ଟି-୨୦ରେ ବାଦ୍ ପଡିବେ କି ପାଣ୍ଡ୍ୟା? ଆଇପିଏଲ୍‌ରେ ପ୍ରଦର୍ଶନ ନେଇ ଉଠିଲା ପ୍ରଶ୍ନ, ଫୋକସରେ ଦୁବେ

Published By : Prameya-News7 Bureau | April 17, 2024 IST

ମୁମ୍ବାଇ ୧୭/୦୪: ଗତ ଦିନିକିଆ ବିଶ୍ୱକପ୍‌ରେ ଆହତ ହୋଇ ଟୁର୍ଣ୍ଣାମେଣ୍ଟ ଅଧାରୁ ଦଳ ଛାଡ଼ିଥିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସଂପୂର୍ଣ୍ଣ ସୁସ୍ଥ ହୋଇ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବେ ପ୍ରତ୍ୟାବର୍ତ୍ତନ କରିଥିଲେ । କିନ୍ତୁ ପାଣ୍ଡ୍ୟା ଏ ପର୍ଯ୍ୟନ୍ତ ବ୍ୟକ୍ତିଗତ ଭାବେ ସେମିତି ଭଲ ପ୍ରଦର୍ଶନ କରିପାରି ନାହାନ୍ତି । ବିଶେଷ କରି ବୋଲିଂରେ ବିଫଳ ରହିଛନ୍ତି । 

ବିସିସିଆଇ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର, କୋଚ୍‌ ରାହୁଲ ଦ୍ରାବିଡ଼ ଏବଂ ଅଧିନାୟକ ରୋହିତ ଶର୍ମା ତାଙ୍କ ଖେଳ ଉପରେ ନଜର ରଖିଛନ୍ତି । ଯଦି ପାଣ୍ଡ୍ୟା ବୋଲିଂରେ ଭଲ ପ୍ରଦର୍ଶନ କରିବେ ତେବେ ତାଙ୍କୁ ଆଗାମୀ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳରେ ସାମିଲ କରାଯିବ । ନଚେତ ସୁଯୋଗ ମିଳିବା କଷ୍ଟକର । ତେଣୁ ବୋଲିଂ ପ୍ରଦର୍ଶନ ଉପରେ ପାଣ୍ଡ୍ୟାଙ୍କ ବିଶ୍ୱକପ୍‌ ଦଳରେ ସୁଯୋଗ ମିଳିବା କିମ୍ବା ନମିଳିବା ନିର୍ଭର କରୁଛି । ଗତ ସପ୍ତାହରେ ବିସିସିଆଇ କାର୍ଯ୍ୟାଳୟରେ ଦ୍ରାବିଡ଼, ରୋହିତ ଓ ଅଗରକରଙ୍କ ମଧ୍ୟରେ ବୈଠକ ବସିଥିଲା । 

ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳ ଚୟନ ଉପରେ ବୈଠକରେ ଆଲୋଚନା ହୋଇଥିଲା । ଦଳକୁ ଜଣେ ଅଲରାଉଣ୍ଡର ପେସ୍‌ ବୋଲରଙ୍କ ଆବଶ୍ୟକତା ରହିଛି । ପାଣ୍ଡ୍ୟା ହିଁ ଏହି ସ୍ଥାନ ପାଇଁ ଯୋଗ୍ୟ । ମାତ୍ର ଆହତ ହୋଇ ପୁନଃ ପ୍ରତ୍ୟାବର୍ତ୍ତନ କରିବା ପରେ ତାଙ୍କ ଫର୍ମ ଏବେ ଚିନ୍ତାଜନକ ରହିଛି । ବିଶେଷ କରି ସେ ନିୟମିତ ବୋଲିଂ କରୁ ନାହାନ୍ତି । 

ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଯାହା ଜଣାପଡ଼ିଛି, ରୋହିତ, ଦ୍ରାବିଡ଼ ଏବଂ ଅଗରକରଙ୍କ ମଧ୍ୟରେ ୨ ଘଣ୍ଟାରୁ ଊଦ୍ଧ୍ୱର୍ ସମୟ ଧରି ବୈଠକ ବସିଥିଲା । ଯଦି ପାଣ୍ଡ୍ୟା ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଚାହୁଁଛନ୍ତି, ତେବେ ସେ ନିୟମିତ ବୋଲିଂ କରିବା ଦରକାର ବୋଲି ନିଷ୍ପତ୍ତି ହୋଇଛି । 

ପାଣ୍ଡ୍ୟାଙ୍କ ସହ ଚେନ୍ନାଇ ସୁପର କିଙ୍ଗ୍‌ସର ଅଲରାଉଣ୍ଡର ଶିବମ ଦୁବେଙ୍କ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ସେ କେବଳ ଏ ପର୍ଯ୍ୟନ୍ତ ଇମ୍ପାକ୍ଟ ଖେଳାଳି ଭାବେ ପଡ଼ିଆକୁ ଓହ୍ଲାଇଛନ୍ତି । ବୋଲିଂ କରି ନାହାନ୍ତି । ସେ ବାମହାତୀ ବ୍ୟାଟିଂ କରିବା ସହ ମିଡିୟମପେସ୍‌ ବୋଲିଂ କରନ୍ତି । ଦୁବେ ଏ ପର୍ଯ୍ୟନ୍ତ ୬ଟି ମ୍ୟାଚ୍‌ ଖେଳି ୨୪୨ ରନ୍‌ କରିଛନ୍ତି । ପାଣ୍ଡ୍ୟାଙ୍କ ବିକଳ୍ପ ମିଳିବା କଷ୍ଟକର । 

ଯଦି ସେ ଫର୍ମକୁ ଫେରନ୍ତି ଏବଂ ବିଶ୍ୱକପ୍‌ ଦଳରେ ସାମିଲ ହୁଅନ୍ତି ତେବେ ଏକାଦଶ ବେଶ ସନ୍ତୁଳିତ ହେବ । ଏ ପର୍ଯ୍ୟନ୍ତ ପାଣ୍ଡ୍ୟା ଚଳିତ ଆଇପିଏଲରେ ୬ଟି ମ୍ୟାଚ୍‌ ଖେଳିଛନ୍ତି । ସେଥିରୁ ୪ଟି ମ୍ୟାଚ୍‌ରେ ୧୧ ଓଭର ବୋଲିଂ କରି ୩ଟି ୱିକେଟ୍‌ ପାଇଛନ୍ତି । ରାଜସ୍ଥାନ ରୟାଲ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୋଲିଂ କରିନଥିଲେ । 

ଚେନ୍ନାଇ ସୁପର କିଙ୍ଗ୍‌ସ ବିପକ୍ଷରେ ମହେନ୍ଦ୍ର ସିଂ ଧୋନି ତାଙ୍କ ଓଭରରେ ୩ଟି ଛକା ମାରିଥିଲେ । ପାଣ୍ଡ୍ୟା ଏହି ଓଭରରେ ୨୬ ରନ୍‌ ଦେଇଥିଲେ । ବ୍ୟାଟିଂରେ ସେ ୬ଟି ମ୍ୟାଚ୍‌ରୁ ୧୩୧ ରନ୍‌ ସଂଗ୍ରହ କରିଛନ୍ତି । ଏପ୍ରିଲ ଶେଷ ସପ୍ତାହରେ ଦଳ ଘୋଷଣା

ଚଳିତ ମାସ ଶେଷ ସପ୍ତାହରେ ଜାତୀୟ ଚୟନ କମିଟି ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଦଳ ଘୋଷଣା କରିବାର ସମ୍ଭାବନା ରହିଛି । ଯାହା ଆଶା କରାଯାଉଛି, ଆଇପିଏଲ୍‌ ପ୍ରଦର୍ଶନକୁ ଦଳ ଚୟନରେ ଗୁରୁତ୍ୱ ଦିଆଯିବ । 

ଏଥର ଆମେରିକା ଓ ୱେଷ୍ଟଇଣ୍ଡିଜ ବିଶ୍ୱକପ୍‌ ଆୟୋଜନ କରୁଛନ୍ତି । ନ୍ୟୁୟର୍କରେ ଭାରତୀୟ ଦଳ ପାଇଁ କ’ଣ ସବୁ ଆବଶ୍ୟକ ରହିଛି ଏନେଇ ବିସିସିଆଇ ଟିମ୍‌ ମ୍ୟାନେଜମେଣ୍ଟକୁ ପଚାରି ବୁଝି ସାରିଛି । ଇତିମଧ୍ୟରେ ଜଣେ ଅଧିକାରୀ ଆମେରିକା ଗସ୍ତ କରି ସାରିଛନ୍ତି । ନ୍ୟୁୟୁ କମର ଖେଳାଳିଙ୍କ ରହିବା ପାଇଁ ହୋଟେଲ ଏବଂ ଅନ୍ୟାନ୍ୟ ସୁବିଧା ସୁଯୋଗ ବିଷୟରେ ଉକ୍ତ ଅଧିକାରୀ ସମସ୍ତ ବ୍ୟବସ୍ଥା କରିବେ । 

୨୦୧୩ ଠାରୁ ଭାରତୀୟ ଦଳ କୌଣସି ଆଇସିସି ଟ୍ରଫି ଜିତି ପାରି ନାହିଁ । ଯଦିଓ ୨୦୨୩ରେ ଦିନିକିଆ ବିଶ୍ୱକପ୍‌ ଟାଇଟଲର ନିକଟତର ହୋଇଥିଲା, କିନ୍ତୁ ଫାଇନାଲରେ ଦଳ ଅଷ୍ଟ୍ରେଲିଆ ଠାରୁ ପରାଜିତ ହୋଇଥିଲା । 


  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.