ଦୋହା: ଇସ୍ରାଏଲର ଆକ୍ରମଣରେ ୟାହ୍ୟା ସିନୱାରର ମୃତ୍ୟୁ ପରେ ହମାସର ନୂଆ ମୁଖ୍ୟ ହେଲା ଖଲିଲ ଅଲ ହୟା।ପାଲେଷ୍ଟାଇନ ଆତଙ୍କବାଦୀ ସଂଗଠନ ହମାସ ଅଲ ହୟାକୁ ନୂଆ ମୁଖ୍ୟ ଭାବେ ଚୟନ କରିଛି। ଏଥିସହିତ ସଂଗଠନ ସିନୱାରର ମୃତ୍ୟୁ ନେଇ ମଧ୍ୟ ସ୍ପଷ୍ଟ କରିଛି। ମୁଖ୍ୟ ନ ହେବା ପୂର୍ବରୁ ଖଲିଲ ଅଲ-ହୟା ହମାସର ଉପମୁଖ୍ୟ ଭାବେ କାମ କରୁଥିଲା। ନୂଆ ମୁଖ୍ୟ ହେବା ପରେ ଅଲ ହୟା ସିନୱାରର ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିବା ସହିତ ଇସ୍ରାଏଲ ବିରୋଧରେ ହୁଙ୍କାର ଦେଇଛି।
କତାରରେ ଥିବା ହମାସ କାର୍ଯ୍ୟକର୍ତ୍ତା ଖଲିଲ ଅଲ ହୟା ଭିଡିଓ ରେକର୍ଡିଂ କରି ସିନୱାର ମୃତ୍ୟୁର ସୂଚନା ଦେଇଛି। ମଧ୍ୟପ୍ରାଚ୍ୟ ମିଡିଆ ଅଲ ଜଜୀରାରେ ଏହି ଭିଡିଓ ପବ୍ଲିସ୍ ହୋଇଛି। ଖଲିଲ ଅଲ ହୟା କହିଛି “ ମହାନ ନେତା, ମୋ ସହିଦ ଭାଇ, ୟାହ୍ୟା ସିନୱାର ପାଇଁ ଆମେ ଶୋକ ପ୍ରକାଶ କରୁଛୁ। ”
ଅକ୍ଟୋବର ୭ ତାରିଖରେ ଇସ୍ରାଏଲ ଉପରେ ଆକ୍ରମଣ ହେବା ପରେ ସିନୱାର ଇସ୍ରାଏଲ ପାଇଁ ମୋଷ୍ଟ ୱାଣ୍ଟେଡ୍ ହୋଇଯାଇଥିଲା। ଗତକାଲି ଇସ୍ରାଏଲ ତାକୁ ଏୟାର ଷ୍ଟ୍ରାଇକ୍ କରି ମାରିଦେଇଛି।
ତେବେ ହମାସ ବନ୍ଧକ ବନାଇଥିବା ଇସ୍ରାଏଲିଙ୍କୁ ଛାଡ଼ିବାକୁ ନେତାନ୍ୟାହୁ ସରକାର ଆହ୍ୱାନ ଦେଇଥିବା ବେଳେ ହମାସ ନେତା ହୟା କହିଛି ଗାଜାରେ ଯେପର୍ଯ୍ୟନ୍ତ ଯୁଦ୍ଧ ବନ୍ଦ ହୋଇ ନାହିଁ ସେ ପର୍ଯ୍ୟନ୍ତ ଇସ୍ରାଏଲ ବନ୍ଧକଙ୍କୁ ଛଡ଼ାଯିବନି। ଯେଉଁ ପାଲେଷ୍ଟାଇନମାନଙ୍କୁ ଇସ୍ରାଏଲ ଜେଲ୍ରେ ରଖିଛି ସେମାନଙ୍କୁ ଛଡ଼ା ଯାଉ ଓ ଇସ୍ରାଏଲ ଗାଜାରୁ ବାହାରି ଯାଉ ବୋଲି ହୟା କହିଛି।