ବନ୍ଧୁ ପାଇଁ ଦିନଟିଏ ; ଆସନ୍ତୁ ଜାଣିବା ଅଗଷ୍ଟ ପ୍ରଥମ ରବିବାରକୁ କାହିଁକି ବନ୍ଧୁତା ଦିବସ ଭାବେ ପାଳନ କରାଯାଏ

Published By : Prameya-News7 Bureau | August 03, 2025 IST

ନୂଆଦିଲ୍ଲୀ ୦୩।୦୮; ବନ୍ଧୁତା ହେଉଛି ଏକ ମୂଲ୍ୟବାନ ସମ୍ପର୍କ । ବନ୍ଧୁତା ଜନ୍ମରୁ ମିଳିନଥାଏ। ଏହି ସମ୍ପର୍କ ହୃଦୟରୁ ତିଆରି ହୋଇଥାଏ । କିନ୍ତୁ ସୃଷ୍ଟି ହୋଇଥିବା ଏହି ସମ୍ପର୍କ ଏତେ ସୁନ୍ଦର ଯେ ଏହାକୁ ଶବ୍ଦରେ ବର୍ଣ୍ଣନା କରିବା ସହଜ ନୁହେଁ । ପ୍ରକୃତ ବନ୍ଧୁକୁ ଛାଇ ସହିତ ତୁଳନା କରାଯାଇପାରେ । ଜୀବନରେ ପ୍ରକୃତ ବନ୍ଧୁର ଭୂମିକା ଅତ୍ୟନ୍ତ ସ୍ବତନ୍ତ୍ର । ଯିଏ କାନ୍ଦିଲେ ମନ କଥା ବୁଝିପାରେ, ହସିବା ପାଇଁ ନିଜ ଖୁସିକୁ ବଳିଦାନ ଦେଇପାରେ ସେ ହେଉଛି ପ୍ରକୃତ ବନ୍ଧୁ । 

ବନ୍ଧୁତା ଏମିତି ଏକ ସମ୍ପର୍କ, ଯାହା ବିନା ଜୀବନ ଅଧୁରା । ଆଖିର ଲୁହରେ ଖୁସିରେ ମୋତିରେ ପରିଣତ କରିବାର ସାମର୍ଥ୍ୟ ଥାଏ ବନ୍ଧୁ ପାଖରେ । ବନ୍ଧୁ ବିନା ଜୀବନର ପରିକଳ୍ପନା କଷ୍ଟକର ଅଟେ । କହିବାକୁ ସବୁଦିନ ସାଙ୍ଗ ପାଇଁ ହୋଇଥାଏ । କିନ୍ତୁ ଆଜିର ଦିନ ବେଶ୍‌ ସ୍ବତନ୍ତ୍ର । ଆଜି ହେଉଛି ବନ୍ଧୁତା ଦିବସ । ଅଗଷ୍ଟ ମାସର ପ୍ରଥମ ରବିବାରକୁ ବନ୍ଧୁତା ଦିବସ ଭାବେ ପାଳନ କରାଯାଇଥାଏ । ଜୀବନରେ ବନ୍ଧୁର ଭୂମିକା ତଥା ବନ୍ଧୁତ୍ବର ମହତ୍ତ୍ବକୁ ଉପଲବ୍ଧି କରିବା ହେଉଛି ଏହି ଦିବସର ଉଦ୍ଦେଶ୍ୟ । ତେବେ ଏହି ଅବସରରେ ଏହାର ଇତିହାସ ଉପରେ ନଜର ପକାଇବା।

ଇତିହାସ: ଆନ୍ତର୍ଜାତୀୟ ବନ୍ଧୁତା ଦିବସ ପାଳନ କରିବାର ପ୍ରସ୍ତାବ ୩୦ ଜୁଲାଇ ୧୯୫୮ରେ ପାରାଗ୍ୱେରେ ଉପସ୍ଥାପିତ ହୋଇଥିଲା। ୨୦୧୧ରେ ମିଳିତ ଜାତିସଂଘ ୩୦ ଜୁଲାଇରେ ଆନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ପାଳନ କରିବାକୁ ଘୋଷଣା କରିଥିଲା। କିନ୍ତୁ ଆମେରିକା, ଭାରତ, ବାଂଲାଦେଶ ଭଳି ଅନେକ ଦେଶ ଅଗଷ୍ଟ ମାସର ପ୍ରଥମ ରବିବାରରେ ବନ୍ଧୁତ୍ୱ ଦିବସ ପାଳନ କରନ୍ତି। 

କିପରି ହେଲା ଆରମ୍ଭ: ବନ୍ଧୁତ୍ୱ ଦିବସର ଆରମ୍ଭକୁ ନେଇ ଅନେକ କାହାଣୀ ରହିଛି। କୁହାଯାଏ ଯେ ୧୯୩୫ ମସିହାରେ ଆମେରିକା ସରକାର ଅଗଷ୍ଟ ପ୍ରଥମ ରବିବାରରେ ଜଣେ ବ୍ୟକ୍ତିଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଏହି ଖବର ଶୁଣି ତାଙ୍କର ଜଣେ ବନ୍ଧୁ ଆତ୍ମହତ୍ୟା କରିଥିଲେ। ବନ୍ଧୁତ୍ୱର ଏପରି ଏକ ଉଦାହରଣ ସାମ୍ନାକୁ ଆସିବା ପରେ ଆମେରିକା ସରକାର ଅଗଷ୍ଟ ମାସ ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ଭାବରେ ପାଳନ କରିବାକୁ ଘୋଷଣା କରିଥିଲେ। ଜୀବନରେ ବନ୍ଧୁମାନଙ୍କ ମହତ୍ତ୍ୱ ବୁଝାଇବା ଉଦ୍ଦେଶ୍ୟରେ ଏହି ଦିନ ପାଳନ କରାଯାଏ। ଏ ଦିବସ ବାର୍ତ୍ତା ଦିଏ ଯେ, ବନ୍ଧୁତା କେବେ ଜାତି-ଧର୍ମ, ଧନୀ-ଗରିବର ବାଛ ବିଚାର ଦେଖେନି, ଏଇମିତି ହେଇଯାଏ, ଆଉ ଚିର କାଳ ରହିଯାଏ... 

ସେହିପରି ବନ୍ଧୁତାର ଅନେକ ନିଚ୍ଛକ କାହାଣୀ ସିନେମାରେ ସ୍ଥାନ ପାଇଛି। ବଲିଉଡରେ ବନ୍ଧୁତାକୁ ଆଧାର କରି ଅନେକ ଚଳଚ୍ଚିତ୍ର ଓ ସଂଗୀତ ପ୍ରସ୍ତୁତ କରାଯାଇଛି। ୧୯୮୧ ମସିହାରେ ରିଲିଜ ହୋଇଥିବା ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ୟାରାନା’ର ଗୀତ 'ତେରା ଜୈସା ୟାର କାହାଁ..' ସଙ୍ଗୀତ ଯିଏ ଶୁଣେ ଭାବବିହ୍ୱଳ ହୁଏ। ସେହିପରି ଅମିତାଭ ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ 'ସୋଲେ' ଚଳଚ୍ଚିତ୍ର ସେତେବେଳେ ଚହଳ ସୃଷ୍ଟି କରିଥିଲା। ଆହୁରି ଅନେକ ବଲିଉଡ୍‌ ଫିଲ୍ମ 'ଥ୍ରୀ ଇଡିଏଟ୍', 'ଛିଛୋରା', 'ରଙ୍ଗ ଦେ ବସନ୍ତୀ', 'ଦିଲ୍ ଚାହତା ହେ...' ଇତ୍ୟାଦିରେ ବନ୍ଧୁତାକୁ ପ୍ରଦର୍ଶିତ କରାଯାଇଛି।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.