ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା ପୋର୍ଟାଲ୍ ଶୁଭାରମ୍ଭ କଲେ ସରକାର: ଚାକିରି ସହ ମିଳିବ ଭତ୍ତା

Published By : Prameya-News7 Bureau | August 18, 2025 IST

internet

ନୂଆଦିଲ୍ଲୀସୋମବାର ଶୁଭାରମ୍ଭ ହେଲା ପ୍ରଧାନମନ୍ତ୍ରୀ ବିକାଶ ଭାରତ ରୋଜଗାର ଯୋଜନା (PMVBRY) ପୋର୍ଟାଲ୍। ଏନେଇ କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ମନସୁଖ ଲାଲ୍ ମାଣ୍ଡଭିୟ ସୋମବାର ସୂଚନା ଦେଇଛନ୍ତି। ଉଭୟ ନିଯୁକ୍ତିଦାତା ଏବଂ ପ୍ରଥମ କର୍ମଚାରୀମାନଙ୍କୁ ୧ ଲକ୍ଷ କୋଟି ଟଙ୍କାର ଏହି କେନ୍ଦ୍ରୀୟ ଯୋଜନାର ଲାଭ ନେବାକୁ ସେ ଅନୁରୋଧ କରିଛନ୍ତି। କେନ୍ଦ୍ର କ୍ୟାବିନେଟ ୧ ଜୁଲାଇ, ୨୦୨୫ରେ ନିଯୁକ୍ତି ଭିତ୍ତିକ ପ୍ରୋତ୍ସାହନ ଯୋଜନା(ଏମ୍ପ୍ଲୋୟମେଣ୍ଟ ଲିଙ୍କ୍ଡ ଇନ୍‌ସେଣ୍ଟିଭ୍)କୁ ଅନୁମୋଦନ କରିଥିଲେ। 

ପ୍ରାୟ ୧ ଲକ୍ଷ କୋଟି ଟଙ୍କା ବ୍ୟୟରେ ହୋଇଥିବା ଏହି କେନ୍ଦ୍ରୀୟ ଯୋଜନା ମାଧ୍ୟମରେ ଦେଶରେ ୨ ବର୍ଷ ମଧ୍ୟରେ ଦେଶରେ ୩.୫ କୋଟିରୁ ଅଧିକ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଯୋଜନା ମାଧ୍ୟମରେ ୧ ଅଗଷ୍ଟ, ୨୦୨୫ ରୁ ଆରମ୍ଭ ହୋଇ ୩୧ ଜୁଲାଇ, ୨୦୨୭ ପର୍ଯ୍ୟନ୍ତ ଏହି ପ୍ରୋତ୍ସାହନ ଦେବାକୁ ଲକ୍ଷ୍ୟ ରଖାଯାଇଥିବା କେନ୍ଦ୍ର ଶ୍ରମ ଏବଂ ନିଯୁକ୍ତି ମନ୍ତ୍ରୀ ମାଣ୍ଡଭିୟ କହିଛନ୍ତି।

ସମସ୍ତ ନିଯୁକ୍ତିଦାତା ଏବଂ ପ୍ରଥମ ଥର ପାଇଁ କାମ କରୁଥିବା କର୍ମଚାରୀ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ। ପୋର୍ଟାଲରେ ପଞ୍ଜିକରଣ କରି କିମ୍ବା ଉମଙ୍ଗ  ଆପରେ ସେମାନଙ୍କର ୟୁଏନ ନମ୍ବର ଅପଲୋଡ କରି ଜଣେ ତର୍ମଚାରୀ ପ୍ରୋତ୍ସାହନ ଲାଭ ପାଇପାରିବେ। ଏହି ଯୋଜନାରେ ପାର୍ଟ-ଏରେ ପ୍ରଥମଥରର କର୍ମଚାରୀଙ୍କୁ ସମର୍ଥନ ମିଳିବାକୁ ଥିବା ବେଳେ ପାର୍ଟ- ବିରେ ନିଯୁକ୍ତଦାତାଙ୍କୁ ପ୍ରୋତ୍ସାହନ ଦେବେ ସରକାର।

ମିଡିଆରେ ପ୍ରତିକ୍ରିୟା ଦେଇ ମନ୍ତ୍ରୀ ବୁଝାଇଥିଲେ ଯେ, ଭାଗ ଏ ଅଧୀନରେ, ପ୍ରଥମ ଥର ପାଇଁ କର୍ମଚାରୀଙ୍କୁ ଦୁଇଟି କିସ୍ତିରେ ୧୫ ହଜାର ଟଙ୍କା ପର୍ଯ୍ୟନ୍ତ ହାରାହାରି ଏକ ମାସର ଦରମା (ବେସିକ୍ + DA) ସମକକ୍ଷ ଏକକାଳୀନ ପ୍ରୋତ୍ସାହନ ପ୍ରଦାନ କରାଯିବ। ନିଯୁକ୍ତିଦାତାମାନେ ତିନୋଟି ସ୍ଲାବରେ ପ୍ରୋତ୍ସାହନ ପାଇବାକୁ ହକଦାର ହେବେ। ଯଦି ଜଣେ କର୍ମଚାରୀଙ୍କ ଦରମା ପ୍ରତିମାସ ୧୦,୦୦୦ ଟଙ୍କା ହୁଏ, ତେବେ ନିଯୁକ୍ତିଦାତାଙ୍କୁ ୧,୦୦୦ ଟଙ୍କା ପ୍ରୋତ୍ସାହନ ମିଳିବ।

ସେହିପରି ଯେଉଁ କର୍ମଚାରୀଙ୍କର ମାସିକ ଦରମା ୧୦ ହଜାରରୁ ରୁ ୨୦ ହଜାର ଟଙ୍କା ମଧ୍ୟରେ ରହିବ, ସେମାନଙ୍କର ନିଯୁକ୍ତିଦାତାଙ୍କୁ ୨୦୦୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ। ଯେଉଁ ନିଯୁକ୍ତିଦାତାମାନଙ୍କର ନୂଆ କର୍ମଚାରୀଙ୍କର ଦରମା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଅଛି, ସେମାନଙ୍କୁ ଏକକାଳୀନ ୩,୦୦୦ ଟଙ୍କା ପ୍ରୋତ୍ସାହନ ଦିଆଯିବ। ଏହି ଯୋଜନା ଦେଶରେ ନୂଆ ନିଯୁକ୍ତି ସୃଷ୍ଟିକୁ ପ୍ରୋତ୍ସାହିତ କରିବ ଏବଂ ନୂଆ କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରିବ ବୋଲି ମନ୍ତ୍ରୀ କହିଛନ୍ତି।

ଯୋଜନା ସମ୍ପର୍କରେ ଏକ ବିବୃତ୍ତି ଜାରି କରି ମନ୍ତ୍ରଣାଳୟ କହିଛି ଯେ ପାର୍ଟ-ଏ ଅଧୀନରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମୋଟ ଦରମା ଥିବା କର୍ମଚାରୀମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ। ପାର୍ଟ - ବି ରେ ସମସ୍ତ କ୍ଷେତ୍ରରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି ପାଇଁ ଏକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏଥିରେ ବିଶେଷ କରି ମେନୁଫେକ୍ଚରିଂ କ୍ଷେତ୍ର ଧ୍ୟାନ ଦିଆଯିବ।

ଏହି ପାର୍ଟରେ କମ୍ପାନୀ ପ୍ରତ୍ୟେକ ଅତିରିକ୍ତ କର୍ମଚାରୀ (ପ୍ରଥମ ଥର ଏବଂ ପୁନଃ ଯୋଗଦାନକାରୀ ଉଭୟ) ପାଇଁ ପ୍ରତି ମାସରେ ୩,୦୦୦ ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ପାଇବେ। ଏହା ଅତି କମରେ ୬ ମାସ ପାଇଁ ମିଳିବ। ଏହି ପ୍ରୋତ୍ସାହନ ୨ ବର୍ଷ ପାଇଁ ପ୍ରଦାନ କରାଯାଇପାରେ। ତେବେ ମେନୁଫେକ୍ଚରିଂ କ୍ଷେତ୍ରରେ ଥିବା କମ୍ପାନୀ ପାଇଁ, ଏହି ପ୍ରୋତ୍ସାହନ ୪ ବର୍ଷ ପାଇଁ ପ୍ରଦାନ କରାଯିବ।

ଏହି ଭାଗରେ  ଯୋଗ୍ୟ ହେବା ପାଇଁ, ପ୍ରତିଷ୍ଠାନଗୁଡ଼ିକ ଅତି କମରେ ୬ ମାସ ପାଇଁ ନିରନ୍ତର ଭିତ୍ତିରେ ଅତି କମରେ ଦୁଇଜଣ ଅତିରିକ୍ତ କର୍ମଚାରୀ (୫୦ରୁ କମ୍ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ) କିମ୍ବା ପାଞ୍ଚ ଜଣ ଅତିରିକ୍ତ କର୍ମଚାରୀ (୫୦ କିମ୍ବା ଅଧିକ କର୍ମଚାରୀ ଥିବା ନିଯୁକ୍ତିଦାତାଙ୍କ ପାଇଁ) ନିଯୁକ୍ତି ଦେବାକୁ ପଡିବ।

ମନ୍ତ୍ରଣାଳୟ ଅନୁଯାୟୀ, EPF ଏବଂ MP ଆଇନ ୧୯୫୨ରେ ଛାଡ଼ ପାଇଥିବା ପ୍ରତିଷ୍ଠାନଗୁଡ଼ିକୁ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ସେମାନଙ୍କୁ ଇଲେକ୍ଟ୍ରୋନିକ୍ ଚାଲାଣ-କମ-ରିଟର୍ଣ୍ଣ (ECR) ଦାଖଲ କରିବାକୁ ପଡିବ ଏବଂ ଉମଙ୍ଗ ଆପରେ ପ୍ରଦାନ କରାଯାଇଥିବା ସୁବିଧା ବ୍ୟବହାର କରି ସେମାନଙ୍କର ସମସ୍ତ କର୍ମଚାରୀଙ୍କ ପାଇଁ ୟୁଏଏନ୍‌ ଖୋଲିବାକୁ ପଡିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.