ରେକର୍ଡ ପରେ ରେକର୍ଡ କରୁଛି ସୁନା ମୂଲ୍ୟ, ଦିଲ୍ଲୀରେ ୮୦ ହଜାର ଟଙ୍କା ଟପିଲା

Published By : Prameya-News7 Bureau | October 21, 2024 IST

ନୂଆଦିଲ୍ଲୀ: ଦେଶର ରାଜଧାନୀରେ ସୁନା ମୂଲ୍ୟ ରେକର୍ଡ ପରେ ରେକର୍ଡ କରିବାରେ ଲାଗିଛି । ଦୀପାବଳି ପୂର୍ବରୁ ଦିଲ୍ଲୀରେ ସୁନା ମୂଲ୍ୟ ୮୦ ହଜାର ଟଙ୍କା ପାର୍ କରିଛି । ସେହିପରି ଏମସିଏକ୍ସରେ ବି ସୁନା ମୂଲ୍ୟ ରେକର୍ଡ ସ୍ତରରେ କାରବାର କରୁଛି । ଅନ୍ୟପଟେ ରୁପା ମୂଲ୍ୟ ଦିଲ୍ଲୀରେ ଏକ ଲକ୍ଷ ନିକଟରେ ପହଞ୍ଚିଛି । ସୋମବାର ଏଥିରେ ୫ ହଜାର ଟଙ୍କା ବୃଦ୍ଧି ଦେଖିବାକୁ ମିଳିଛି । ସେହିପରି ଦେଶର ବାୟଦା ବଜାରରେ ବି ରୁପା ମୂଲ୍ୟ ୯୮ ହଜାର ଟଙ୍କା ପାର୍ କରିଛି । 

ଅଲ୍ ଇଣ୍ଡିଆ ସର୍ରଫା ଆସୋସିଏସନ୍ ଅନୁସାରେ ସୋମବାର ରାଜଧାନୀ ଦିଲ୍ଲୀରେ ସୁନାର ମୂଲ୍ୟ ପ୍ରତି ୧୦ ଗ୍ରାମ ୭୫୦ ଟଙ୍କା ବଢି ୮୦୬୫୦ ଟଙ୍କା ହୋଇଛି । ଏହାସହ ୯୯.୫ ପ୍ରତିଶତ ଶୁଦ୍ଧ ସୁନା ପ୍ରତି ୧୦ ଗ୍ରାମ ୭୫୦ ଟଙ୍କା ବଢି ୮୦୨୫୦ ଟଙ୍କା ହୋଇଛି । ସର୍ରଫା ବ୍ୟବସାୟୀ ସୁନା ମୂଲ୍ୟରେ ବୃଦ୍ଧି ପଛରେ ପାର୍ବଣ ଏବଂ ବିବାହ ଋତୁରେ ବଢୁଥିବା ଚାହିଦା ପୂରଣ କରିବା ପାଇଁ ସ୍ଥନୀୟ ବିକ୍ରେତାଙ୍କ କ୍ରୟ ଏକ କାରଣ ବୋଲି କହିଛନ୍ତି । 

ଅନ୍ୟପଟେ ଦେଶର ବାୟଦା ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଅର୍ଥାତ୍ ଏମସିଏକ୍ସରେ ସୁନା ଏବଂ ରୁପା ରେକର୍ଡ ସ୍ତରରେ କାରବାର କରୁଛି । ବିଶେଷଜ୍ଞଙ୍କ ଅନୁସାରେ ୟୁରୋପୀୟ ବଜାରରେ ସୁଧ ହାର ହ୍ରାସ, ଅନ୍ୟପଟେ ଭୂ-ରାଜନୈତିକ ଅସ୍ଥିରତା ଏବଂ ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ଯୋଗୁଁ ଗୋଲ୍ଡକୁ ସେଫ୍ ହେଭେନ୍ ରୂପେ ଦେଖାଯାଉଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.