ନୂଆଦିଲ୍ଲୀ: ଇଂଲଣ୍ଡ ଓ ଭାରତ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ପଞ୍ଚମ ତଥା ଶେଷ ଟେଷ୍ଟ ଆସନ୍ତାକାଲି ଓଭାଲରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ ଇଂଲଣ୍ଡ ନିଜର ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି। ଆହତ କାରଣରୁ ଅଧିନାୟକ ବେନ ଷ୍ଟୋକ୍ସ ପଞ୍ଚମ ଟେଷ୍ଟରୁ ବାହାରି ଯାଇଛନ୍ତି। ତାଙ୍କ ସ୍ଥାନରେ ଓଲି ପୋପଙ୍କୁ ଦଳର ଅଧିନାୟକ ଦାୟିତ୍ଵ ଦିଆଯାଇଛି। ଘରୋଇ ଦଳ ନିଜର ଚୂଡ଼ାନ୍ତ ଏକାଦଶରେ ଚାରୋଟି ବଡ଼ ପରିବର୍ତ୍ତନ କରିଛି।
ଅଧିନାୟକ ବେନ ଷ୍ଟୋକ୍ସ ଆହତ କାରଣରୁ ବାଦ୍ ପଡ଼ିବା ଇଂଲଣ୍ଡ ଦଳକୁ ବଡ଼ ଝଟକା ଲାଗିଛି। କାରଣ ଷ୍ଟୋକ୍ସ ସିରିଜରେ ଉଭୟ ବ୍ୟାଟିଂ ଓ ବୋଲିଂରେ ଦମଦାର ପ୍ରଦର୍ଶନ କରୁଥିଲେ। ସେ ବ୍ୟାଟିଂରେ ୩୦୪ ରନ କରିବା ସହ ବୋଲିଂରେ ୧୭ ଓ୍ଵିକେଟ୍ ନେଇ ସିରିଜ୍ରେ ସର୍ବାଧିକ ଓ୍ଵିକେଟ୍ ହାସଲକାରୀ ବୋଲର ଥିଲେ। ଷ୍ଟୋକ୍ସଙ୍କ ସହ ସ୍ପିନର ଲିୟାମ ଡାସନ, ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଓ ବ୍ରାଇଡନ କାର୍ସଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇଛି। ଏହି ଚାରି ଜଣଙ୍କ ସ୍ଥାନରେ ଜ୍ୟାକବ ବେଥେଲ, ଗସ ଏଟଙ୍କିସନ, ଜେମି ଓଭରଟନ ଓ ଜୋଶ ଟଙ୍ଗଙ୍କୁ ସାମିଲ କରାଯାଇଛି।
Also read: ଟିମ୍ ଇଣ୍ଡିଆ ପାଇଁ ବଡ଼ ଝଟକା...ଓଭାଲ୍ ଟେଷ୍ଟରୁ ବାଦ୍ ପଡିଲେ ଜସପ୍ରିତ ବୁମରାହ?
ସୂଚନାଯୋଗ୍ୟ, ଓଲ୍ଡ ଟ୍ରାଫର୍ଡରେ ଖେଳା ଯାଇଥିବା ଚତୁର୍ଥ ଟେଷ୍ଟକୁ ଡ୍ର ରଖି ଭାରତ ସିରିଜ୍କୁ ଜୀବନ୍ତ ରଖି ପାରିଛି। ଶେଷ ଟେଷ୍ଟ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟ ନେଇ ଭାରତ ମଇଦାନକୁ ଓହ୍ଲାଇବ। ଅନ୍ୟପଟେ ଇଂଲଣ୍ଡ ଓଭାଲ ଟେଷ୍ଟ ଜିତି ସିରିଜ୍ ୩-୧ରେ ଜିତିବାକୁ ଲକ୍ଷ୍ୟ ରଖିଛି। ମାଞ୍ଚେଷ୍ଟର ଟେଷ୍ଟରେ ଭାରତ ପରାଜୟର ଦ୍ଵାର ଦେଶରେ ଯାଇ ଯେଉଁଭଳି ଭାବେ ବ୍ୟାଟିଂ କରି ମ୍ୟାଚ୍କୁ ଡ୍ର କରାଇ ପାରିଛି, ସେଥିରେ ଦଳର ମନୋବଳ ବେଶ ଉର୍ଦ୍ଧ୍ଵରେ ରହିଛି।
ପଞ୍ଚମ ଟେଷ୍ଟ ପାଇଁ ଇଂଲଣ୍ଡର ଚୂଡ଼ାନ୍ତ ଏକାଦଶ
ଜ୍ୟାକ କ୍ରାଉଲି, ବେନ ଡକେଟ୍, ଓଲି ପୋପ(ଅଧିନାୟକ), ଜୋ ରୁଟ୍, ହ୍ୟାରି ବ୍ରୁକ, ଜ୍ୟାକବ ବେଥେଲ, ଜେମି ସ୍ମିଥ(ଓ୍ଵିକେଟ୍ କିପର), କ୍ରିସ ଓ୍ଵକ୍ସ, ଗସ ଏଟଙ୍କିସନ, ଜେମି ଓଭରଟନ, ଜୋଶ ଟଙ୍ଗ।