ଗୁକେଶଙ୍କଠାରୁ ପରାଜୟ ସହିପାରିଲେନି କାର୍ଲସନ, ହାରିବା ପରେ ଟେବୁଲରେ ପିଟିଲେ ହାତ, ପରେ ମାଗିଲେ କ୍ଷମା

Published By : Prameya-News7 Bureau | June 02, 2025 IST

ନୂଆଦିଲ୍ଲୀ: ନରୱେ ଚେସ୍ ଟୁର୍ଣ୍ଣାମେଣ୍ଟରେ ବିଶ୍ୱ ଚାମ୍ପିଅନ ଡି ଗୁକେଶ ଏକ ନମ୍ୱର ଚେସ୍ ଖେଳାଳି ମାଗନସ୍ କାର୍ଲସନଙ୍କୁ ହରାଇ ବଡ଼ ବିଜୟ ହାସଲ କରିଛନ୍ତି । ଏହି ବିଜୟରେ ଗୁକେଶଙ୍କ ଖୁସିର ଠିକଣା ନାହିଁ । ଅନ୍ୟପଟେ ମ୍ୟାଚ୍ ହାରିବା ପରେ କାର୍ଲସନ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ । ଗୁକେଶଙ୍କଠାରୁ ପରାଜୟକୁ ଗ୍ରହଣ କରିପାରିନଥିଲେ । ପରାଜୟ ପରେ କାର୍ଲସନ ଚେସ୍ ବୋର୍ଡ ରଖାଯାଇଥିବା ଟେବୁଲକୁ ହାତରେ ଜୋରରେ ପିଟିଥିଲେ । ଏହା ଏତେ ଜୋରରେ ଥିଲା ଯେ ପୂରା ଚେସ୍ ବୋର୍ଡ ଦୋହଲି ଯାଇଥିଲା ।

ଏହାପରେ କାଲର୍ସନ ନିଜ ଚୌକିରୁ ଉଠି ପରାଜୟରେ ରାଗରେ ଏପଟେ ସେପଟେ ହୋଇଥିଲେ । ପରେ ଗୁକେଶଙ୍କ ନିକଟକୁ ଯାଇ କ୍ଷମା ମାଗି ଚେସ୍ ବୋର୍ଡ ନିକଟରୁ ଆସିଥିଲେ । ସେ ଚେସ୍ ବୋର୍ଡକୁ ସଜାଇବା ପାଇଁ ଉଦ୍ୟମ କରିଥିଲେ, କିନ୍ତୁ ତାଙ୍କ ହାତରୁ ହତାଶା ଭାବ ବାରି ହେଉଥିଲେ । ଅନ୍ୟପଟେ ଗୁକେଶ ମ୍ୟାଚ୍ ଜିତିବା ପରେ ଚୁପଚାପ୍ ଉଠି ନିଜ ବିଜୟର ମୁହୂର୍ତ୍ତକୁ ଉପଭୋଗ କରିଥିଲେ । ଏହି ବିଜୟକୁ ସେ ବିଶ୍ୱାସ କରିପାରୁନଥିଲେ, କିନ୍ତୁ ତାଙ୍କ ପରିଶ୍ରମ ସଫଳ ହୋଇଥିଲା । ମ୍ୟାଚ୍ ପରେ ସେଠାରେ ଉପସ୍ଥିତ ଲୋକ ଗୁକେଶଙ୍କ ପାଇଁ ତାଳି ବଜାଇଥିଲେ ।

ଗୁକେଶ ଆଶ୍ଚର୍ଯ୍ୟଜନକ ଭାବେ ରବିବାର କ୍ଲାସିକଲ୍ ଚେସ୍‌ରେ କାର୍ସଲନଙ୍କୁ ପ୍ରଥମ ଥର ପରାସ୍ତ କରିଥିଲେ । ଧଳା ଗୋଟି ସହ ଖେଳୁଥିବା କାର୍ଲସନ ମ୍ୟାଚରେ ଅଧିକାଂଶ ସମୟରେ ଗୁକେଶଙ୍କ ଉପରେ ଚାପ ପକାଉଥିଲେ । କିନ୍ତୁ ଗୁକେଶ ଅତି ସର୍ତ୍ତକତାର ସହ ଖେଳି କାର୍ଲସନଙ୍କୁ ଆଟାକ୍ କରିଥିଲେ । ଯେଉଁଥି ପାଇଁ କାର୍ଲସନଙ୍କ ଉପରେ ମ୍ୟାଚ୍ ଶେଷ ଆଡ଼କୁ ଚାପ ବଢିଥିଲା । ଗୁକେଶ ବିନା କୌଣସି ଦ୍ୱନ୍ଦ୍ୱରେ ନିଜ ଦକ୍ଷତା ଦେଖାଇ ମ୍ୟାଚରେ ବିଜୟୀ ହୋଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଦୁହେଁ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ପରସ୍ପରକୁ ଭେଟିଥିଲେ । ପ୍ରଥମ ମ୍ୟାଚରେ କାର୍ଲସନ ନିଜ ଟ୍ରେଡମାର୍କ ଗୋଟି ଚାଳନାରେ ବିଜୟୀ ହୋଇଥିଲେ । କିନ୍ତୁ ଏଥର ଗୁକେଶ ବାଜି ମାରିବା ସହ ପୂର୍ବ ମ୍ୟାଚ୍ ପରାଜୟର ପ୍ରତିଶୋଧ ନେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.