ଢେଙ୍କାନାଳ ୩୧।୫: ସ୍କୁଲ ଭ୍ୟାନ ଡ୍ରାଇଭର ମାନଙ୍କୁ ରୁହନ୍ତୁ ସାବଧାନ । କାରଣ ବିଭିନ୍ନ ଲୁଟ୍ ଘଟଣାରେ ତଦନ୍ତ ବେଳେ ଏଭଳି ଏକ ଆଶ୍ଚର୍ଯ୍ୟକର ଘଟଣାର ପର୍ଦ୍ଦାଫାଶ କରିଛି ଢେଙ୍କାନାଳ ଟାଉନ ଥାନା ପୋଲିସ । ଜଣେ ଲୁଟେରାକୁ ଗିରଫ କରିଥିବା ବେଳେ ତା' ନିକଟରୁ ଅନେକ ଲୁଟ୍ ସାମଗ୍ରୀ ସୁନା, ଗହଣା ଆଦି ଉଦ୍ଧାର କରିଛି ପୋଲିସ । ଗିରଫ ଲୁଟେରା ଜଣଙ୍କ ଜଣେ ସ୍କୁଲ ଭ୍ୟାନ ଡ୍ରାଇଭର ହୋଇଥିବା ବେଳେ ଢେଙ୍କାନାଳ ସହରର ରଗଡି ସାହିର କହ୍ନେଇ ବାରିକ ବୋଲି ଜଣାପଡ଼ିଛି ।
ସୂଚନାଯୋଗ୍ୟ ଯେ, ସ୍କୁଲ ଭ୍ୟାନରେ ସ୍କୁଲକୁ ପିଲାଙ୍କୁ ନେବାଆଣିବା ଲୁଟେରା କହ୍ନେଇର ଥିଲା ବାହାନା । ପ୍ରକୃତରେ ସ୍କୁଲକୁ ନେଉଥିବା ପିଲାଙ୍କ ପରିବାର ତାଙ୍କ ଟାର୍ଗେଟ୍ରେ ଥିଲେ । ଯେଉଁଦିନ କୌଣସି ପିଲା ସ୍କୁଲ ଯାଉନଥିଲେ ସେଦିନ ପିଲାର ଅଭିଭାବକଙ୍କ ଫୋନ୍ ଯୋଗେ ଘରେ କେତେଦିନ ଅନୁପସ୍ଥିତି ରହିବେ ସେ ସମ୍ପର୍କରେ ସୂଚନା ନେଉଥିଲେ । ପରେ ଏ ବାବଦରେ ଲୁଟ୍ ରାକେଟ୍କୁ ସୂଚନା ଦେଇ ମିଳିମିଶି ଉକ୍ତ ଘରେ ପଶି ସୁନା ଗହଣା ଓ ଟଙ୍କା ଆଦି ଲୁଟୁଥିଲେ । ଏଭଳି ଲୁଟ୍ ଘଟଣାର ପର୍ଦ୍ଦାଫାଶ କରିଛି ଟାଉନ ଥାନା ପୋଲିସ ।
ଏଭଳି ଲୁଟ୍ ରାକେଟର ମାଷ୍ଟର ମାଇଣ୍ଡ କହ୍ନେଇ ବାରିକକୁ ଗିରଫ କରିବାରେ ସକ୍ଷମ ହୋଇଛି । ତାଠାରୁ ନଗଦ ୫୪ ହଜାର ଟଙ୍କା, ୩ଟି ଲାପଟପ, ୫ଟି ସ୍ମାର୍ଟ ୱଚ୍ ଆଦି ଲୁଟ୍ ସାମଗ୍ରୀ, ଶହେ ଗ୍ରାମର ଲୁଟ୍ ସୁନା ଗହଣା ଓ ୨ ଶହ ଗ୍ରାମର ରୁପା ଅଳଙ୍କାର ଆଦି ଉଦ୍ଧାର କରିଛି ଟାଉନ ଥାନା ପୋଲିସ । ଉଦ୍ଧାର ସାମଗ୍ରୀର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ବୋଲି ଜଣାପଡିଛି । ଢେଙ୍କାନାଳ ସହରର ଗାୟତ୍ରୀ ନଗର, ଅମଲା ପଡା, କାରିଗର ସାହି ଓ ଟାଉନ ପ୍ଲାନିଂ ଆଦି ୪ଟି ସ୍ଥାନରୁ ଏହି ସାମଗ୍ରୀ ଲୁଟ୍ କରିଥିବା ଜଣାପଡ଼ିଛି । ଟାଉନ ଥାନା ପୋଲିସ ଲୁଟ୍ ଶିକାର ହୋଇଥିବା ପରିବାରକୁ ଡାକି ଲୁଟ୍ ସାମଗ୍ରୀ ହସ୍ତାନ୍ତର କରିଥିବା ଜଣାପଡିଛି ।
You Can Read: