ନୂଆଦିଲ୍ଲୀ ୦୩/୦୭: ଟିମ୍ ଇଣ୍ଡିଆର କିମ୍ବଦନ୍ତୀ ସ୍ପିନର ହରଭଜନ ସିଂହ । ମୈଦାନରେ ଚାଲି ତାଙ୍କର ଯାଦୁ । ଗୁଗଲିରେ କେତେ କେତେ ବ୍ୟାଟରଙ୍କୁ ବୋଲ୍ଡ କରିଛନ୍ତି । ହେଲେ ଜାଣିଛନ୍ତି କି ଏହି ସକ୍ସେସ୍ କ୍ରିକେଟର ଦିନେ ସୌଭାଗ୍ୟ ବଶତଃ ହୋଇଯାଇଛନ୍ତି କ୍ରିକେଟର । କାରଣ ସେ ଚାହୁଁଥିଲେ ଟ୍ରକ୍ ଡ୍ରାଇଭର ହେବାକୁ । ହେଲେ ତାଙ୍କ ମାଆ ଓ ଭଉଣୀଙ୍କ ପାଇଁ ଜୀବନର ଗତିରଥ ବଦଳିଛି । କାରଣ ମାଆ ଓ ଭଉଣୀ ଚାହୁଁନଥିଲେ ସେ ଟ୍ରକ୍ ଡ୍ରାଇଭର ହୁଅନ୍ତୁ ବୋଲି । ଆଜ୍ଞା ହଁ ଆଜି ହରଭଜନ ସିଂହ ୪୪ ବର୍ଷରେ ପାଦ ଥାପିଛନ୍ତି । ସେ ତାଙ୍କର ଜନ୍ମଦିନ ପାଳନ କରୁଛନ୍ତି ।
କହିବାକୁ ଗଲେ ୨୦୦୦ ମସିହାରେ ଭଜ୍ଜିଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ତାଙ୍କ ମାଆ ଓ ପାଞ୍ଚ ଭଉଣୀଙ୍କ ଦାୟିତ୍ୱ ତାଙ୍କ ଉପରେ ପଡ଼ିଥିଲା । ତେଣୁ ହରଭଜନ ସିଂହ ଟ୍ରକ୍ ଚଳାଇବା ପାଇଁ କାନାଡା ଯିବାକୁ ପ୍ରସ୍ତୁତ ଥିଲେ । ତେବେ ପୁଅ ଓ ଭାଇକୁ ପାଖରୁ ଛାଡିବାକୁ ଚାହଁନଥିଲେ ତାଙ୍କ ମା’ ଓ ଭଉଣୀମାନେ । ତାଙ୍କୁ ଏସବୁ ବାରଣ କରି କ୍ରିକେଟ୍ ଖେଳ ଜାରି ରଖିବାକୁ ପ୍ରେରଣା ଦେଇଥିଲେ ।
ପରେ ଭଜ୍ଜି ଅନ୍ତର୍ଜାତୀୟ କ୍ରିକେଟ ଖେଳି ଅନେକ ରେକର୍ଡ ନିଜ ନାଁରେ କରିଥିଲେ । ଧୀରେ ଧୀରେ ସେ ବନିଗଲେ ଭାରତର ଷ୍ଟାର ସ୍ପିନର ।
ଟେଷ୍ଟ କ୍ରିକେଟରେ ହ୍ୟାଟ୍ରିକ୍ ୱିକେଟ୍ ନେବାରେ ହରଭଜନ ସିଂହ ପ୍ରଥମ ଭାରତୀୟ ବୋଲର । ସେ ଅଷ୍ଟ୍ରେଲିଆ ବିପକ୍ଷରେ କୋଲକାତା ଟେଷ୍ଟରେ ଏହି ସଫଳତା ହାସଲ କରିଥିଲେ । ଏହାପରେ ଭାରତ ପକ୍ଷରୁ ମହମ୍ମଦ ସାମି, ଇରଫାନ ପଠାନ ଏବଂ ଜସପ୍ରୀତ ବୁମରାହ ଟେଷ୍ଟରେ ହ୍ୟାଟ୍ରିକ୍ ୱିକେଟ୍ ନେଇଛନ୍ତି ।
ହରଭଜନ ସିଂହଙ୍କ କ୍ରିକେଟ କ୍ୟାରିୟର ବହୁତ ସଫଳ ଥିଲା । ସେ ଭାରତ ପାଇଁ ୧୦୩ ଟେଷ୍ଟ, ୨୩୬ ଦିନିକିଆ ଏବଂ ୨୮ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚ୍ ଖେଳିଛନ୍ତି । ଯେଉଁଥିରେ ସେ ଟେଷ୍ଟରେ ୪୧୭, ଦିନିକିଆରେ ୨୬୯ ଏବଂ ଟି-୨୦ରେ ୨୫ ୱିକେଟ୍ ନେଇଛନ୍ତି । ତେବେ କେବଳ କ୍ରିକେଟ ନୁହେଁ ଅବସର ନେବା ପରେ ଭଜ୍ଜି ରାଜନୀତିରେ ପ୍ରବେଶ କରିଛନ୍ତି । ଆମ ଆଦମୀ ପାର୍ଟିର ଟିକେଟରେ ଭଜ୍ଜି ରାଜ୍ୟସଭା ସାଂସଦ ହୋଇଛନ୍ତି ।