ନୂଆଦିଲ୍ଲୀ: ହେନଲି ପାସପୋର୍ଟ ସୂଚକାଙ୍କରେ ଭାରତ ସବୁଠୁ ବଡ଼ ଲମ୍ଫ ମାରିଛି । ଗତ ଛଅ ମାସରେ ଭାରତ ୮୫ତମ ସ୍ଥାନରୁ ୭୭ତମ ସ୍ଥାନରେ ପହଞ୍ଚିଛି । ଏହି ଇଣ୍ଡେକ୍ସ ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟକୁ ରାଙ୍କିଂ ଦେଇଥାଏ । କୌଣସି ଦେଶର ପାସପୋର୍ଟ ଧାରକ କେତେ ଦେଶକୁ ବିନା ଭିସାରେ ଯାଇପାରିବେ ତାହା ମଧ୍ୟ ଏହି ରାଙ୍କିଂ ଦ୍ୱାରା ସ୍ଥିର ହୋଇଥାଏ । ଉଲ୍ଲେଖଯୋଗ୍ୟ ଯେ ଗତ କିଛି ବର୍ଷ ଧରି ଆମେରିକା, ୟୁକେ ପରି ପାରମ୍ପାରିକ ଶକ୍ତିଶାଳୀ ଦେଶ ଏହି ରାଙ୍କିଂରେ ତଳକୁ ଖସୁଥିବା ବେଳେ ଭାରତ ଓ ସାଉଦି ପରି ଅନ୍ୟ ଦେଶ ଲଗାତାର ଉନ୍ନତ ପ୍ରଦର୍ଶନ କରୁଛନ୍ତି ।
ହେନଲି ଆଣ୍ଡ ପାର୍ଟନର୍ସ ସିଇଓ ଡ.ଜୁଏର୍ଗ ଷ୍ଟିଫେନ କହିଛନ୍ତି ଯେ ଏହା ଆମେରିକା ଓ ୟୁକେର ବଦଳୁଥିବା ନୀତିରୁ ପ୍ରଭାବିତ ଇମିଗ୍ରେସନର ନୂଆ ସ୍ୱରୁପ ପରିଣାମ ଅଟେ । ଷ୍ଟିଫେନଙ୍କ ବୟାନକୁ ଉଦୃତ କରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି, 'ଆମେରିକା ଏବେ ସାରା ଦୁନିଆରେ ବୈକଳ୍ପିକ ନିବାସ ଓ ନାଗରିକତା ବିକଳ୍ପ ଚାହିଦାରେ ସବୁଠୁ ଆଗରେ ରହିଛି । ବ୍ରିଟେନ ଏବେ ବି ସାରା ଦୁନିଆ ଶୀର୍ଷ ୫ ଦେଶରେ ରହିଛି । ଆମେରିକା ଓ ବ୍ରିଟେନର ନିଜର ଆଭ୍ୟନ୍ତରୀଣ ନୀତି ଆପଣାଇବାରେ ଲାଗିଛନ୍ତି, ଯେଉଁଥି ପାଇଁ ସେମାନଙ୍କ ନାଗରିକଙ୍କ ବୈଶ୍ୱିକ ପହଞ୍ଚ ଓ ସୁରକ୍ଷା ଆବଶ୍ୟକତରେ ବୃଦ୍ଧି ଦେଖିବାକୁ ମିଳିଛି ।'
ପାସପୋର୍ଟ ଇଣ୍ଡେକ୍ସ ସୂଚକାଙ୍କ ଅନୁସାରେ, ସିଙ୍ଗାପୁର ଏବେ ବି ଦୁନିଆର ସବୁଠୁ ଶକ୍ତିଶାଳୀ ପାସପୋର୍ଟ ସ୍ଥାନ ବଜାୟ ରଖିଛି । ଏହି ଦେଶର ନାଗରିକ ଦୁନିଆର ୨୨୭ ଗନ୍ତବ୍ୟ ସ୍ଥାନ ମଧ୍ୟରୁ ୧୯୩ ଭିସା-ଫ୍ରି ଏଣ୍ଟ୍ରି ପାଇପାରିବେ । ଅନ୍ୟପଟେ ଆଫଗାନିସ୍ତାନ ଦୁନିଆର ସବୁଠୁ ଖରାପ ପାସପାର୍ଟ । ଭାରତ ପାସପୋର୍ଟ ଇଣ୍ଡେକ୍ସର ୭୭ତମ ସ୍ଥାନରେ ପହଞ୍ଚିଛି । ଭାରତୀୟ ନାଗରିକଙ୍କ ପାଇଁ ୫୯ ଦେଶରେ ଭିସା-ଫ୍ରି ଏଣ୍ଟ୍ରି ଉପଲବ୍ଧ ଅଛି । ହେନଲି ସିଇଓ ଷ୍ଟିଫେନଙ୍କ କହିବାନୁସାରେ କୌଣସି ଦେଶର ପାସପୋର୍ଟର ସ୍ଥିତି କୂଟନୀତି ଓ ଅନ୍ତର୍ଜାତୀୟ ସମ୍ପର୍କରେ ତାଙ୍କ ପ୍ରଭାବକୁ ଦର୍ଶାଉଛି ।