ନୂଆଦିଲ୍ଲୀ: ପାଲେଷ୍ଟାଇନୀ ଆତଙ୍କବାଦୀ ସଂଗଠନ ହମାସ ପ୍ରସ୍ତାବିତ ବନ୍ଧକ ମୁକ୍ତ ଚୁକ୍ତିକୁ ଗ୍ରହଣ କରିବାକୁ କହିଛି। ଏହି ଚୁକ୍ତିରେ ଯୁଦ୍ଧଗ୍ରସ୍ତ ଗାଜାରେ ୬୦ ଦିନିଆ ଅସ୍ତ୍ରବିରତି ଲାଗିବା କତା କୁହାଯାଇଛି। ହମାସ ସୋମବାର ଏହି ସୂଚନା ଦେଇଥିବା ଖବର ସରବରାହ ସଂସ୍ଥା ରଏଟର୍ସ ରିପୋର୍ଟ କରିଛି। ସାଉଦି ଚ୍ୟାନେଲ ଅଲ ଆରବିଆ ଅନୁଯାୟୀ, ଏହି ପ୍ରସ୍ତାବ ପୂର୍ଣ୍ଣ ଯୁଦ୍ଧବିରତି ଏବଂ ଏକ ଅସ୍ଥାୟୀ ଯୁଦ୍ଧବିରତି ମଧ୍ୟରେ ଏକ ଆପୋଷ ବୁଝାମଣାର ବାଟ। ଏଥିରେ ଅବଶିଷ୍ଟ ବନ୍ଧକଙ୍କୁ ମୁକ୍ତ କରିବା ଏବଂ ଗାଜାରୁ ଇସ୍ରାଏଲୀ ସେନାର ଧୀରେ ଧୀରେ ପ୍ରତ୍ୟାହାର କରିବା ଆଦି ଅନ୍ତର୍ଭୁକ୍ତ ରହିଛି।
ଇସ୍ରାଏଲ କହିଛି ଯେ ଯଦି ସମସ୍ତ ବନ୍ଧକଙ୍କୁ ମୁକ୍ତ କରାଯାଏ ଏବଂ ହମାସ ତା'ର ଅସ୍ତ୍ର ରଖେ ତେବେ ସେ ଶତ୍ରୁତା ବନ୍ଦ କରିବାକୁ ରାଜି ହେବ। ତେବେ ପାଲେଷ୍ଟାଇନୀ ରାଷ୍ଟ୍ର ପ୍ରତିଷ୍ଠା ହେବା ନେଇ ଆତଙ୍କବାଦୀ ଗୋଷ୍ଠୀ ଦ୍ୱାରା ପୂର୍ବର କରାଯାଇଥିବା ଦାବିକୁ ଇସ୍ରାଏଲ୍ ସାର୍ବଜନୀନ ଭାବରେ ପ୍ରତ୍ୟାଖ୍ୟାନ କରାଯାଇଛି।
ସୂଚନା ଥାଉକି ଇସ୍ରାଏଲ ଗାଜା ସିଟିର ନିୟନ୍ତ୍ରଣ ହାସଲ କରିବା ପାଇଁ ଯୋଜନା କରୁଛି। ଯାହା ଇସ୍ରାଏଲ୍ ଓ ବିଦେଶରେ ଏକ ଚିନ୍ତା ସୃଷ୍ଟି କରିଛି। ନିକଟରେ ହଜାର ହଜାର ଇସ୍ରାଏଲୀ ସବୁଠାରୁ ବଡ଼ ପ୍ରତିବାଦ ପ୍ରଦର୍ଶନ କରିଥିଲେ। ଯେଉଁଥିରେ ଯୁଦ୍ଧ ବନ୍ଦ କରିବା ଏବଂ ଅକ୍ଟୋବର ୭, ୨୦୨୩ ଠାରୁ ଗାଜାରେ ହମାସ ଦ୍ୱାରା ବନ୍ଦୀ ଥିବା ବାକି ୫୦ ଜଣ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଏକ ଚୁକ୍ତି କରିବାକୁ ସେମାନେ ଦାବି କରିଥିଲେ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ସହରକୁ ହମାସର ଶେଷ ବଡ଼ ସହରାଞ୍ଚଳ ଗଡ଼ ବୋଲି ବର୍ଣ୍ଣନା କରିଛନ୍ତି। କିନ୍ତୁ, ଇସ୍ରାଏଲ ପୂର୍ବରୁ ଗାଜର ୭୫ ପ୍ରତିଶତ ଦଖଲ କରିସାରିଥିବାରୁ, ସେନା ଚେତାବନୀ ଦେଇଛି ଯେ ଆକ୍ରମଣକୁ ବିସ୍ତାର କରିବା ଦ୍ୱାରା ଜୀବିତ ବନ୍ଧକମାନଙ୍କୁ ବିପଦରେ ପକାଇପାରେ ଏବଂ ସୈନ୍ୟମାନଙ୍କୁ ଦୀର୍ଘକାଳୀନ ଏବଂ ଘାତକ ଗରିଲା ଯୁଦ୍ଧରେ ଟାଣି ନେଇପାରେ।