ବାବୁଙ୍କ ଅମାପ ସଂପତ୍ତି, କୋଠା,ପ୍ଲଟ,ଗାଡି ଦେଖି କାବା ଭିଜିଲାନ୍ସ

Published By : Prameya-News7 Bureau | July 10, 2025 IST

ବ୍ରହ୍ମପୁର ୧୦/୭: ରାଜ୍ୟରେ ଏବେ କିଛିଦିନ ଧରି ଭିଜିଲାନ୍ସ ଧରପଗଡ ଜୋରଦାର ଚାଲିଛି । ଜଣକ ପରେ ଜଣେ ସରକାରୀ ବାବୁ ଭିଜିଲାନ୍ସ ସ୍କାନରକୁ ଆସୁଛନ୍ତି ।  ଏଥର ପାଳି ପଡିଛି ଯୋଗାଣ ଅଧିକାରୀଙ୍କ । ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଗଞ୍ଜାମ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପୁଷା ମୁଣ୍ଡା । ବୁଧବାର ତାଙ୍କ ଗାଡିରୁ ନଗଦ ୩ ଲକ୍ଷ ଜବତ ହୋଇଥିଲା । ଗୁରୁବାର ତାଙ୍କୁ ଗିରଫ କରାଯାଇଛି । 

ବୁଧବାର ସେ ଅଫିସରୁ ଫେରୁଥିବାବେଳେ ଛତ୍ରପୁର ଜାତୀୟ ରାଜପଥରେ ଅଟକାଇଥିଲା ଭିଜିଲାନ୍ସ ଟିମ୍‌ । ସର୍ଚ୍ଚ ବେଳେ  ତାଙ୍କ ଗାଡିରୁ ନଗଦ ୩ ଲକ୍ଷ ଟଙ୍କା ମିଳିଥିଲା ।ଏତେ ଟଙ୍କା କେଉଁଠୁ ଆଣିଥିଲେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ ସେ । ଏହା ପରେ ତାଙ୍କୁ ଗିରଫ କରାଯିବା ସହ ତାଙ୍କ ଗାଡି ଜବତ ହୋଇଛି । 

ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ପୁଷାଙ୍କ ଘର ଭବାନୀପାଟଣା, ବର୍ତ୍ତମାନ ରହୁଥିବା ଛତ୍ରପୁର ଘର ଓ ଛତ୍ରପୁର କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ତଦନ୍ତ କରିଥିଲେ ଭିଜିଲାନ୍ସ ଟିମ । ଭବାନୀପାଟଣା ରେ ୩ ମହଲା କୋଠା, ୧୯ ଏକର ପରିମିତ ଜାଗା, ପ୍ଲଟ, ଗୋଟିଏ କାର, ୨ଟି ବାଇକ ଠାବ କରି ଅଧିକ ତଦନ୍ତ କରୁଛି ଭିଜିଲାନ୍ସ ବିଭାଗ । ତେବେ ମୋଟ୍‌ କେତେ ପରିମାଣର ସଂପତ୍ତି ଜବତ ହୋଇଛି ସ୍ପଷ୍ଟ ସୂଚନା ମିଳିନି । ୩ଦିନ ଧରି ଭିଜିଲାନ୍ସ ଟିମ୍‌ ତାଙ୍କ ଉପରେ ନଜର ରଖିଥିଲା । ଶେଷରେ ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କୁ ଗିରଫ କରିଛି ଭିଜିଲାନ୍ସ । ତଦନ୍ତ ପରେ ପୁରା ତଥ୍ୟ ସାମ୍ନାକୁ ଆସିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । 

  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.