ଭୁବନେଶ୍ୱର ୦୧।୦୬ : କମିଶନରେଟ ପୋଲିସକୁ ସଫଳତା । ନୟାପଲ୍ଲୀ ଓ ଭରତପୁର ଥାନା ପୋଲିସ ଚିଟର ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ମହିଳା ଓ ଚାରି ଜଣ ପୁରୁଷ ଥିବା ସୂଚନା ରହିଛି ।
ଖବର ଅନୁଯାୟୀ, ଏହି ଗ୍ୟାଙ୍ଗରେ ଥିଲେ ଜଣେ ମହିଳା, ୪ ପୁରୁଷ। ରେଲଓ୍ବେ ଷ୍ଟେସନ, ବସଷ୍ଟାଣ୍ଡ, ପାର୍କ ଆଦି ସ୍ଥାନ ଥିଲା ଏମାନଙ୍କ ଟାର୍ଗେଟ ପଏଣ୍ଟ। ଲୋକଙ୍କ ପାଖରେ ବସୁଥିଲେ। ପାଣି ପିଇବା ବାହାନାରେ ପାଣି ମାଗୁଥିଲେ। କହୁଥିଲେ, ଆମ ନିକଟରେ ମାଇନିଙ୍ଗ କମ୍ପାନୀର ବହୁତ ୧୦୦ ଟଙ୍କା ନୋଟ୍ ରହିଛି। ସରକାରଙ୍କୁ ଦେଇପାରୁନି। ଆମକୁ ଯିଏ ୫୦୦ ଟଙ୍କିଆ ନୋଟ୍ ଲକ୍ଷେ ଦେବ ଆମେ ତାଙ୍କୁ ୧୦୦ ଟଙ୍କିଆ ୨ ଲକ୍ଷ ଟଙ୍କା ଦେବୁ। ଏମିତି କହି ଲୋକଙ୍କ ଠାରୁ ଫୋନ୍ ନମ୍ବର ଆଣି ଆସିବେ ଗ୍ୟାଙ୍ଗର ପୁରୁଷ ମାନେ। ପରେ ମାଇନିଙ୍ଗ ନିର୍ଦ୍ଦେଶକ ଭାବେ ଆସିବ ମହିଳାଙ୍କ ଫୋନ। ମହିଳା ଜଣଙ୍କ ଫୋନ କରି ତାଙ୍କୁ ପ୍ରଲୋଭିତ କରିଥାନ୍ତି। ଯେତେବେଳେ ଟଙ୍କା କାରବାର ହୁଏ, ସେତେବେ ଲୋକ ବ୍ୟାଗ ଖୋଲି ଦେଖିବା ବେଳକୁ ତଳେ ଥାଏ ୧୦୦ ଟଙ୍କିଆ ନୋଟ୍। ଭିତରେ ଥାଏ ଖାଲି କାଗଜ। ଏହିଭଳି ଉପାୟରେ ଭୁବନେଶ୍ବରର ୨ ଜଣ ବ୍ୟକ୍ତିଙ୍କ ଠାରୁ ସାଢେ ୧୦ ଲକ୍ଷ ଟଙ୍କା ଠକିଥିଲେ ଅଭିଯୁକ୍ତ। ବରମୁଣ୍ଡା ବସଷ୍ଟାଣ୍ଡରେ ଜଣେ ବ୍ୟକ୍ତିଙ୍କ ଠାରୁ ସାଢେ ୪ ଲକ୍ଷ ଟଙ୍କା ଲୁଟିଥିଲେ। ଯିଏକି ନିଜ ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା। ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ରେଲଓ୍ବେ ଷ୍ଟେସନରେ କଥା ହୋଇ ୬ ଲକ୍ଷ ଟଙ୍କା ଠକିଥିଲେ। ପରେ ଭୁବନେଶ୍ୱରରେ ଦୁଇଟି ଥାନାରେ ଅଭିଯୋଗ ପରେ ପୋଲିସ ଆରମ୍ଭ କରିଥିଲା ଛାନ୍ଭିନ୍ । କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ଟିମ୍ ଗଞ୍ଜାମ, ଅନୁଗୋଳ, ପୁରୀ, ଭୁବନେଶ୍ବର, କଟକ ଆଦି ସ୍ଥାନରେ ଚଢାଉ କରି ଠକଙ୍କୁ ଗିରଫ କରିଛି । ଏହି ସବୁ ସ୍ଥାନରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଠକିଥିବା ଅନୁମାନ କରାଯାଉଛି।