ମହାରାଷ୍ଟ୍ରର ଔଷଧ କମ୍ପାନୀରେ ନାଇଟ୍ରୋଜେନ ଗ୍ୟାସ ଲିକ୍ ଯୋଗୁଁ ୪ ମୃତ, ୨ ଜଣଙ୍କ ଅବସ୍ଥା ଗୁରୁତର

Published By : Prameya-News7 Bureau | August 22, 2025 IST

ନୂଆଦିଲ୍ଲୀ ୨୨।୦୮; ମହାରାଷ୍ଟ୍ରର ପାଲଘରରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଫାର୍ମା କମ୍ପାନୀରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହେବା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ସେପଟେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବା ନେଇ କୁହାଯାଉଛି। ପାଲଘର ଜିଲ୍ଲାର ବୋଇସରରେ ଥିବା ମେଡଲି ଫାର୍ମା ନାମକ ଏକ ଔଷଧ କମ୍ପାନୀରେ ଏହି ଦୁର୍ଘଟଣା ଘଟିଛି। ତେବେ ଗ୍ୟାସ୍ ଲିକ୍ କିପରି ହେଲା ତାହା ଜଣାପଡିନାହିଁ। ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଛି।

ପାଲଘର ଜିଲ୍ଲାର ତାରାପୁର MIDCର ବୋଇସର ଅଞ୍ଚଳରେ ଥିବା ମେଡଲି ଫାର୍ମା ନାମକ ଏକ ଔଷଧ କମ୍ପାନୀରେ ଗୁରୁବାର ଅପରାହ୍ନରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହେବାର ଦୁଃଖଦ ଘଟଣା ଘଟିଛି। ଏହି ଅଞ୍ଚଳ ମୁମ୍ବାଇରୁ ପ୍ରାୟ ୧୩୦ କିଲୋମିଟର ଦୂରରେ ଅବସ୍ଥିତ। ଅପରାହ୍ନ ୨.୩୦ ରୁ ୩ଟା ମଧ୍ୟରେ କମ୍ପାନୀର ଏକ ୟୁନିଟ୍‌ରେ ନାଇଟ୍ରୋଜେନ୍ ଗ୍ୟାସ୍ ଲିକ୍ ହୋଇଥିଲା, ଯାହା ଫଳରେ ସେଠାରେ କାର୍ଯ୍ୟରତ କର୍ମଚାରୀମାନେ ଏଥିରେ ପ୍ରଭାବିତ ହୋଇଥିଲେ। ଗ୍ୟାସ୍ ଲିକ୍ ଘଟଣା ପରେ ତୁରନ୍ତ ଛଅ ଜଣ କର୍ମଚାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସନ୍ଧ୍ୟା ସୁଦ୍ଧା ଚାରି ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଦୁଇ କର୍ମଚାରୀ ଗୁରୁତର ଅବସ୍ଥାରେ ICUରେ ଭର୍ତ୍ତି ହୋଇଛନ୍ତି।

କମ୍ପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି

ଗୁରୁତର ଏବେ ହସ୍ପିଟାଲର ICUରେ ଚିକିତ୍ସିତ ହେଉଛନ୍ତି। ଗୁରୁତରଙ୍କ ପରିବାର ସଦସ୍ୟ କହିଛନ୍ତି ଯେ ଆମେ ରାତିରୁ ଆସିଛୁ କିନ୍ତୁ ଆମକୁ ଏପର୍ଯ୍ୟନ୍ତ ଭେଟିବାକୁ ଦିଆଯାଇ ନାହିଁ। ଯେଉଁ ଘଟଣା ଘଟିଛି ତାହାର ତଦନ୍ତ କରାଯିବା ଉଚିତ। କମ୍ପାନୀରେ କାମ କରୁଥିବା କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଇ ନାହିଁ। ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଇ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କମ୍ପାନୀକୁ ସିଲ୍ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.