ନୂଆଦିଲ୍ଲୀ: ଖେଳ ମହାକୁମ୍ଭ ଅଲିମ୍ପିକ୍ସ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି । ୪ ବର୍ଷକୁ ଥରେ ହେବାକୁ ଥିବା ଏହି ଖେଳ ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜନ ହେଉଛି । ଅଲିମ୍ପିକ୍ସରେ ୩,୮୦୦ ଘଣ୍ଟାରୁ ଅଧିକ ଲାଇଭ୍ ସ୍ପୋର୍ଟ୍ସ ହେବ । ଶୁକ୍ରବାର ରାତି ୧୧ଟାରୁ ଉଦଘାଟନୀ ସମାରୋହ ଆରମ୍ଭ ହେବ, ଏହାସହ ଅଲିମ୍ପିକ୍ସର ଔପଚାରିକ ଆରମ୍ଭ ହେବ । ପ୍ୟାରିସ୍ ଅଲିମ୍ପିକ୍ସରେ ଚଳିତ ଥର ୩୨ ଖେଳରେ ୩୨୯ ସ୍ୱର୍ଣ୍ଣ ପଦକ ଉପରେ ଖେଳାଳିଙ୍କ ନଜର ରହିବ । ଏଥିପାଇଁ ୨୦୬ ଦେଶ ଏବଂ ସଂଘର ୧୦,୫୦୦ କ୍ରୀଡ଼ାବିତ୍ ଅଂଶଗ୍ରହଣ କରୁଛନ୍ତି । ଭାରତ ୧୬ ଖେଳ ପାଇଁ ୧୧୭ ଜଣ ଖେଳାଳିଙ୍କୁ ପ୍ୟାରିସ୍ ପଠାଇଛି ।
ଶନିବାରଠାରୁ ଆରମ୍ଭ ହେବ ମୁଖ୍ୟ ଖେଳ
ପ୍ୟାରିସ୍ର ପ୍ରସିଦ୍ଧ ସେନ୍ ନଦୀ କୂଳରେ ଆଜି ରାତି ୧୧ଟାରୁ ଓପନିଂ ସେରମନି ଆରମ୍ଭ ହେବ । ଏଥରେ ସବୁ ଦେଶ ଏବଂ ଖେଳାଳି ଭାଗ ନେବେ । ସବୁ ଦେଶ ପରେଡ୍ ଅଫ୍ ନେସନରେ ସାମିଲ ହେବେ । ଉଦଘାଟନୀ ସମାରୋହ ସହ ଅଲିମ୍ପିକ୍ସ ଔପଚାରିକ ଭାବେ ଆରମ୍ଭ ହେବ । କିନ୍ତୁ ଖେଳର ମୁଖ୍ୟ ରାଉଣ୍ଡ ଆସନ୍ତାକାଲିରୁ ଆରମ୍ଭ ହେବ । ଅଗଷ୍ଟ ୧୧ରେ ଉଦଯାପନୀ ସମାରୋହ ହେବ, ଏହାସହ ଏହି କ୍ରୀଡ଼ା ମହାକୁମ୍ଭରେ ସମାପ୍ତି ହେବ ।
୩୨ଟି ଖେଳରେ ୩୨୯ ସ୍ୱର୍ଣ୍ଣ ପଦକ ପାଇଁ ଖେଳାଳି ମୈଦାନକୁ ଓହ୍ଲାଇବେ । ଏଥିରୁ ୩୯ଟି ଗୋଲ୍ଡ ମେଡାଲ କ୍ଲୋଜିଂ ସେରେମନିର ଗୋଟିଏ ଦିନ ପୂର୍ବେ ଅର୍ଥାତ୍ ଅଗଷ୍ଟ ୧୦ରେ ଦିଆଯିବ । ଶୁଟିଂର ମିକ୍ସଡ୍ ଏୟାର ରାଇଫଲ୍ ଟିମ୍ ଇଭେଣ୍ଟରେ ଜୁଲାଇ ୨୭ରେ ପ୍ରଥମ ମେଡାଲ୍ ଇଭେଣ୍ଟ ହେବ । ଅଗଷ୍ଟ ୧୧ରେ ରାତି ୭ଟାରେ ମହିଳା ବାସ୍କେଟବଲ୍ ଇଭେଣ୍ଟର ସ୍ୱର୍ଣ୍ଣ ପଦକ ମ୍ୟାଚ୍ ଖେଳାଯିବ । ଏହାପରେ ରାତି ୧୧.୩୦ଟାରେ ଉଦଯାପନୀ ସମାରୋହ ଆୟୋଜନ କରାଯିବ ।