ଇଂଲଣ୍ଡ ଗସ୍ତରୁ ହଠାତ୍ ଫେରିଆସିଲେ ଗୌତମ ଗମ୍ଭୀର, ଫ୍ୟାମିଲି ଏମର୍ଜେନ୍ସି ପାଇଁ ଫେରିଲେ ସ୍ୱଦେଶ

Published By : Prameya-News7 Bureau | June 13, 2025 IST

ନୂଆଦିଲ୍ଲୀ: ଭାରତର ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଜୁନ୍ ୨୦ରେ ଆରମ୍ଭ ହେବାକୁ ଥିବା ଟେଷ୍ଟ ସିରିଜର କିଛି ଦିନ ପୂର୍ବରୁ ଇଂଲଣ୍ଡରୁ ଫେରିଆସିଛନ୍ତି । ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଶୁଭମନ ଗିଲଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଇଂଲଣ୍ଡ ବିପକ୍ଷରେ ଓହ୍ଲାଇବ । ତେବେ ସିରିଜ୍ ଆରମ୍ଭର ଗୋଟିଏ ସପ୍ତାହ ପୂର୍ବରୁ ଗୌତମ ଗମ୍ଭୀର ଭାରତ ଫେରି ଆସିଛନ୍ତି । ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀରଙ୍କ ମାଆଙ୍କୁ ହୃଦଘାତ ହୋଇଥିବାରୁ ସେ ସ୍ୱଦେଶ ଫେରିଛନ୍ତି । 

ଭାରତୀୟ ଟିମ୍‌ର ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ମାଆ ସୀମା ଗମ୍ଭୀରଙ୍କୁ ଜୁନ୍ ୧୧ରେ ହୃଦଘାତ ହୋଇଥିଲା । ଏହି କାରଣରୁ ଗମ୍ଭୀର ଇଂଲଣ୍ଡ ଗସ୍ତ ଅଧାରୁ ଭାରତ ଫେରିଆସିଛନ୍ତି । ଇଣ୍ଡିଆ ଟୁଡେର ରିପୋର୍ଟ ଅନୁସାରେ ଗୌତମ ଗମ୍ଭୀର ଜୁନ୍ ୧୭ ସୁଦ୍ଧା ପୁଣି ଥରେ ଟିମରେ ଯୋଗଦାନ କରିବେ । ଭାରତ ଓ ଇଂଲଣ୍ଡ ମଧ୍ୟରେ ଜୁନ୍ ୨୦ରେ ପ୍ରଥମ ଟେଷ୍ଟ ଲିଡ୍ସରେ ଆରମ୍ଭ ହେବ । ଏହାପରେ ଆଜବେଷ୍ଟନ, ଲର୍ଡ୍ସ, ଓଲ୍ଡ ଟ୍ରାଫର୍ଡ ଓ ଓଭାଲରେ ଖେଳାଯିବ । 

ଭାରତୀୟ ଟିମ୍ ଗତ ସପ୍ତାହରେ ଇଂଲଣ୍ଡ ପହଞ୍ଚିଥିଲା । ଏହି ସିରିଜ ୨୦୨୫-୨୭ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶିପର ଚକ୍ରର ଅଂଶ ଅଟେ । ରୋହିତ୍ ଶର୍ମା ଓ ବିରାଟ କୋହଲିଙ୍କ ଟେଷ୍ଟ ଅବସର ପରେ ଯୁବ ଖେଳାଳିଙ୍କ ଉପରେ ବଡ଼ ଦାୟିତ୍ୱ ରହିଛି । ଶୁଭମନ ଗିଲଙ୍କୁ ଟିମର କ୍ୟାପ୍ଟେନ୍ କରାଯାଇଥିବା ବେଳେ ରିଷଭ ପନ୍ତ ଉପ-ଅଧିନାୟକ । ୨୦୦୭ ପରେ ଇଂଲଣ୍ଡରେ ନିଜର ପ୍ରଥମ ଟେଷ୍ଟ ସିରିଜ ଜିତିବା ଏହି ଯୁବ ଟିମର ଲକ୍ଷ୍ୟ ରହିଛି ।

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ

ଶୁଭମନ ଗିଲ୍(ଅଧିନାୟକ), ଋଷଭ ପନ୍ତ(ଉପଅଧିନାୟକ/ଓ୍ଵିକେଟ୍ କିପର), ଯଶସ୍ଵୀ ଜୟସ୍ଵାଲ, କେଏଲ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଈଶ୍ଵରନ, କରୁଣ ନାୟର, ନୀତିଶ ରେଡ୍ଡୀ, ରବୀନ୍ଦ୍ର ଜାଡ଼େଜା, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ଓ୍ଵାଶିଂଟନ ସୁନ୍ଦର, ଶାର୍ଦ୍ଦୁଳ ଠାକୁର, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ପ୍ରସିଦ୍ଧ କୃଷ୍ଣା, ଆକାଶ ଦୀପ, ଅର୍ଶଦୀପ ସିଂ, କୁଲଦୀପ ଯାଦବ। 

ଭାରତ ବନାମ ଇଂଲଣ୍ଡ ଟେଷ୍ଟ ସିରିଜ୍ ସିଡ୍ୟୁଲ୍ ୨୦୨୫

ଜୁନ ୨୦ରୁ ୨୪- ପ୍ରଥମ ଟେଷ୍ଟ, ହେଣ୍ଡିଗ୍ଲେ

ଜୁଲାଇ ୨ରୁ ୬- ଦ୍ଵିତୀୟ ଟେଷ୍ଟ, ଆଜବେଷ୍ଟନ

ଜୁଲାଇ ୧୦ରୁ ୧୪- ତୃତୀୟ ଟେଷ୍ଟ, ଲର୍ଡ୍ସ

ଜୁଲାଇ ୨୩ରୁ ୨୭- ଚତୁର୍ଥ ଟେଷ୍ଟ, ଏମିରେଟ୍ସ ଓଲ୍ଡ ଟ୍ରାଫର୍ଡ

ଜୁଲାଇ ୩୧ରୁ ଅଗଷ୍ଟ ୪- ପଞ୍ଚମ ଟେଷ୍ଟ, କିଆ ଓଭାଲ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.