ଦିନରେ ଦ୍ବିତୀୟ ଥର ଜବତ ହେଲା ଗଞ୍ଜେଇ। ଗତକାଲି ଅଟୋରେ ଚାଲାଣ ବେଳେ ଦୁଇଟି ଟ୍ରଲି ବ୍ୟାଗରୁ ବିପୁଳ ଗଞ୍ଜେଇ ଜବତ ହୋଇଥିବାବେଳେ ଶୁକ୍ରବାର ବି ଦିନ ଭଦ୍ରକ ସହରାଞ୍ଚଳ ପୋଲିସ ଏକ ଅଟୋରୁ ବିପୁଳ ଗଞ୍ଜେଇ ଜବତ କରିଛି।

ସୂଚନା ଅନୁଯାୟୀ, ଶୁକ୍ରବାର ଭଦ୍ରକ ବାଇପାସ୍ ଛକ ନିକଟରେ ଏକ ଅଟୋକୁ ଅଟକାଇଥିଲା ପୋଲିସ। ହେଲେ ପୋଲିସକୁ ଦେଖି ଅଟୋରେ ଥିବା ଯାତ୍ରୀ ଦୌଡ଼ି ପଳାଇଥିଲେ। ହେଲେ ଡ୍ରାଇଭରକୁ କାବୁ କରିବାରେ ସଫଳ ହୋଇଥିଲା ପୋଲିସ। ଆଉ ଅଟୋର ଯାଞ୍ଚ ସମୟରେ ଏଥିରୁ ପ୍ରାୟ ୧୬ କିଲୋ ୬୫୦ ଗ୍ରାମର ଗଞ୍ଜେଇ ମିଳିଥିଲା। ତେବେ ପୋଲିସ ଅଟୋ ଡ୍ରାଇଭରକୁ ଅଟକ ରଖିଛି। ଡ୍ରାଇଭରର ବୟାନ ଅନୁଯାୟୀ, ଯାତ୍ରୀ ଜଣକ ଷ୍ଟେସନରୁ ତାଙ୍କ ସହ ବସିଥିଲେ। ସେ ହିଁ ଏହି ସାମଗ୍ରୀ ନେଇ ଯାଉଥିଲେ।ତେବେ ପୋଲିସ ଘଟଣାରେ ତଦନ୍ତ ଜାରି ରଖିଛି।

ଏହା ପୂର୍ବରୁ ଗତକାଲି ମଧ୍ୟ ଷ୍ଟେସନରୁ ଏକ ଅଟୋରେ ଗଞ୍ଜେଇ ଚାଲାଣ ହେଉଥିବାବେଳେ ଧରିଥିଲା ପୋଲିସ। ଦୁଇଟି ଟ୍ରଲି ବ୍ୟାଗରେ ଏହି ଗଞ୍ଜେଇ ଚାଲାଣ କରାଯାଉଥିଲା। ଖବର ପାଇ ଯେତେବେଳେ ପୋଲିସ ବାଇକ୍ ଯୋଗେ ଅଟୋକୁ ଧରିବାକୁ ଚେଷ୍ଟା କରିଥିଲା। ହେଲେ ବାଇକ୍‌ରେ ପୋଲିସ ପିଛା କରୁଥିବା ଜାଣିପାରି ଅଟୋକୁ ସହର ଭିତରେ ଏଣେତେଣେ ବୁଲାଇ ଚକମା ଦେବାକୁ ଚେଷ୍ଟା କରୁଥିଲେ ଅଭିଯୁକ୍ତ।

ଶେଷରେ ବାଇପାସ ନିକଟରେ ଅଟୋକୁ ଅଟକାଇ ଯାଞ୍ଚ କରାଯିବ ବେଳେ ଦୁଇ ଟ୍ରଲି ବ୍ୟାଗ ଭିତରୁ ବିପୁଳ ଗଞ୍ଜେଇ ମିଳିଥିଲା।  ଭଦ୍ରକ ସହରାଞ୍ଚଳ ପୋଲିସ ଅଟୋ ସହ ଦୁଇ ଜଣଙ୍କୁ ଅଟକ ରଖିଥିଲା। ସେମାନଙ୍କ ଠାରୁ ପ୍ରାୟ ପ୍ରାୟ ୨୦ କିଲୋ ଗଞ୍ଜେଇ ଜବତ ହୋଇଥିଲା। ତେବେ କେଉଁଠାରୁ ଗଞ୍ଜେଇ ଆସୁଥିଲା ଓ କେଉଁ ସ୍ଥାନକୁ ଗଞ୍ଜେଇ ଯାଉଥିଲା ସେନେଇ ତଦନ୍ତ ଚାଲିଥିବାବେଳେ ଶୁକ୍ରବାର ପୁଣି ଭଦ୍ରକ ପୋଲିସ ଅଟୋରେ ଚୋରାଚାଲାଣ ହେଉଥିବା ଗଞ୍ଜେଇ ଜବତ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.