ପନ୍ତଙ୍କ ଦୁଇଟି ଶତକ ଉପରେ ପ୍ରଶ୍ନ ଶୁଣି ରାଗିଗଲେ ଗମ୍ଭୀର, କହିଲେ-ବ୍ୟକ୍ତିଗତ ଉପଲବ୍ଧି ସକାରାତ୍ମକ, କିନ୍ତୁ ଆମେ ହାରିଛୁ

Published By : Prameya-News7 Bureau | June 25, 2025 IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଲିଡ୍ସରେ ମିଳିଥିବା ପରାଜୟ ପରେ ବ୍ୟକ୍ତିଗତ ଉପଲବ୍ଧିକୁ ପ୍ରଶଂସା କରିବା ମୁଡ୍‌ରେ ନାହାନ୍ତି କୋଚ୍ ଗୌତମ ଗମ୍ଭୀର । ଟେଷ୍ଟରେ ସକାରାତ୍ମକ ଦିଗ ଉପରେ ପ୍ରଶ୍ନର ଜବାବରେ ସେ କହିଛନ୍ତି, ଯାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ତାକୁ ଟିମ୍ ହାସଲ କରିପାରିଲା ନାହିଁ । ପରେ ରିଷଭ ପନ୍ତଙ୍କ ଦୁଇଟି ଶତକ ଉପରେ ପ୍ରଶ୍ନରେ ସେ ରାଗି ଯାଇ କହିଥିଲେ-ଆହୁରି ତିନି ଶତକ ହୋଇଥିଲା । ଏସବୁ ସକାରାତ୍ମକ କଥା । 

ଗମ୍ଭୀର କହିଛନ୍ତି, ଯଶସ୍ୱୀ ଜୟସ୍ୱାଲଙ୍କ ଶତକ, ଶୁଭମନ ଗିଲଙ୍କ କ୍ୟାପ୍ଟେନ୍ସି ଡେବ୍ୟୁରେ ଶତକ ବିଷୟରେ ଆପଣ କହିଥିଲେ ଆହୁରି ଭଲ ଲାଗିଥାନ୍ତା । କେଏଲ୍ ରାହୁଲ ମଧ୍ୟ ଶତକ ମାରିଛନ୍ତି ଓ ରିଷଭ ପନ୍ତ ଦୁଇ ଶତକ ଲଗାଇଛନ୍ତି । ଗୋଟିଏ ଟେଷ୍ଟରେ ପାଞ୍ଚ ଶତକ ବଡ଼ କଥା । ଏହି ପ୍ରଶ୍ନ ଆହୁରି ଭଲ ହୋଇପାରିଥାନ୍ତା । କୋଚ୍ କହିଛନ୍ତି ଯେ ଯଦି ଟିମ୍ ହାରେ ତେବେ ବ୍ୟକ୍ତିଗତ ଉପଲବ୍ଧି କୌଣସି ମୂଲ୍ୟ ରଖେ ନାହିଁ ।

ସେ କହିଛନ୍ତି, ଏ ସବୁ ସକାରାତ୍ମକ ଦିଗ । ଯଶପ୍ରିତ ବୁମରା ପାଞ୍ଚ ୱିକେଟ୍ ନେଇଥିଲେ । କିନ୍ତୁ ଶେଷ କଥା ହେଉଛି, ଆମେ ବିଜୟୀ ହୋଇପାରିଲୁନି । ବ୍ୟକ୍ତିଗତ ପ୍ରଦର୍ଶନ ଭଲ କଥା । ଆମେ ଶୀର୍ଷ ଛଅ ଜଣଙ୍କଠାରୁ ଭଲ ଇନିଂସ ଆଶା କରୁଥିଲୁ, କିନ୍ତୁ ଶେଷରେ ଆମେ ଟେଷ୍ଟ ମ୍ୟାଚ୍ ଜିତିପାରିଲୁ ନାହିଁ । ଏବେ ଏଥିରୁ ଶିକ୍ଷା ନେଇ ଆଗକୁ ବଢିବୁ ।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଭାରତର ବୋଲିଂ ଆଟାକରେ ଅନୁଭବର ଅଭାବ ଦେଖାଯାଇଥିଲା । ତେବେ, ମୁଖ୍ୟ କୋଚ୍ ଗୌତମ ଗମ୍ଭୀର କହିଛନ୍ତି ଯେ ଟିମର ଅଧିକାଂଶ ଦ୍ରୁତ ବୋଲର ଏବେ ବି ନିଜ କ୍ୟାରିୟରର ଆରମ୍ଭରେ ଅଛନ୍ତି । ସେମାନଙ୍କୁ କିଛି ସମୟ ଦେବାକୁ ପଡ଼ିବ । ପୂର୍ବରୁ ଆମ ଟିମରେ ଚାରି ଜଣ ଦ୍ରୁତ ବୋଲର ଥିଲେ, ସେମାନଙ୍କ ପାଖରେ ୪୦ରୁ ଅଧିକ ଟେଷ୍ଟ ମ୍ୟାଚ୍‌ର ଅନୁଭବ ଥିଲା । ଦିନିକିଆ ଓ ଟି-୨୦ ମ୍ୟାଚ୍‌ରେ ଏହାର ଅଧିକ ପ୍ରଭାବ ପଡ଼ିନଥାଏ । କିନ୍ତୁ ଅଷ୍ଟ୍ରେଲିଆ, ଇଂଲଣ୍ଡ କିମ୍ୱା ଦ.ଆଫ୍ରିକା ଟେଷ୍ଟ ଖେଳିବା ପାଇଁ ଅନୁଭବ ଅଧିକ ଦୁରୁତ୍ୱ ରଖେ । 

ଗମ୍ଭୀର କହିଛନ୍ତି, ଏହା ସେମାନଙ୍କ କ୍ୟାରିୟର ଆରମ୍ଭ ଦିନ । ଯଦି ଆମେ ପ୍ରତ୍ୟେକ ଟେଷ୍ଟ ମ୍ୟାଚ୍ ପରେ ଆମ ବୋଲରଙ୍କର ମୂଲ୍ୟାଙ୍କନ କରିବା ଆରମ୍ଭ କରିବୁ, ତେବେ କିପରି ଏକ ଭଲ ବୋଲିଂ ଆଟକ୍ କରିପାରିବୁ । ବୁମରା ଏବଂ ସିରାଜଙ୍କ ବ୍ୟତୀତ, ଆମର ଦ୍ରୁତ ବୋଲିଂରେ ଅଧିକ ଅଭିଜ୍ଞତା ନାହିଁ । କିନ୍ତୁ ଅନ୍ୟମାନଙ୍କ ପାଖରେ ପ୍ରତିଭା ଅଛି ଏବଂ ସେଥିପାଇଁ ସେମାନେ ଭାରତୀୟ ଟିମରେ ଅଛନ୍ତି । ଗମ୍ଭୀର କହିଛନ୍ତି, ସେମାନଙ୍କୁ ଆମେ ସମର୍ଥନ କରିବା ଦରକାର, କାରଣ ଏହା କେବଳ ଗୋଟିଏ ଗସ୍ତର କଥା ନୁହେଁ । ଏହା ଏକ ଶକ୍ତିଶାଳୀ ଫାଷ୍ଟ ବୋଲିଂ ଲାଇନ ପ୍ରସ୍ତୁତ କରିବା ଉପରେ, ଯାହା ଭବିଷ୍ୟତରେ ଭାରତ ପାଇଁ ଲାଭ ଦାୟକ ହୋଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.