ପୁରୀ,୨୯/୦୭: ହଜାରେ ଟଙ୍କାରେ ଶ୍ରୀମନ୍ଦିରରେ ପାଇବେ ଭିଆଇପି ଦର୍ଶନ ସୁବିଧା । ମହାପ୍ରଭୁଙ୍କୁ ଦର୍ଶନ ଲାଗି ଆଉ ଧାଡିରେ ଛିଡା ହେବେନି । ଏମିତିକି ତୁଳସୀ ଓ ମହାପ୍ରଭୁଙ୍କ ପୂଜା ଫୁଲ ବି ମିଳିଯିବ ଆପଣଙ୍କୁ । ଆଉ ପୂଜା ବେଳେ ଆପଣଙ୍କ ସହ ଜଣେ ସେବକ ବି ଆପଣଙ୍କ ପାଖରେ ରହି ଟିଖ୍ ନିଖି ବୁଝାଇଦେବ । ଏଭଳି ଲୋଭନୀୟ ଅଫର ଦେଖାଇ ଗ୍ରାହକଙ୍କୁ ଲୁଟୁଛି ହରି ଓମ୍ ଅନ୍ଲାଇନ ଆପ୍ଲିକେସନ । ଖାଲି ସେତିକି ନୁହେଁ, ଅନ୍ଲାଇନରେ ହଜାରେ ଟଙ୍କା ଦେଲେ ସହଜ ଓ ସୁବିଧାରେ ଦର୍ଶନ ମିଳିବ ବୋଲି ବିଜ୍ଞାପନ କରାଯାଉଛି ।
ସେପଟେ ଏହାକୁ ନେଇ ସେବାୟତ ଓ ପୁରୀ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିଯାଇଛି । ଏହି ଆପ୍ରେ ମୁଣ୍ଡ ପିଛା ହଜାର ଟଙ୍କା ଦେଇ ସ୍ଲଟ ବୁକ୍ କଲେ ଦର୍ଶନ ବ୍ୟବସ୍ଥା କରାଯାଉଛି । ସମୟ ଅନୁଯାୟୀ ସ୍ଲଟ୍ ବୁକ୍ ହେଉଛି । ଏହି ଆପ୍ରେ ବୁକ୍ କଲେ ଧାଡିରେ ଠିଆ ହେବାକୁ ପଡ଼ିବନାହିଁ ବୋଲି କୁହାଯାଉଛି ।
ଏମିତିକି ଶ୍ରୀମନ୍ଦିର ଭିତରେ ଡାଲି ଓ ଭାତ ନଚେତ୍ ଛପନ ଭୋଗ ଖାଇବାକୁ ଦିଆଯିବ ବୋଲି କୁହାଯାଉଛି । ମହାପ୍ରସାଦକୁ ଡାଲି ଭାତ କହି ଅପମାନ କରାଯାଉଥିବା ଅଭିଯୋଗ ହୋଇଛି । ଏହି ସୁବିଧା ପାଇବାକୁ ହେଲେ ଟାଇମ ସ୍ଲଟର ୩୦ ମିନିଟ୍ ପୂର୍ବରୁ ଶ୍ରୀମନ୍ଦିରରେ ପହଞ୍ଚିବାକୁ ହେବ । ଏହା ସହ ସାଥୀରେ ଏକ ସରକାରୀ ପ୍ରମାଣ ପତ୍ର ନେଇ ଆସିବାକୁ ହେବ ବୋଲି କୁହାଯାଇଛି ।
ଏନେଇ ଅସନ୍ତୋଷ ବ୍ୟକ୍ତ କରି ପୁରୀ ବାସିନ୍ଦା ସପନ ତରାଇ କହିଛନ୍ତି, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଭିଆଇପିଙ୍କର କରିଦେବାକୁ ଚକ୍ରାନ୍ତ ଚାଲିଛି । ଯିଏ ପ୍ରକୃତ ଭକ୍ତ ସେ ପ୍ରଭୁଙ୍କ ଦର୍ଶନ ପାଉନି । ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର କରୁଥିବା ବ୍ୟକ୍ତିକୁ ଅଣଦେଖା କରାଯାଉଛି। ମହାପ୍ରଭୁଙ୍କୁ ଭିଆଇପିଙ୍କ ଠାକୁର କରି ଦିଆଯାଇଛି ।
ଭିଆଇପିଙ୍କ ସୁବିଧା ଲାଗି ରଥଯାତ୍ରାରେ କିଭଳି ଅବ୍ୟବସ୍ଥା ହେଲା ଏହା ସମସ୍ତେ ଦେଖିଛନ୍ତି । ପୁରୀ ବାସୀ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସମସ୍ୟା ଭୋଗୁଛନ୍ତି । ବରିଷ୍ଠ ନାଗରିକ, ଭିନ୍ନକ୍ଷମ, ଶିଶୁ ଏମାନେ ଭୟରେ ଶ୍ରୀମନ୍ଦିର ଯାଉନାହାନ୍ତି । ଏପରି ସ୍ଥିତିରେ ଟଙ୍କା ଦେଲେ ଶ୍ରୀମନ୍ଦିରରେ ସହଜରେ ଦର୍ଶନ ସୁବିଧା ଦେଉଥିବା ଏସବୁ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ।